Small Girl Child Rescued After Six Month / ସବୁ ସେଇ ଲୀଳାମୟଙ୍କ ଇଚ୍ଛା, ରଖେ ହରି ତ ମାରେ କିଏ ?

Key Points
ଜଣେ ଅଜଣା ମହିଳା ତାକୁ ରାସ୍ତାରେ ଏକା ପାଇ ସେଇ ଆଶ୍ରମରେ ଛାଡ଼ିଥିଲେ ।
କଥାରେ ଅଛି, 'ରଖେ ହରି ତ ମାରେ କିଏ' । ଯଦି ସ୍ୱୟଂ ଭଗବାନ କାହାକୁ ସୁରକ୍ଷା ଦେବାକୁ ଚାହିଁବେ, ତେବେ ବିଶ୍ୱର କୌଣସି ବି ଶକ୍ତି ତାର କ୍ଷତି କରିପାରିବ ନାହିଁ । ଠିକ୍ ଏମିତି ଏକ କହାଣୀ ଆଜି ଆମ ପାଖରେ ପହଞ୍ଚିଛି । ଜଣେ କୁନି ଝିଅ ରେଳ ଷ୍ଟେସନ୍ରୁ ହଜିଗଲା । ତାର ପରିବାର ଲୋକେ ଅନେକ ଖୋଜା ଖୋଜି କଲେ । କିନ୍ତୁ ପାଇନଥିଲେ । ପ୍ରାୟ ୬ ମାସ ପରେ କୁନି ଝିଅଟି ଉଭା ହେଲା ! ଏବେ ସେ ପରିବାର ଲୋକଙ୍କ ସହ ଖୁସିରେ ଅଛି ।
କାହାଣୀଟି ଆପଣଙ୍କୁ ରୋମାଞ୍ଚକ ଲାଗୁଥିଲେ ବି ସତ । ହଜି ଯାଇଥିବା ସେଇ କୁନି ଝିଅଟିର ବୟସ ବି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତାକୁ ମାତ୍ର ୪ ବର୍ଷ । ସେ ଦୁନିଆ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ । ଏମିତିକି ସେ ନିଜ ନାଁ ବି କହିପାରୁନି । ଘରୁ ଏକା କେବେ କୁଆଡ଼େ ଯାଇନି । ସେଦିନ ବି ସେ ବାପା-ମା'ଙ୍କ ସହ ଯାଇଥିଲା ବାହାରକୁ । ତାରିଖ ଥିଲା ୨୩ ମେ' ୨୦୨୫ । ବାପା-ମା' ଟ୍ରେନ୍କୁ ଅପେକ୍ଷା କରି ଥକି ଯାଇଥିଲେ । ମୁମ୍ବାଇର CSMT ଷ୍ଟେସନ୍ରେ ହିଁ ସେମାନଙ୍କର ଆଖି ଲାଗିଯାଇଥିଲା । ଏହାର ସୁଯୋଗ ନେଇ କେହି ଜଣେ ଦୁର୍ବୃତ୍ତ କୁନି ଝିଅଟିକୁ ଅପହରଣ କରିନେଇଥିଲା ।
ବାପା-ମାଆଙ୍କ ନିଦ ଭାଙ୍ଗିଲା ବେଳକୁ... ଝିଅ ନାହିଁ । ଚାରିଆଡ଼େ ଖୋଜା ଖୋଜି କଲେ । ଥାନାରେ ବି ଅଭିଯୋଗ କଲେ । ସେଠାରେ ଉପସ୍ଥିତ ଥିବା ପ୍ରାୟ ସବୁ ଲୋକଙ୍କୁ କାନ୍ଦି କାନ୍ଦି ସେମାନେ ଝିଅ ବିଷୟରେ ପଚାରିଥିଲେ । ହେଲେ ସମସ୍ତଙ୍କର ସେଇ ସମାନ ଉତ୍ତର ଥିଲା । 'ଆମେ ଜାଣିନୁ... ଆମେ ଦେଖିନୁ' । ଲୋକଙ୍କ କଥା ବି ସତ । ଏତେ ଗହଳିରେ କିଏ କୁଆଡ଼େ କାହାକୁ ନେଲା, ତାହା ଠଉରେଇବା ଭାରି ମୁସ୍କିଲ ।
ରେଲଓ୍ୱେ ପୋଲିସ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ କୁନି ଝିଅକୁ ଖୋଜା ଖୋଜି କରିଥିଲେ । ଷ୍ଟେସନ୍ ଚାରିପଟେ ଲାଗିଥିବା ଶହ ଶହ CCTV ଫୁଟେଜ୍କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ଗୋଟିଏ କି ଦୁଇଟି ନୁହେଁ, ୭ଟି ରାଜ୍ୟର CCTV ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଶେଷରେ ଜଣାପଡ଼ିଥିଲା କିଏ ନେଇଥିଲା କୁନି ଝିଅକୁ । ଜଣେ ୨୫ ବର୍ଷ ଯୁବକ କୁନି ଝିଅକୁ ଧରି ଷ୍ଟେସନରୁ ବାହାରିବା ଦେଖାଯାଇଛି । ତାପରେ ଲୋକାଲ ଟ୍ରେନରେ ଚଢ଼ୁଥିବା ବି ଦେଖାଯାଇଥିଲା । ପୋଲିସ ସନ୍ଦେହ କରିଥିଲା, ଯୁବକ ଜଣକ କୁନି ଝିଅକୁ ନେଇ ବାରାଣାସୀ ଯାଇଥିବ । ତେଣୁ ପୋଲିସ ବାରାଣାସୀ ମଧ୍ୟ ଯାଇଥିଲା, ଝିଅକୁ ଖୋଜିବାକୁ । ଥରେ ନୁହେଁ ବାରମ୍ବାର ଯାଇଥିଲା । ହେଲେ ଆରମ୍ଭରୁ ବିଫଳ ହେଲା ପୋଲିସ । ଶେଷରେ ଜଣାପଡ଼ିଲା, ଝିଅଟି ଏକ ଆଶ୍ରମରେ ରହୁଥିଲା । ଜଣେ ଅଜଣା ମହିଳା ତାକୁ ରାସ୍ତାରେ ଏକା ପାଇ ସେଇ ଆଶ୍ରମରେ ଛାଡ଼ିଥିଲେ ।
ରେଲଓ୍ୱେ ପୋଲିସର କହିବାନୁସାରେ ସ୍ଥାନୀୟ ପୋଲିସ ଓ କିଛି ସାମ୍ବାଦିକ ବନ୍ଧୁଙ୍କ ଜରିଆରେ କୁନି ଝିଅଟିର ସୂଚନା ମିଳିଥିଲା । କେହି ଜଣେ ମହିଳା ଝିଅଟିକୁ ନେଇ ଆଶ୍ରମରେ ଛାଡ଼ିଥିଲେ । ଝିଅଟି ନିଜ ନାଁ ବି କହିପାରୁ ନଥିଲା । ତେଣୁ ସେଠି ତା ନାଁ କାଶୀ ରଖାଯାଇଥିଲା । ପୋଲିସ ଖବର ପାଇଁ ସେଠାରେ ପହଞ୍ଚିଥିଲା, ଆଉ ଝିଅକୁ ସୁରକ୍ଷିତ ଉଦ୍ଧାର କରି ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।
ଏଇ ହଜିବା ଆଉ ଖୋଜି ପାଇବା ମଧ୍ୟରେ ପ୍ରାୟ ୬ ମାସ ବିତିଯାଇଛି । ମେ' ୨୩ରୁ ହଜିଥିବା ଝିଅ, ନଭେମ୍ବର ୨୨ରେ ଉଦ୍ଧାର ହୋଇଛି । ତେବେ କିଏ ଅପହରଣ କରିଥିଲା, ଯେଉଁ ମହିଳା ତାଙ୍କୁ ରାସ୍ତାରୁ ପାଇ ଆଶ୍ରମରେ ଛାଡ଼ିଥିଲେ ସେ କିଏ ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ମନକୁ ଆସୁଥିଲେ ବି ତା'ର ଉତ୍ତର ଏଯାଏଁ ମିଳିନାହିଁ । ସିସିଟିଭିରେ ଦେଖାଯାଉଥିବା ଯୁବକକୁ ଧରିବା ପାଇଁ ପୋଲିସ ଲଗାତାର ତଦନ୍ତ ଚଳାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ସିସିଟିଭି ମଧ୍ୟ ଯାଞ୍ଚ କରୁଛି ।
📱 Get Argus News App
✨Related Topics
Explore more stories