ଏବେ ବି ଫସି ରହିଛନ୍ତି 7 ରାଜ୍ୟର 40ରୁ ଅଧିକ ଶ୍ରମିକ

ଅର୍ଗସ ବ୍ୟୁରୋ: ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଟନେଲ୍ । ଭଗ୍ନାବଶେଷ ତଳେ ଚାପି ହୋଇଗଲେ 7 ରାଜ୍ୟର ୪୦ରୁ ଅଧିକ ଶ୍ରମିକ । ଯେଉଁଥିରେ ଉତ୍ତରାଖଣ୍ଡର 2, ବିହାରରୁ 4, ପଶ୍ଚିମବଙ୍ଗରୁ 3 ଏବଂ ଝାଡ଼ଖଣ୍ଡରୁ ସର୍ବାଧିକ 15, ଉତ୍ତରପ୍ରଦେଶରୁ 8, ହିମାଚଳପ୍ରଦେଶ ଜଣଙ୍କ ସମେତ ଓଡ଼ିଶାରୁ 5 ଜଣ ଶ୍ରମିକ ଏଥିରେ ଫସି ରହିଥିବାର ତାଲିକା ଜାରି କରିଛି ପ୍ରଶାସନ । ସେମାନଙ୍କୁ ଉଦ୍ଧାର ପାଇଁ NDRF, SDRF, ITBP, BRO ଟିମ୍ ସହ ପୋଲିସ୍ ନିୟୋଜିତ ହୋଇଛନ୍ତି ।
ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି । ଶନିବାର ରାତିରୁ ଅପରେସନ ଜାରି ରହିଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର ପାଇଁ କେତେ ସମୟ ଲାଗିବ ତାର ସଠିକ ଆକଳନ ଲଗାଯାଇ ପାରୁନି। ଏହି ନିର୍ମାଣାଧୀନ ଟନେଲ ବ୍ରହ୍ମଖାଲ୍-ୟମୁନୋତ୍ରୀ ଜାତୀୟ ରାଜପଥର ସିଲ୍କ୍ୟାରାରୁ ଦଣ୍ଡାଲ୍ଗାଓଁକୁ ସଂଯୋଗ କରିବାକୁ ନିର୍ମାଣ ଚାଲିଥିଲା । ଟନେଲ ତିଆରି ଆରମ୍ଭ ହୋଇଥିବା ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଆଗରେ ଏହା ଭୁଶୁଡ଼ି ପଡ଼ିଛି । ବର୍ତ୍ତମାନ ସୁଦ୍ଧା ୨୦ ମିଟର ସ୍ଲାବକୁ ହଟାଇ ଦିଆଯାଇଛି । ଏବେ ବି ୩୫ ମିଟର ପର୍ଯ୍ୟନ୍ତ ସ୍ଲାବ୍ ପଡିରହିଛି। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ବେଳେ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଟନେଲ୍ ଭିତରେ ଫଶିଥିବା ୫ ଜଣ ଓଡିଆ ଶ୍ରମିକଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ବେଶ୍ବର ନାୟକ, କୁଲଡ଼ିହାର ରାଜୁ ନାୟକ, ବଡ଼କୁଦାର ଧିରେନ୍ ନାୟକ। ସେମାନଙ୍କ ଘରେ ଏବେ କାନ୍ଦବୋବାଳି । ମାଆ ପୁଅର ବାଟ ଚାହିଁ ଲୁହ ଝରାଉଛି ତ ଭଉଣୀ ଭାଇ ଘରକୁ ଫେରି ଆସିବା ପାଇଁ ପ୍ରାର୍ଥନା କରୁଛି । ଦୁଇ ଦିନ ହେବେ ଘରେ ଚୁଲି ଜଳିନି । ସେମାନଙ୍କ ଗାଁ ଲୋକେ ପୁଅ ଶୀଘ୍ର ଘରୁ ଫେରିଆସିବା ପାଇଁ ପ୍ରାର୍ଥନା କରୁଛନ୍ତି । ଚାରିଧାମ ପ୍ରୋଜେକ୍ଟରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଛି ।
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...