ଦୀଘା ମନ୍ଦିର ଆଗରୁ `ଜଗନ୍ନାଥ ଧାମ' ଲେଖା ହଟିଥିବା ନେଇ ଏକାଧିକ ଭିଡିଓ ପୋଷ୍ଟ

Key Points
ବିଜେପି ମିଡିଆ ସେଲ ମୁଖ୍ୟଙ୍କ X ପୋଷ୍ଟ ପରେ ଜଗନ୍ନାଥ ଧାମ ବିବାଦରେ ନୂଆ ଟ୍ବିଷ୍ଟ
ଦୀଘା ମନ୍ଦିର ଆଗରୁ `ଜଗନ୍ନାଥ ଧାମ' ଲେଖା ହଟିଥିବା ନେଇ ଏକାଧିକ ଭିଡିଓ ପୋଷ୍ଟ
ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦ ପରେ ଲେଖା ହାଟାଯାଇଥିବା ନେଇ ପୋଷ୍ଟରେ ଦାବି
ତେବେ ଏଯାଏ ପଶ୍ଚିମବଙ୍ଗ ସରକାରଙ୍କୁ ପକ୍ଷରୁ ହୋଇନି ବିଧିବଦ୍ଧ ଘୋଷଣା
`ବେଙ୍ଗଲିଜ୍ ବୟକଟ୍ ପୁରୀ' କ୍ୟାମ୍ପେନ କରି ଓଡ଼ିଆ-ବଙ୍ଗା ଳି ବିଭେଦ ଉଦ୍ୟମ
କ୍ୟାମ୍ପେନକୁ ଉସକାଇବା ପଛରେ ମମତା ସରକାରଙ୍କ ଭୂମିକା ନେଇ ଅଭିଯୋଗ
ମମତାଙ୍କୁ ଜଗନ୍ନାଥ ବିରୋଧୀ କହି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଜବାବ
ଦୀଘା ଜଗନ୍ନାଥ ଧାମ ବିବାଦ ତେଜୁଥିବା ବେଳ ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବୀୟଙ୍କ ଏକ୍ସ ପୋଷ୍ଟ ଆଣିଛି ନୂଆ ଟ୍ବିଷ୍ଟ। ଅମିତ ମାଲବୀୟ ପୋଷ୍ଟ ଭିଡିଓ ପୋଷ୍ଟ କରିଥିବା ଭିଡିଓରେ ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖ ରାସ୍ତା କଡ଼ରେ ଥିବା ଜଗନ୍ନାଥ ଧାମ ଲେଖା ଆଉ ନାହିଁ। ଜଗନ୍ନାଥ ଭକ୍ତଙ୍କ ତୀବ୍ର ବିରୋଧ ପରେ ପଶ୍ଚିମବଙ୍ଗ ସରକାର ଏହାକୁ ହଟାଇବାକୁ ବାଧ୍ୟ ହୋଇଥିବା ଲେଖିଛନ୍ତି ଅମିତ ମାଲବୀୟ। ମମତା ବାନାର୍ଜୀଙ୍କ ବିଭାଜନକାରୀ ଏଜେଣ୍ଡା ଆଗରେ ଏହା ହିନ୍ଦୁ ଏକତାର ଏକ ବଡ଼ ବିଜୟ ବୋଲି ସେ ନିଜ X ପୋଷ୍ଟରେ ଲେଖିଛନ୍ତି। ପଶ୍ଚିମବଙ୍ଗ ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ମଧ୍ୟ ସମାନ ଭିଡିଓ ସହ ସମାନ କଥା ପୋଷ୍ଟ କରିଛନ୍ତି। ତେବେ ଏନେଇ ପଶ୍ଚିମ ବଙ୍ଗ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ଏପରିକି ଜଗନ୍ନାଥ ଧାମ ନାଁରେ ଥିବା ୱେବସାଇଟ୍ ଏବେ ବି ଆକ୍ଟିଭ ଅଛି। ଏଥିସହ ଏହି ପ୍ରସଙ୍ଗରେ ଏବେ ବି ମମତା ବାନାର୍ଜୀ ନିଜ ଆଭିମୁଖ୍ୟରେ କାଏମ ଅଛନ୍ତି।
ହିନ୍ଦୁ ବିରୋଧୀ ଓ ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ କହି ମମତା ବାନାର୍ଜୀଙ୍କୁ ଆଟାକ୍ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି ଲାଗି ଚେଷ୍ଟା କରୁଛ କି ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ସୁରେଶ।ପୁରୀରେ ଜଗନ୍ନାଥ ଧାମ୍, ଦୀଘାରେ ଜଗନ୍ନାଥ ମନ୍ଦିର- ପରସ୍ପରର ପରିପୂରକ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଦୀଘା ଜଗନ୍ନାଥ ଧାମ ଲେଖି ବିବାଦ କଲେ, ଏବେ ବିବାଦକୁ ଓଡ଼ିଶା ଓ ବେଙ୍ଗଲ ବିବାଦ ଆଡକୁ ନେବା ପାଇଁ ଅପଚେଷ୍ଟା କରାଯାଉଥିବା ଅଭିଯୋଗ । କାରଣ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ବେଙ୍ଗଲିଜ୍ ବୟକଟ୍ ପୁରୀ କ୍ୟାମ୍ପେନ। ଏହି କ୍ୟାମ୍ପେନ୍ ଜରିଆରେ ଓଡ଼ିଆ ଓ ବଙ୍ଗାଳିଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ସାଂଘାତିକ ଷଡଯନ୍ତ୍ର ରଚିଛନ୍ତି କି ମମତା ସରକାର ? ବଙ୍ଗାଳିମାନେ ବି ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ। ସେମାନେ ବି ଏକମତ ଜଗନ୍ନାଥ ଧାମ ଗୋଟିଏ, ତାହାହେଲା ପୁରୀ, ଦୀଘା ଜଗନ୍ନାଥ ମନ୍ଦିର, ଧାମ ନୁହେଁ । ଏବେ ପ୍ରଶ୍ନ ଉଠୁଛି କି ଦୀଘାରେ ଜଗନ୍ନାଥ ଧାମ ଘୋଷଣା କରି ସନାତନୀ ସମାଜରେ ବିଭେଦ ସୃଷ୍ଟି ପାଇଁ ହୋଇଛି କି ଷଡଯନ୍ତ୍ର ?
ମହାପ୍ରଭୁ ଜଗନ୍ନାଥ ସବୁ ସନାତନୀ ସବୁ ଓଡ଼ିଆ, ସବୁ ବେଙ୍ଗଲୀଙ୍କ ଆରାଧ୍ୟ । ଚୈତନ୍ୟ କେଉଁଠାରୁ ଆସି ପ୍ରଭୁ ଜଗନ୍ନାଥଙ୍କ ପ୍ରଚାରକ ସାଜିଥିଲେ ସେ ପ୍ରସଙ୍ଗ ବିତର୍କଠାରୁ ବହୁ ଉପରେ। ସନାତନୀଙ୍କ ମଧ୍ୟରେ ବିଶ୍ବାସ ବଢୁ ଏହାକୁ ସହୁପାରିନାହାନ୍ତି କି ଭାରତ ବିରୋଧୀ ?ସମସ୍ତେ ଜାଣିଛନ୍ତି ମମତା ବାନାର୍ଜୀ କରୁଛନ୍ତି ସଂଖ୍ୟାଲଘୁ ତୁଷ୍ଟିକରଣ ରାଜନୀତି । ତେଣୁ ହଜାର ହଜାର ବର୍ଷର ସନାତନୀ ପରମ୍ପରାକୁ ଅପମାନିତ କରିବା ପାଇଁ ବଡ଼ ଚକ୍ରାନ୍ତ କରିଛନ୍ତି କି ମମତା ?
ଆମ ଶାସ୍ତ୍ର କହୁଛି - ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚି ଅବନ୍ତିକା ପୁରୀ, ଦ୍ଵାରାବତୀ ଚୈବ ସପ୍ତୈତେ ମୋକ୍ଷ ଦାୟକାଃ"। ସକ, ହୁନ୍, ତାତାର, ମୋଗଲ ଆଉ ତାପରେ ଇଂରେଜ। ଶାସନ ଯାହାର ହେଉନା କାହିଁକି, ପୁରୀ କାଳ କାଳ ଧରି ରହିଆସିଛି ମୋକ୍ଷ ଧାମ। ତେଣୁ ସନାତନୀ ସମାଜର ବିଭେଦ ସୃଷ୍ଟି ପାଇଁ ମମତାଙ୍କ ଷଡଯନ୍ତ୍ରରେ ପ୍ରଭାବିତ ହେବନାହିଁ ମହାପ୍ରଭୁଙ୍କ ବଙ୍ଗାଳି ଭକ୍ତ।

