Mumbai monorail: ମୁମ୍ବାଇ ବର୍ଷା ଯୋଗୁଁ ଭାରି ଭିଡ଼, ଟ୍ରାକ୍ରେ ଅଟକିଲା ମୋନୋରେଳ

Key Points
ମୈସୁର କଲୋନୀ ରେଲୱେ ଷ୍ଟେସନ ନିକଟରେ ଏକ ମୋନୋରେଳ ଏଲିଭେଟେଡ୍ ଟ୍ରାକରେ ଅଟକି ରହିଛି । ଟ୍ରେନରେ ଥିବା ୫୦୦ରୁ ଅଧିକ ଯାତ୍ରୀଙ୍କୁ ଝରକା ଭାଙ୍ଗି କ୍ରେନ୍ ସାହାଯ୍ୟରେ ବାହାରକୁ ବାହାର କରାଯାଇଛି ।
ମୁମ୍ବାଇ: ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି । ମଙ୍ଗଳବାର ମୁମ୍ବାଇର ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ସ୍ଥାନ ଜଳମଗ୍ନ ହୋଇ ପଡ଼ିବା ଫଳରେ ରେଳ, ବସ ଏବଂ ବିମାନ ସେବା ଅନେକାଂଶରେ ପ୍ରଭାବିତ ହୋଇଛି ।
ମୋନୋରେଳ ସର୍ଭିସ୍ ଉପରେ ବି ପଡ଼ିଛି ବର୍ଷାର ପ୍ରଭାବ । ମୈସୁର କଲୋନୀ ରେଲୱେ ଷ୍ଟେସନ ନିକଟରେ ଏକ ମୋନୋରେଳ ଏଲିଭେଟେଡ୍ ଟ୍ରାକରେ ଅଟକି ରହିଛି । ଟ୍ରେନରେ ଥିବା ୫୦୦ରୁ ଅଧିକ ଯାତ୍ରୀଙ୍କୁ ଝରକା ଭାଙ୍ଗି କ୍ରେନ୍ ସାହାଯ୍ୟରେ ବାହାରକୁ ବାହାର କରାଯାଇଛି । MMRDA କହିଛି, ଅତ୍ୟଧିକ ଭିଡ଼ ଯୋଗୁଁ ଏଭଳି ଅଘଟଣ ଘଟିଛି ।
ଏହାଛଡ଼ା ପ୍ରବଳ ବର୍ଷା ପାଇଁ କେନ୍ଦ୍ରୀୟ ରେଲୱେ ୧୪ ଯୋଡ଼ା ଟ୍ରେନ୍ ବାତିଲ୍ କରି ଦେଇଛି । ୨୫୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିବା ବେଳେ ପ୍ରଭାବିତ ହୋଇଛି ଲୋକାଲ୍ ଟ୍ରେନ୍ । ବିଗତ ୨ ଦିନ ମହାରାଷ୍ଟ୍ରରେ ବର୍ଷାରେ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଆଗାମୀ ୪୮ ଘଣ୍ଟା ପାଇଁ ମୁମ୍ବାଇ, ଥାନେ, ରାୟଗଡ଼, ରତ୍ନାଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲାକୁ ରେଡ୍ ଆଲର୍ଟ ରହିଛି ।
📱 Get Argus News App
✨
ପ୍ରବଳ ବର୍ଷା ପାଇଁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବା ବେଳେ NDRF ଓ SDRF ସମେତ ଅନ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ଆଲର୍ଟରେ ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୋନୋରେଳରୁ ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କଥା ହୋଇଛନ୍ତି । ଏଥିସହ ଏଭଳି ଅଘଟଣର ପୁନରାବୃତ୍ତି ଯେ ଭଳି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।