ମୁଦ୍ରା ଯୋଜନାରେ ୫୦ କୋଟିରୁ ଅଧିକ ହିତାଧିକାରୀ ପାଇଛନ୍ତି ଲାଭ !

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ମହତ୍ୱାକାଂକ୍ଷୀ ଯୋଜନା ଦେଶର ଋଣପ୍ରଦାନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ମୁଦ୍ରା ଯୋଜନା ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଏହା ୩୩ ଲକ୍ଷ କୋଟି ଟଙ୍କାର ୫୨ କୋଟି ଋଣ ପ୍ରଦାନ କରି ଦେଶବ୍ୟାପୀ ଉଦ୍ୟୋଗ ପ୍ରତିଷ୍ଠାର ବିପ୍ଳବ ଆଣିଛି।
କୋଟି କୋଟି କ୍ଷୁଦ୍ର ବ୍ୟବସାୟୀଙ୍କ ଆଶା ଆକାଂକ୍ଷା ଏବଂ ସ୍ବପ୍ନ ପୂରଣ କରୁଛି ମୋଦି ସରକାରଙ୍କ ଏ ମହତ୍ବାକାଂକ୍ଷୀ ଯୋଜନା। ପିଏମ୍ ମୁଦ୍ରା ୧୦ ବର୍ଷ ଭିତରେ ସୃଷ୍ଟି କରିଛି ଅନେକ ମାଇଲ୍ ଖୁଣ୍ଟ। ଉପକୃତ ହେଲେଣି ୫୦ କୋଟିରୁ ଅଧିକ ହିତାଧିକାରୀ । ଯେଉଁମାନେ ନେଇଛନ୍ତି ୩୩ ଲକ୍ଷ କୋଟି ଟଙ୍କା ଋଣ । ବିନା କୌଣସି ବନ୍ଧକରେ ଋଣ ନେଇ ବ୍ୟବସାୟ ଆରମ୍ଭ କରିଛନ୍ତି । ଏମାନଙ୍କ ଆୟ ବଢ଼ିଚାଲିଛି । ହିତାଧିକାରୀଙ୍କ ମଧ୍ୟରୁ ୬୮ ପ୍ରତିଶତ ମହିଳା । ପୁଣି ମୋଟ ଲାଭାର୍ଥୀଙ୍କ ମଧ୍ୟରୁ ୫୦ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ।
୨୦୧୫ ଏପ୍ରିଲ ୮ରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରାଯାଇଥିଲା । ପିଏମ୍ ମୁଦ୍ରା ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ କିଛି ଲାଭାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆମନ୍ତ୍ରଣ କରାଯାଇଥିଲା । ସେମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପିଏମ୍ ମୋଦି ।
ବଡ଼ ବ୍ୟାବସାୟିକ ଅନୁଷ୍ଠାନ କିମ୍ବା ବ୍ୟବସାୟୀ ନୁହନ୍ତି ପିଏମ୍ ମୁଦ୍ରା ଯୋଜନାର ଉଦ୍ଦେଶ୍ୟ ଥିଲା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସୁବିଧାରେ ଋଣ ପ୍ରଦାନ । ଯାହା ଦ୍ବାରା ସେମାନେ ନିଜର ସଂସ୍ଥାକୁ ବଢ଼ାଇପାରିବେ କିମ୍ବା କିଛି ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ । ଭାରତରେ ମୁଦ୍ରା ଯୋଜନାରେ ୯୭ ପ୍ରତିଶତ ହିତାଧିକାରୀଙ୍କ ମଧ୍ୟରୁ ୨୦ ପ୍ରତିଶତ ଜନତା ମୁଦ୍ରା ଋଣ ନେଇ ନୂଆ ବ୍ୟବସାୟ ଆରମ୍ଭ କରିଥିବା ବେଳେ ୮୦ ପ୍ରତିଶତ ନିଜର ପୂର୍ବରୁ ଥିବା ବ୍ୟବସାୟକୁ ଆଗକୁ ବଢାଇଛନ୍ତି ।
ପ୍ରାଥମିକ ଅବସ୍ଥାରେ ମୁଦ୍ରା ଯୋଜନାରେ ୩ ଭାଗରେ ଏହି ଋଣ ପ୍ରଦାନ କରାଯାଇ ଆସୁଥିଲା। ତେବେ ୨୦୨୪ରେ ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ମୁଦ୍ରା ଋଣର ସୀମା ଏବେ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଶିଶୁ, କିଶୋର ଓ ତରୁଣ ୩ଟି ଭାଗରେ ଋଣ ଦିଆଯାଉଥିବାବେଳେ ଏଥିରେ ୪ର୍ଥ ଭାଗ ଯୋଡ଼ା ଯାଇଛି ଯାହାର ନାଁ ରହିଛି ତରୁଣ ପ୍ଲସ୍ ।
ପିଏମ୍ ମୁଦ୍ରା ଯୋଜନା ଅଧିନରେ ଶିଶୁ ଋଣର ଶୀଘ୍ର ପରିଶୋଧ କ୍ଷେତ୍ରରେ ସୁଧ ଉପରେ ୨ ପ୍ରତିଶତ ଛାଡ଼ ସୁବିଧା ମିଳିଥାଏ । ଏହି ସୁବିଧାକୁ ଏବେ ୧୨ ମାସ ଅବଧି ପାଇଁ ଦିଆଯାଉଛି ।