ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ବାକ୍ଷର

Key Points
କେଉଁଠି ହେବ କେତେ ବିନିଯୋଗ ?
୨୦୧୪ ରେ ପ୍ରାରମ୍ଭିକ ମୂଳଦୁଆ ପକାଇଥିଲେ ଧର୍ମେନ୍ଦ୍ର ପ୍ରଧାନ
ପୂର୍ବ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ, ନୂଆ ସରକାରରେ ସଫଳ ହେଲା
ଓଡ଼ିଶାକୁ କ'ଣ ମିଳିବ ଲାଭ ?
ପୂରଣ ହେଉଛି ସ୍ପପ୍ନ। ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା। ଡବଲ୍ ଇଞ୍ଜିନ୍ ସରକାର ହେବା ପରେ ଓଡ଼ିଶା ଶିଳ୍ପ ଜଗତରେ ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ବିକାଶର ଫର୍ଦ୍ଦ। ୨୦୧୪ ମସିହାରୁ ଓଡ଼ିଶାରେ ଉର୍ଜା କ୍ଷେତ୍ର ବିକାଶ ପାଇଁ ଧର୍ମେନ୍ଦ୍ର କରି ଆସୁଥିବା ଉଦ୍ୟମ ଆଜି ସଫଳ ହୋଇଛି। ତୈଳ ଓ ଗ୍ୟାସ ଶିଳ୍ପ କ୍ଷେତ୍ରରେ ହେବାକୁ ଯାଉଛି ବୈପ୍ଳବିକ ପରିବର୍ତ୍ତନ। ତୈଳ ଗ୍ୟାସ ପାଇପଲାଇନ, ତୈଳ ଭଣ୍ଡାର ନିର୍ମାଣ, ଏଲଏନଜି, ଏଲପିଜି ଟର୍ମିନାଲ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ହେବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ରୋଡ୍ ମ୍ୟାପ ବାସ୍ତବ ରୁପ ନେଇଛି। ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି।
ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନ ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଓଡ଼ିଶାର ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରାୟ ୭୦ ହଜାର କୋଟି ଟଙ୍କା ମେଗା ପ୍ରକଳ୍ପ ମୂଲ୍ୟର ୩ ଟି ପୃଥକ ପୃଥକ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ରାଜ୍ୟର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ରଣନୈତିକ ସଂରକ୍ଷଣ ପାଇଁ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବ । ଏହା କେବଳ ଓଡ଼ିଶା ନୁହେଁ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କ ପାଇଁ ମଧ୍ୟ ଶକ୍ତି ସୁରକ୍ଷାରେ ଉନ୍ନତି ଆଣିବ।
କେଉଁଠି ହେବ କେତେ ବିନିଯୋଗ ?
ଏହି ଚୁକ୍ତି ଅନୁସାରେ ୫୮ ହଜାର ୪୨ କୋଟି ବିନିଯୋଗରେ ପାରାଦୀପ ଠାରେ ମେଗା ଡୁଆଲ ଫିଡ୍ କ୍ରାକର(ଡିଏଫସି) ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପ୍ରତିଷ୍ଠା ହେବ। ସେହିଭଳି ୮ ହଜାର ୭୪୩ କୋଟି ବିନିଯୋଗରେ ଯାଜପୁର ଚଣ୍ଡିଖୋଲ ଠାରେ କ୍ରୁଡ ଅଏଲ ଷ୍ଟୋରେଜ୍ ଫାସିଲିଟି ହେବ। ଏଥିପାଇଁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍(ISPRL) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଗୋପାଳପୁର ଠାରେ ଏଲଏନଜି ଟର୍ମିନାଲ ପାଇଁ ୨ ହଜାର ୩୦୬ କୋଟି ଟଙ୍କେ ବିନିଯୋଗ ପାଇଁ ପେଟ୍ରୋନେଟ୍ ଏଲଏନଜି ଟର୍ମିନାଲ ସହ ଏମଓୟୁ ସ୍ବାକ୍ଷର ହୋଇଛି।
୨୦୧୪ ରେ ପ୍ରାରମ୍ଭିକ ମୂଳଦୁଆ ପକାଇଥିଲେ ଧର୍ମେନ୍ଦ୍ର ପ୍ରଧାନ
ପାରାଦୀପରେ ପେଟ୍ରୋକେମିକାଲ୍ସର ବିକାଶ ଓ ଅଭିବୃଦ୍ଧି ପାଇଁ ଧର୍ମେନ୍ଦ୍ର ପ୍ରଧାନ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରକଳ୍ପ ରୋଡ୍ ମ୍ୟାପ ନେଇ ଆଲୋଚନା କରିଥିଲେ। ତୈଳ ଗ୍ୟାସ ପାଇପଲାଇନ, ବିଶେଷ ତୈଳ ଭଣ୍ଡାର ନିର୍ମାଣ, ଏଲଏନଜି, ଏଲପିଜି ଟର୍ମିନାଲ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ହେବା ନେଇ ସେତେବେଳର ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ରଖିଥଲେ। ସେହିଭଳି ଚଣ୍ଡିଖୋଲ ଠାରେ କ୍ରୁଡ୍ ଅଏଲ ଷ୍ଟାରେଜ୍ ଫାସିଲିଟି ପାଇଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ୨୦୧୮ ୭ ଡିସେମ୍ବରରେ ଏସପିଆର ନିର୍ମାଣ ପ୍ରସଙ୍ଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତୁରନ୍ତ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ସହଯୋଗ କରିବାକୁ ହସ୍ତକ୍ଷେପ ଲୋଡିଥିଲେ । ଚଣ୍ଡିଖୋଲ ଠାରେ ୪ ନିୟୁତ ମେଟିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ(ଏସ୍ପିଆର୍) ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ। ହେଲେ ସେତେବେଳେ ରାଜ୍ୟସରକାରଙ୍କ ଆଗ୍ରହ ଅଭାବ ଯୋଗୁ ଆଗେଇ ପାରୁନଥିଲା ପ୍ରକ୍ରିୟା।
📱 Get Argus News App
✨ପୂର୍ବ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ, ନୂଆ ସରକାରରେ ସଫଳ ହେଲା
ପ୍ରକଳ୍ପ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ୬ ଟି ପ୍ରସଙ୍ଗରେ ସହଯୋଗ ପାଇଁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରକଳ୍ପକୁ ଇଡ଼୍କୋ ଦ୍ୱାରା ସିଙ୍ଗିଲ୍ ୱିଣ୍ଡେ ଅନୁମତି ପ୍ରଦାନ, ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସରକାରୀ ମାଲିକାନାରେ ଥିବା ୬୦୦ ଏକର ଭୂମି ପ୍ରଦାନ କରିବା ପାଇଁ, ବିଜୁଳି ଓ ପାଣିର ବ୍ୟବହାର ପାଇଁ ଅନୁମତି, ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟର ଅନୁମତି, ପ୍ରସ୍ତାବିତ ଅଂଚଳରେ ପଥର ଖନନ କାମକୁ ବନ୍ଦ କରିବା, ପର୍ଯ୍ୟାବରଣ ଓ ପ୍ରଦୂଷଣ ବୋର୍ଡ଼ର ଅନୁମତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଥିଲେ । ୨୦୧୮ ଅକ୍ଟୋବର ୩ ରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ରାଜ୍ୟସରକାରଙ୍କ ଅନ୍ୟାନ୍ୟ ପ୍ରତିନିଧିଙ୍କୁ ଏହି ପ୍ରକଳ୍ପ ସଂକଳ୍ପରେ ବିସ୍ତୃତ ବିବରଣୀ ଦେଇଥିଲେ।
ସେହିଭଳି ଅକ୍ଟୋବର ୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମଧ୍ୟ ଲେଖିଥିଲେ । ତେବେ ସେତେବେଳେ ତତ୍କାଳୀନ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ବ ଦେଇନଥିଲେ। ରାଜ୍ୟରେ ଏବେ ବିଜେପି ସରକାର ଆସିବା ପରେ ଏନେଇ ଆଜି ଏମଓୟୁ ସ୍ବାକ୍ଷରିତ ହୋଇଛି। ଗୋପାଳପୁର ଠାରେ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ପାଇଁ ୨୦୧୪ ମସିହାରୁ ଉଦ୍ୟମ କରି ଆସୁଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବର୍ତମାନ ଭାରତରେ ୭ଟି କାର୍ଯ୍ୟକ୍ଷମ ଏଲଏନଜି ଟର୍ମିନାଲ ରହିଛି, ଯାହାର କାର୍ଯ୍ୟକ୍ଷମ ପୁନଃ ଗ୍ୟାସିଫିକେସନ୍ କ୍ଷମତା ପ୍ରାୟ ୪୭.୭ ଏମଏମଟିପିଏ ରହିଛି । ପୂର୍ବ ଉପକୂଳରେ ତାମିଲନାଡୁ ଏନ୍ନୋର ପରେ ଓଡ଼ିଶାର ଧାମରା ଏବଂ ଏବେ ଗୋପାଳପୁରରେ ତୃତୀୟ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ହେବାକୁ ଯାଉଛି।
ଓଡ଼ିଶାକୁ କ'ଣ ମିଳିବ ଲାଭ ?
ମେଗା ଡୁଆଲ ଫିଡ୍ କ୍ରାକର(ଡିଏଫସି) ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପେଟ୍ରୋକେମିକାଲ୍ସର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରି ଏବଂ ଭାରତର ପେଟ୍ରୋକେମିକାଲ୍ସ ଉଦ୍ୟୋଗକୁ ସୁଦୃଢ କରିବ । ଏହି ପ୍ରକଳ୍ପ ପାରାଦୀପ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ନିବେଶ କ୍ଷେତ୍ରର ପ୍ରଗତିକୁ ତ୍ୱରାନ୍ୱିତ କରିବ । ଯାହାଫଳରେ ପୂର୍ବ ଭାରତର କ୍ଷୁଦ୍ର ଉଦ୍ୟୋଗଗୁଡିକ ଫେନଲ, ଆଇସୋପ୍ରୋପାଇଲ, ଆଲକହଲ, PVC, LLDPE, PP, HDPE ଏବଂ ବୁଟାଡାଇନ୍ ଭଳି ବିଶିଷ୍ଟ ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡିକ ସହଜରେ ପାଇ ପାରିବେ। ରାଜସ୍ୱ ବୃଦ୍ଧି ହେବା ସହ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଚଣ୍ଡିଖୋଲ ଠାରେ ୪ ଏମଏମଟି ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ହେଲେ ଦେଶର ଅଶୋଧିତ ତୈଳ ଆବଶ୍ୟକତା ଆଉ ୪ ଦିନ ବୃଦ୍ଧି ପାଇବ।