Mosquito Bite / ସବୁ ଲୋକଙ୍କୁ କାମୁଡ଼େନି ମଶା କାହିଁକି କେତେକଙ୍କୁ କରେ ଟାର୍ଗେଟ୍ ଜାଣନ୍ତୁ ରହସ୍ୟ

Key Points
ଆପଣଙ୍କୁ ମଶା କାହିଁକି ଅଧିକ କାମୁଡ଼େ? ସାମ୍ନାକୁ ଆସିଲା ବଡ଼ ରହସ୍ୟ
ମଶାର ମସ୍ତିଷ୍କରେ ଲୁଚିଛି ରହସ୍ୟ କାହାକୁ ବାଛେ ମଶା ?
ସବୁ ଲୋକଙ୍କୁ କାମୁଡ଼େନି ମଶା କାହିଁକି କେତେକଙ୍କୁ କରେ ଟାର୍ଗେଟ୍ ?
ଗୋଟିଏ ସ୍ଥାନରେ ଅନେକ ଲୋକ ବସିଥିଲେ ମଧ୍ୟ ମଶା କାହାକୁ ଅଧିକ କାମୁଡ଼େ ତ ଆଉ କାହାକୁ କମ୍ । ଏହା ପଛରେ କ’ଣ ରହିଛି ରହସ୍ୟ ? ମଣିଷ ଶରୀରର ଗନ୍ଧ ମଶାକୁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆଡ଼କୁ ଅଧିକ ଆକର୍ଷିତ କରୁଛି କି ? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଏବେ ମଶାର ମସ୍ତିଷ୍କ ଉପରେ ଗବେଷଣା କରୁଛନ୍ତି IIT କାନପୁରର ବୈଜ୍ଞାନିକମାନେ ।
IIT କାନପୁରର Mehta Family Centre for Engineering in Medicineରେ ପ୍ରଫେସର ନିତିନ ଗୁପ୍ତାଙ୍କ ଲ୍ୟାବରେ ଏହି ଗବେଷଣା ଚାଲିଛି । ବୈଜ୍ଞାନିକମାନେ ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ ମଶା ମଣିଷର ଗନ୍ଧକୁ କିପରି ଚିହ୍ନଟ କରେ, ସେହି ସୂଚନା କିପରି ତା’ର ମସ୍ତିଷ୍କରେ ପହଞ୍ଚେ ଏବଂ ଏହା ପରେ କେଉଁ ବ୍ୟକ୍ତିଙ୍କ ଆଡ଼କୁ ଯିବ ତାହା କିପରି ନିଷ୍ପତ୍ତି ନିଏ ।
ଏହି ଗବେଷଣାରେ ବିଶେଷ ଭାବେ Aedes aegypti ମଶା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ମଶା ଡେଙ୍ଗୁ ଓ ଚିକୁନଗୁନିଆ ଭଳି ରୋଗ ବିସ୍ତାରରେ ପ୍ରମୁଖ ଭୂମିକା ନିଏ । ଗବେଷକମାନେ ଜାଣିବାକୁ ଚାହୁଁଛନ୍ତି ଯେ କିଛି ଲୋକଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହୁଏ, ଯେତେବେଳେ ଅନ୍ୟ କେତେକଙ୍କଠାରୁ ଦୂରେଇ ରହେ କାହିଁକି।
ମଶା ମଣିଷକୁ ଖୋଜିବା ପାଇଁ ଶରୀରରୁ ବାହାରୁଥିବା ଗନ୍ଧ ସହିତ ଅନ୍ୟାନ୍ୟ ସଙ୍କେତର ବ୍ୟବହାର କରେ । ଏଥିରେ ଝାଳରୁ ବାହାରୁଥିବା ରାସାୟନିକ ପଦାର୍ଥ ଓ ଚର୍ମ ଉପରେ ରହୁଥିବା କ୍ଷୁଦ୍ରଜୀବରୁ ସୃଷ୍ଟି ହେଉଥିବା ରାସାୟନିକ ଉପାଦାନ ମଧ୍ୟ ସାମିଲ ହୋଇପାରେ । ପ୍ରତ୍ୟେକ ମଣିଷର ଶରୀରର ଗନ୍ଧ ଅଲଗା ହୋଇଥିବାରୁ ଏହା ମଶାର ପସନ୍ଦରେ ପ୍ରଭାବ ପକାଇପାରେ ।
ମଶାର ଶରୀରରେ ଥିବା ବିଶେଷ ସେନ୍ସର ଆଖପାଖର ଗନ୍ଧକୁ ଚିହ୍ନଟ କରେ । ପରେ ଏହାର ସୂଚନା ମଶାର ମସ୍ତିଷ୍କରେ ପହଞ୍ଚେ । ଗବେଷକମାନେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବୁଝିବା ସହିତ ଗନ୍ଧ ଚିହ୍ନଟ ପରେ ମଶାର ଆଚରଣରେ କିପରି ପରିବର୍ତ୍ତନ ଆସେ, ତାହା ମଧ୍ୟ ଅଧ୍ୟୟନ କରୁଛନ୍ତି । ଏହି ଗବେଷଣାରେ CRISPR-Cas9 ଭଳି ଜେନେଟିକ୍ ପ୍ରଯୁକ୍ତିର ମଧ୍ୟ ବ୍ୟବହାର କରାଯାଉଛି । ନିର୍ଦ୍ଦିଷ୍ଟ ଜିନ୍ରେ ପରିବର୍ତ୍ତନ କରି ମଶାର ଗନ୍ଧ ଚିହ୍ନଟ କ୍ଷମତା ଓ ଆଚରଣରେ କିପରି ପ୍ରଭାବ ପଡ଼ୁଛି, ତାହା ଜାଣିବାକୁ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି ।
ଗବେଷଣାର ଆଉ ଏକ ଦିଗ ହେଉଛି ରକ୍ତ ପିଇବା ପରେ ମାଈ ମଶାର ଆଚରଣରେ ଆସୁଥିବା ପରିବର୍ତ୍ତନ । ଅଣ୍ଡା ତିଆରି ପାଇଁ ମାଈ ମଶାକୁ ରକ୍ତ ଆବଶ୍ୟକ ହୁଏ । ରକ୍ତ ପିଇବା ପରେ ତା’ର ଆବଶ୍ୟକତା ବଦଳିଯାଏ ଏବଂ ମଣିଷ ଖୋଜିବା ଅପେକ୍ଷା ଅଣ୍ଡା ଦେବା ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ଉପରେ ଅଧିକ ଧ୍ୟାନ ଦିଏ । ଏହି ପରିବର୍ତ୍ତନ ମଶାର ମସ୍ତିଷ୍କରେ କିପରି ହୁଏ, ତାହା ମଧ୍ୟ ଗବେଷଣାର ଅଂଶ ।
ଏହି ଗବେଷଣା ସଫଳ ହେଲେ ଭବିଷ୍ୟତରେ ମଶା ନିୟନ୍ତ୍ରଣର ନୂଆ ପଦ୍ଧତି ବିକଶିତ ହୋଇପାରେ । ମଶା ମଣିଷକୁ ଖୋଜିବା ପାଇଁ କେଉଁ ଗନ୍ଧ ଓ ସଙ୍କେତ ବ୍ୟବହାର କରେ, ତାହା ଜଣାପଡ଼ିଲେ ସେହି ପ୍ରକ୍ରିୟାକୁ ରୋକିବା କିମ୍ବା ବଦଳାଇବାର ଉପାୟ ବିକଶିତ କରାଯାଇପାରେ । ଅର୍ଥାତ୍ ମଶାକୁ କେବଳ ମାରିବା କିମ୍ବା ଘଉଡ଼ାଇବା ବଦଳରେ, ତା’ର ମଣିଷ ଖୋଜିବା ପ୍ରଣାଳୀକୁ ହିଁ ଟାର୍ଗେଟ୍ କରାଯାଇପାରେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ, ବିଶ୍ୱର ପ୍ରାୟ ଅର୍ଦ୍ଧ ଜନସଂଖ୍ୟା ଡେଙ୍ଗୁ ଆଶଙ୍କା ଥିବା ଅଞ୍ଚଳରେ ବସବାସ କରନ୍ତି । ପ୍ରତିବର୍ଷ ପ୍ରାୟ ୧୦ରୁ ୪୦ କୋଟି ଡେଙ୍ଗୁ ସଂକ୍ରମଣ ହେଉଥିବା ଆକଳନ କରାଯାଏ । ତେଣୁ ମଶା ମଣିଷକୁ କିପରି ଚିହ୍ନଟ କରେ ଓ କାହାକୁ ଅଧିକ ଆକର୍ଷିତ ହୁଏ, ତାହା ବୁଝିବା ଡେଙ୍ଗୁ ସମେତ ଅନ୍ୟାନ୍ୟ ମଶାଜନିତ ରୋଗ ନିୟନ୍ତ୍ରଣରେ ଏକ ନୂଆ ଦିଗ ଖୋଲିପାରେ ।
📱 Get Argus News App
✨Related Topics
Explore more stories