ଆଜି ସାଧାରଣ ନିର୍ବାଚନ ହେଲେ କିଏ ପାଇବ ବହୁମତ ?

Key Points
ଆଜି ଦେଶରେ ଲୋକସଭା ନିର୍ବାଚନ ହେଲେ ଏନଡିଏର ଆସନ ସଂଖ୍ୟା ବୃଦ୍ଧି ପାଇବ । ଅପର ପକ୍ଷେ ଖସିବ ବିରୋଧୀ ଇଣ୍ଡି ମେଣ୍ଟର ସାଂସଦଙ୍କ ସଂଖ୍ୟା ।
ନୂଆଦିଲ୍ଲୀ: ଦେଶରେ ଆଜି ଯଦି ସାଧାରଣ ନିର୍ବାଚନ ହୁଏ ଲୋକେ କାହାକୁ ବାଛିବେ ? ସରକାରରେ ଥିବା ଏନଡିଏର ଆସନ ବଢ଼ିବ ନା ଖସିବ ? କ'ଣ ହେବ ବିରୋଧୀ ଇଣ୍ଡି ମେଣ୍ଟର ? ସମସ୍ତଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଇଣ୍ଡିଆ ଟୁଡେ-ସି ଭୋଟର 'ମୁଡ୍ ଅଫ୍ ଦି ନେସନ୍' ସର୍ଭେରୁ ଆସିଛି ବଡ଼ ତଥ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛି ପୂରା ଦେଶରେ ମୁଡ୍ ।
ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ, ଆଜି ଦେଶରେ ଲୋକସଭା ନିର୍ବାଚନ ହେଲେ ଏନଡିଏର ଆସନ ସଂଖ୍ୟା ବୃଦ୍ଧି ପାଇବ । ଅପର ପକ୍ଷେ ଖସିବ ବିରୋଧୀ ଇଣ୍ଡି ମେଣ୍ଟର ସାଂସଦଙ୍କ ସଂଖ୍ୟା । ଏହି ସର୍ଭେ ଦେଶର ସମସ୍ତ ରାଜ୍ୟ ଓ ଲୋକସଭା ଆସନରେ ଜୁଲାଇ ୧ରୁ ଅଗଷ୍ଟ ୧୪ ମଧ୍ୟରେ ହୋଇଥିଲା । ସବୁ ବୟସ, ଜାତି, ଧର୍ମ ଓ ଲିଙ୍ଗର ୫୪ ହଜାର ୭୮୮ ଜଣ ସାମିଲ୍ ହୋଇଥିଲେ ସର୍ଭେରେ । ଏହାଛଡ଼ା ବିଗତ ୨୪ ସପ୍ତାହରେ ୧ ଲକ୍ଷ ୫୨ ହଜାର ୩୮ ଜଣ ଲୋକଙ୍କ ମତାମତ ନିଆଯାଇଥିଲା ।
ଆଉ ମୋଟ ୨ ଲକ୍ଷ ୬ ହଜାର ୮୨୬ ଲୋକଙ୍କ ମତାମତର ବିଶ୍ଲେଷଣରୁ ଆସିଛି ମୁଡ୍ ଅଫ୍ ଦି ନେସନର ଫଳାଫଳ । ଯେଉଁଥିରେ ଆଜିର ଦିନରେ ଯଦି ଲୋକସଭା ନିର୍ବାଚନ ହେଲେ ୩୨୪ ଆସନରେ ଏନଡିଏ ଜିତିବ ବୋଲି ଆକଳନ କରାଯାଇଛି । ସେହିଭଳି ବିରୋଧୀ କଂଗ୍ରେସ ମେଣ୍ଟର ଆସନ ୨୦୮କୁ ଖସି ଆସିବ । ଅନ୍ୟ ଦଳକୁ ୧୧ଟି ଆସନ ମିଳିପାରେ ।
📱 Get Argus News App
✨
୨୦୨୪ ସାଧାରଣ ନିର୍ବାଚନରେ ଏନଡିଏ ୨୯୩ଟି ଆସନ ଜିତିଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପାଇଥିଲା ୨୩୪ ଆସନ । ନିକଟରେ ହୋଇଥିବା ୩ଟି ପ୍ରମୁଖ ବିଧାନସଭା ନିର୍ବାଚନରେ ଜିତି ସାରିଥିବା ଏନଡିଏ ଏବେ ଲୋକସଭା ନିର୍ବାଚନ ହେଲେ ବିରୋଧୀ ମେଣ୍ଟ ଉପରେ ଭାରି ପଡ଼ିବ ବୋଲି ସର୍ଭେରୁ ଜଣାପଡ଼ିଛି ।