Videos
|
National

ମୋଦି କରିବେ ସୁଭଦ୍ରା ଯୋଜନାର ଲୋକାର୍ପଣ 

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମୋଦି କରିବେ ସୁଭଦ୍ରା ଯୋଜନାର ଲୋକାର୍ପଣ 
  • ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆଗମନ
  • ମୋଦି କରିବେ ସୁଭଦ୍ରା ଯୋଜନାର ଲୋକାର୍ପଣ 
  • ପିଏମଙ୍କ ଗସ୍ତ ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • କହିଲେ ନିର୍ବାଚନରେ ବିଜେପି ଦେଇଥିବା ପ୍ରତିଶ୍ରୁତି କରିବ ପାଳନ
  • ସୁଭଦ୍ରା ପ୍ରସଙ୍ଗରେ ନବୀନଙ୍କ ଟିପ୍ପଣୀକୁ ପ୍ରଭାତୀଙ୍କ କାଉଣ୍ଟର
  • କହିଲେ ମିଛ କହୁଥିବା ଲୋକଙ୍କୁ ସବୁବେଳେ ଦେଖାଯାଏ ମିଛ

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀଙ୍କ ହାତରେ ହେବ ସୁଭଦ୍ରା ଯୋଜନାର ଲୋକାର୍ପଣ। ସେପ୍ଟେମ୍ବର ୧୭ରେ ଏଥିପାଇଁ ଓଡ଼ିଶା ଆସୁଛନ୍ତି ମୋଦି। ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନୀ ସଂକଳ୍ପପତ୍ରରେ ବିଜେପିର ବଡ଼ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା। ଏବେ ଏହା ପାଳନ କରିବାର ସମୟ ଆସିଛି। ଯାହାର ଫାଇଦା ସିଧାସିଧା ରାଜ୍ୟର ୧କୋଟିରୁ ଅଧିକ ମହିଳାଙ୍କୁ ମିଳିବାକୁ ଯାଉଛି । ଓଡ଼ିଶାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ଏକ୍ସରେ ପୋଷ୍ଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ସମାଲୋଚନା କରିବା ସହ ଏହା ବିଜେପି ଗ୍ୟାରେଣ୍ଟି ନା ଧୁଆଁବାଣ ବୋଲି ପ୍ରଶ୍ନ କରିଥିଲେ। ନବୀନଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ନବୀନଙ୍କ କାଳିଆ ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ କହିଛନ୍ତି ମିଛ କହୁଥିବା ଲୋକଙ୍କୁ ସବୁବେଳେ ଦେଖାଯାଏ ମିଛ।

ଏବେ ଆସନ୍ତୁ ନଜର ପକାଇବା କଣ ରହିଛି ‘ସୁଭଦ୍ରା’ SOP । 21 ବର୍ଷରୁ 60 ବର୍ଷ ବୟସ୍କ ମଧ୍ୟରେ ପ୍ରାୟ ୧ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ମିଳିବ ଫାଇଦା। ପ୍ରତିବର୍ଷ ରକ୍ଷା ବନ୍ଧନ ଓ ଅନ୍ତର୍ଜାତୀୟ ମହିଳା ଦିବସରେ 5 ହଜାର ଟଙ୍କା ଲେଖାଏ ଏହିପରି ବର୍ଷକୁ 10 ହଜାର ଓ 5 ବର୍ଷରେ ଯୋଗ୍ୟ ମହିଳା ଲାଭାର୍ଥୀ ପାଇବେ 50 ହଜାର ଟଙ୍କା । ଡିବିଟି ମାଧ୍ୟମରେ ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ସେହିପରି `ସୁଭଦ୍ରା' ଯୋଜନାରେ ଅତିରିକ୍ତ ୫୦୦ ଟଙ୍କାର ସହାୟତା ପ୍ରଦାନ ପାଇଁ ମଧ୍ୟ ବିଜେପି ସରକାର ଘୋଷଣା କରିଛି। ପ୍ରତି ପଞ୍ଚାୟତର 100 ଜଣ ହିତାଧିକାରୀଙ୍କୁ ମିଳିବ ଏହି ଅତିରିକ୍ତ 500 ଟଙ୍କା । ସର୍ବାଧିକ ଡିଜିଟାଲ୍ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ 500 ଟଙ୍କା ଲେଖାଏଁ ମିଳିବ ।

ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ସହାୟତା ନେଇ ନିଜ ନିର୍ବାଚନୀ ସଂକଳ୍ପ ପତ୍ରରେ ଘୋଷଣା କରିଥିଲା ବିଜେପି। ଗତ ନିର୍ବାଚନରେ ସୁଭଦ୍ରା ସାଜିଥିଲା ବଡ଼ ଗେମ୍ ଚେଞ୍ଜର। ଏହା ବଳରେ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କରେ ଭାଗ ବସାଇବାରେ ସକ୍ଷମ ହୋଇଥିଲା ଭାରତୀୟ ଜନତା ପାର୍ଟି। ଆଉ ୨୪ ବର୍ଷର ନବୀନ ସରକାରକୁ ହଟାଇ ଓଡ଼ିଶାରେ ଗଠନ ହୋଇଥିଲା ବିଜେପିର ଡବଲ ଇଞ୍ଜିନ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Modi will launch Subhadra Yojana | Argus News