ହିଂସାକାଣ୍ଡରେ 50ରୁ ଅଧିକ ଆହତ

ଅର୍ଗସ ବ୍ୟୁରୋ: ପୁଣି ବାଂଲାଦେଶରେ ଉଗ୍ର ଆନ୍ଦୋଳନ । ହିଂସାକାଣ୍ଡରେ 50ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି । ରବିବାରଠାରୁ ମୁହାଁମୁହିଁ ହୋଇଛନ୍ତି ଛାତ୍ର ଓ ଅନସାର ଫୋର୍ସ । ଦେଶରେ ନୂଆ ସରକାର ଗଠନ ପରେବି ଥମୁନି ବିବାଦ । ଗୃହ ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ଅନସାରୀ ସଦସ୍ୟ ଶନିବାରଠାରୁ ସ୍ଥାୟୀ ନିଯୁକ୍ତି ଓ ସରକାରୀ ମାନ୍ୟତା ଦାବିରେ ସଚିବାଳୟ ମେନ ଗେଟ ଆଗରେ ଧାରଣା ଦେଇଥିଲେ । ଅନସାର ଫୋର୍ସର ଦାବିକୁ ସରକାର ପୂରଣ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ବନ୍ଦ ହୋଇନଥିଲା । ଅନସାର ସଦସ୍ୟଙ୍କ ଦାବିକୁ ନିରଙ୍କୁଶ ଶାସନର ଏଜେଣ୍ଡା କହି ଛାତ୍ରମାନେ ବିରୋଧ କରିବାରୁ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ଆଜି ମଧ୍ୟ ଢାକା ସମେତ ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗି ରହିଛି । ବାଂଲାଦେଶ ସରକାର 60 ଲକ୍ଷରୁ ଅଧିକ ଅନସାର ଫୋର୍ସଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଇଥିଲେ । ନିୟମ ଅନୁସାରେ ଅନସାର ସଦସ୍ୟ ଲଗାତାର 3 ବର୍ଷ କାମ କରିବା ପରେ 6 ମାସ ପାଇଁ ଛୁଟି ଦିଆଯାଉଥିଲା । ଏହି ସମୟରେ ସେମାନଙ୍କୁ ବେତନ କିମ୍ବା କୌଣସି ସରକାରୀ ସାହାଯ୍ୟ ମିଳୁନଥିଲା । ଅନ୍ତରୀଣ ସରକାର ନିୟମରେ ପରବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେବାପରେ ବି ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।