Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Modi-Trump Meet: ଭାରତଠାରୁ ବଡ଼ ଆଶା ରଖିଛି ଆମେରିକା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Modi-Trump Meet: ଭାରତଠାରୁ ବଡ଼ ଆଶା ରଖିଛି ଆମେରିକା !

ଡୋନାଲ୍ଡ ଟ୍ରମ୍ପ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଆସନ୍ତା ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଯାଉଛନ୍ତି। ଦୁଇ ନେତା ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ହ୍ୱାଇଟ୍ ହାଉସରେ ଭେଟ ହେବେ। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୩ ତାରିଖରେ ଆମେରିକାରେ ପହଞ୍ଚି ପାରନ୍ତି। ଟ୍ରମ୍ପ ଏବଂ ମୋଦିଙ୍କ ଏହି ଭେଟଘାଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ।

ଏପଟେ ଆମେରିକା ଲଗାତାର ସୂଚାଇ ଦେଉଛି ଯେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଭାରତ ଉପରେ ଅଧିକରୁ ଅଧିକ ପ୍ରତିରକ୍ଷା ଉପକରଣ ଏବଂ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଚାପ ପକାଯିବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବୈଠକ ପୂର୍ବରୁ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଗୁରୁବାର ଫୋନ୍ ମାଧ୍ୟମରେ କଥା ହୋଇଥିଲେ। ଏହି ସମୟରେ, ଉଭୟ ନେତା ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ଉପରେ ନିଜର ସହମତି ପ୍ରକାଶ କରିଥିଲେ।

ପ୍ରତିରକ୍ଷା ଉପକରଣ ସହ ଜଡିତ ବାଣିଜ୍ୟରେ ଆମେରିକା ଏବଂ ଭାରତ ମଧ୍ୟରେ ଖୁବ୍‌ ଉତ୍ତମ ସମ୍ପର୍କ ରହିଛି । ୨୦୦୭ ମସିହାଠାରୁ, ଦୁଇ ଦେଶ ମଧ୍ୟରେ ୨୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଲାଣି। ଏବେ ଟ୍ରମ୍ପ କ୍ଷମତାକୁ ଆସିବା ପରେ, ଆମେରିକାର ଇଚ୍ଛା ଆହୁରି ବଢ଼ିଯାଇଛି। ଆମେରିକା ଚାହୁଁଛି, ଭାରତ ଆହୁରି ଅଧିକ ପ୍ରତିରକ୍ଷା ଉପକରଣ କିଣୁ ।

କିଛି ଦିନ ପୂର୍ବେ, ଯେତେବେଳେ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା, ସେତେବେଳେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକୀୟ ଅସ୍ତ୍ରଶସ୍ତ୍ର କ୍ରୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। କୌଣସି ଦେଶ ସହ ଆମେରିକାର ବ୍ୟବସାୟିକ ସମ୍ପର୍କ ଖରାପ ନହେଉ, ସେନେଇ ଟ୍ରମ୍ପ ଅଧିକ ଗୁରୁତ୍ୱ ଦେଇଥାନ୍ତି ।

ନିକଟରେ, ସେ ସାଉଦି ଆରବକୁ ନେଇ ମଧ୍ୟ କହିଥିଲେ, ଯଦି ସାଉଦି ତାଙ୍କଠାରୁ ଅଧିକରୁ ଅଧିକ ପ୍ରତିରକ୍ଷା ଉପକରଣ କିଣେ ତେବେ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଅଫିସିଆଲ ଗସ୍ତ କରିବେ ସାଉଦିକୁ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ସେହିଭଳି କିଛି ବଡ଼ ପ୍ରତିରକ୍ଷା ଡିଲ କରିବା ଅପେକ୍ଷାରେ ଅଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛନ୍ତି, "ଆମେ ବର୍ତ୍ତମାନର ପ୍ରତିରକ୍ଷା ସହଯୋଗ ସମୀକ୍ଷା କରିଛୁ ଏବଂ ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ଉପରେ ଆଲୋଚନା କରିଛୁ।" ଆଲୋଚନା ସମୟରେ, ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ହୋଇଛି। ଯେଉଁଥିରେ ପରିଚାଳନା, ଗୁଇନ୍ଦା, ସହଯୋଗ ଏବଂ ପ୍ରତିରକ୍ଷା-ଶିଳ୍ପର ମଧ୍ୟ ସହଭାଗୀତା ରହିବ ।

ଆମେରିକା ଏବଂ ଭାରତ ମଧ୍ୟରେ ପ୍ରତିରକ୍ଷା ବାଣିଜ୍ୟ ସମ୍ପର୍କରେ, ଜଣେ ବରିଷ୍ଠ ଭାରତୀୟ ସରକାରୀ ଅଧିକାରୀ କହିଛନ୍ତି ଯେ ଭାରତକୁ ନୂଆ ଟ୍ରମ୍ପ ପ୍ରଶାସନ ସହିତ ସତର୍କତାର ସହ ଆଲୋଚନା କରିବାକୁ ପଡିବ। ଆମେରିକୀୟ ସାମରିକ ପ୍ରଯୁକ୍ତିବିଦ୍ୟା ଖୁବ୍‌ ଉଚ୍ଚମାନର। କିନ୍ତୁ ଏହା ଆମର 'ମେକ୍ ଇନ୍ ଇଣ୍ଡିଆ' ନୀତି ସହିତ ସମନ୍ୱୟ ରକ୍ଷା କରିବା ଆବଶ୍ୟକ । ଭାରତ ସିଧାସଳଖ ଜିନିଷ କିଣିବା ପରିବର୍ତ୍ତେ ସହଯୋଗରେ ଜିନିଷ ଉତ୍ପାଦନ କରିବାକୁ ଚାହୁଁଛି। ଯାହାକି ଭାରତ ପାଇଁ ଅଧିକ ଲାଭ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi-Trump Meet: America has high hopes from India! | Argus News