Sleep Champion / ନିଦରେ ବି ହୋଇପାରିବେ ଲକ୍ଷପତି, Wakefitର ସ୍ଲିପ୍ ଇଣ୍ଟର୍ନସିପ୍ରେ ଜିନିଆ ଚାମ୍ପିଅନ୍

Key Points
୬୦ ଦିନର ନିଦ ପରୀକ୍ଷା, ମିଳିଲା ୯.୬ ଲକ୍ଷର ପୁରସ୍କାର
ନିଦରେ ବି ହୋଇପାରିବେ ଲକ୍ଷପତି, Wakefitର ସ୍ଲିପ୍ ଇଣ୍ଟର୍ନସିପ୍ରେ ଜିନିଆ ଚାମ୍ପିଅନ୍
୨ ଲକ୍ଷ ଆବେଦନକାରୀଙ୍କୁ ପଛରେ ପକାଇ ଶୋଇ ଶୋଇ ଜିତିଲେ ୯.୬ ଲକ୍ଷ
ଭଲ ନିଦ କେବଳ ଥକାପଣ ଦୂର କରେ ନାହିଁ, ବରଂ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଜିତାଇପାରେ । ଏହାକୁ ସତ କରି ଦେଖାଇଛନ୍ତି ମୁମ୍ବାଇର ଜିନିଆ ଚାଟାର୍ଜୀ । Wakefit ପକ୍ଷରୁ ଆୟୋଜିତ ‘ସ୍ଲିପ୍ ଇଣ୍ଟର୍ନସିପ୍’ର ପଞ୍ଚମ ସିଜନ୍ରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ବିଜୟ ସହ ସେ ୯.୬ ଲକ୍ଷ ଟଙ୍କା ପୁରସ୍କାର ସହିତ ଏକ ସ୍ପନ୍ସର୍ଡ ଟ୍ରିପ୍ ମଧ୍ୟ ଜିତିଛନ୍ତି ।
ଏହି ଇଣ୍ଟର୍ନସିପ୍ ଦୁଇ ମାସ ଅର୍ଥାତ୍ ୬୦ ଦିନ ଧରି ଚାଲିଥିଲା । ଏଥିରେ ସାରା ଦେଶରୁ ୧୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏଥିପାଇଁ ୨ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିଲେ ।
ପ୍ରତିଯୋଗିତାର ନିୟମ ଥିଲା ବେଶ୍ ସରଳ। ପ୍ରତିଯୋଗୀମାନଙ୍କୁ ଠିକ୍ ସମୟରେ ଶୋଇବା, ଉଠିବା ଏବଂ ପର୍ଯ୍ୟାପ୍ତ ନିଦ ନେବାକୁ ପଡ଼ୁଥିଲା । ଏହା ସହ ପ୍ରତି ସପ୍ତାହରେ ଦିଆଯାଉଥିବା ମଜାଦାର ଟାସ୍କ ମଧ୍ୟ ପୂରଣ କରିବାକୁ ହେଉଥିଲା । ଏହି ସବୁ ଆଧାରରେ ପ୍ରତିଯୋଗୀଙ୍କ ରାଙ୍କିଂ ସ୍ଥିର ହେଉଥିଲା ।
କେବଳ ଶୋଇବା ନୁହେଁ, ଏହି ଇଣ୍ଟର୍ନସିପ୍ରେ ଅନେକ ମଜାଦାର ଚ୍ୟାଲେଞ୍ଜ ମଧ୍ୟ ରହିଥିଲା । ‘ସ୍ଲିପ୍ ସିନେମା’ ଟାସ୍କରେ ପ୍ରତିଯୋଗୀମାନଙ୍କୁ ପ୍ରସିଦ୍ଧ ଚଳଚ୍ଚିତ୍ରର ଦୃଶ୍ୟକୁ ନିଦ ସହ ଯୋଡ଼ି ପୁନର୍ବାର ଅଭିନୟ କରିବାକୁ ପଡ଼ୁଥିଲା । ସେହିପରି ‘ସ୍ଲିପ୍ ବିଙ୍ଗୋ’ରେ ନିଜର ଏକ ସପ୍ତାହର ଶୋଇବା ଅଭ୍ୟାସକୁ ସମୀକ୍ଷା କରିବାକୁ ହେଉଥିଲା ।
ଅନ୍ୟ ଏକ ମଜାଦାର ଟାସ୍କ ଥିଲା ‘ଅଣ୍ଡରକଭର ସ୍ଲିପ୍ ମିଶନ୍’ । ଏଥିରେ ପ୍ରତିଯୋଗୀମାନଙ୍କୁ କଥାବାର୍ତ୍ତା ସମୟରେ ‘ବ୍ଲାଙ୍କେଟ୍’ କିମ୍ବା ‘ପିଲୋ’ ଶବ୍ଦକୁ ୧୦ ଥର ବ୍ୟବହାର କରିବାକୁ ପଡ଼ୁଥିଲା । ହେଲେ ସାମ୍ନାରେ ଥିବା ବ୍ୟକ୍ତି ଯେପରି ଏହା ଜାଣିପାରିବେ ନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ ହେଉଥିଲା । ପ୍ରତି ସପ୍ତାହରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପ୍ରତିଯୋଗୀଙ୍କୁ ‘ପ୍ରୋ ସ୍ଲିପର ଅଫ୍ ଦି ୱିକ୍’ ଆଖ୍ୟା ଦିଆଯାଉଥିଲା ।
ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ରତ୍ନଗିରିର ମଣିକନ୍ଦନ, ଜିନିଆ ଚାଟାର୍ଜୀ ଏବଂ ମେହେକ ଖୋତ୍ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଏହା ବ୍ୟତୀତ ହାଇଦ୍ରାବାଦର କରିମ୍ ଖାନ୍ଙ୍କୁ ୱାଇଲ୍ଡ କାର୍ଡ ଜରିଆରେ ପୁଣିଥରେ ପ୍ରତିଯୋଗିତାକୁ ଫେରିବାର ସୁଯୋଗ ମିଳିଥିଲା । ସାପ୍ତାହିକ ସୃଜନଶୀଳ ଟାସ୍କରେ ସର୍ବାଧିକ ବିଜୟ ହାସଲ କରି ସେ ଏହି ସୁଯୋଗ ପାଇଥିଲେ । ଏହାପରେ ଚାରି ଜଣ ଫାଇନାଲିଷ୍ଟ ‘ବିଗ୍ ବେଡ୍’ ନାମକ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ ।
ଫିନାଲେରେ ‘ମେମୋରି ଫୋମ୍ ଚ୍ୟାଲେଞ୍ଜ’ ନାମକ ଏକ ଟାସ୍କ ରହିଥିଲା । ଏଥିରେ ପ୍ରତିଯୋଗୀମାନଙ୍କୁ କିଛି ଫଟୋ ଦେଖାଯାଇଥିଲା । ପରେ ସେହି ଫଟୋକୁ ଦେଖି ସମାନ ଢାଞ୍ଚାରେ ଏକ ବେଡ୍ରୁମ୍ ପ୍ରସ୍ତୁତ କରିବାକୁ ପଡ଼ିଥିଲା । ଏହାଦ୍ୱାରା ସେମାନଙ୍କ ସ୍ମରଣଶକ୍ତି, ନିରୀକ୍ଷଣ କ୍ଷମତା ଏବଂ ଦଳଗତ କାର୍ଯ୍ୟଦକ୍ଷତା ପରୀକ୍ଷା କରାଯାଇଥିଲା ।
ଏହାପରେ ଆୟୋଜିତ ହୋଇଥିଲା ‘ସ୍ଲିପ୍ ଅକ୍ସନ୍’ । ଏଥିରେ ପ୍ରତିଯୋଗୀମାନେ ଶୋଇବା ପାଇଁ ଆବଶ୍ୟକ ସାମଗ୍ରୀ ଯେପରିକି ତକିଆ, କମ୍ବଳ, ଏସି ରିମୋଟ୍, ଲାଇଟ୍ ଏବଂ ଶବ୍ଦ ନିୟନ୍ତ୍ରଣ ସାମଗ୍ରୀ ହାସଲ କରିବା ପାଇଁ ନିଲାମରେ ଭାଗ ନେଇଥିଲେ । ଏହି ସମୟରେ ଶୋ'ର ହୋଷ୍ଟ୍ ତଥା ଇନ୍ଫ୍ଲୁଏନ୍ସର ଅନୁଜ ଗୁପ୍ତା ରାପ୍ ଶୈଳୀରେ ଏକ ଲୋରି ମଧ୍ୟ ଗାଇଥିଲେ ।
ଶେଷ ରାତିରେ ଚାରି ଜଣ ଫାଇନାଲିଷ୍ଟ ନିଜ ନିଜର ନିଦର ସ୍କୋର ରେକର୍ଡ କରିଥିଲେ । ଏହି ସ୍କୋର ହିଁ ବିଜେତା ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ସମସ୍ତଙ୍କ ସ୍କୋର ତୁଳନା କରିବା ପରେ ଜିନିଆ ଚାଟାର୍ଜୀଙ୍କୁ ବିଜେତା ଘୋଷଣା କରାଯାଇଥିଲା । ପୁରସ୍କାର ସ୍ୱରୂପ ତାଙ୍କୁ ୯.୬ ଲକ୍ଷ ଟଙ୍କା ସହ ଏକ ସ୍ପନ୍ସର୍ଡ ଛୁଟି କାଟିବାର ସୁଯୋଗ ମିଳିଛି ।
ସୂଚନାଯୋଗ୍ୟ, Wakefit ପକ୍ଷରୁ ୨୦୧୯ ମସିହାରେ ଏହି ସ୍ଲିପ୍ ଇଣ୍ଟର୍ନସିପ୍ ଆରମ୍ଭ କରାଯାଇଥିଲା । କମ୍ପାନୀ ଅନୁଯାୟୀ, ପ୍ରଥମ ଚାରିଟି ସିଜନ୍ରେ ୧୦ ଲକ୍ଷରୁ ଅଧିକ ଆବେଦନ ମିଳିଥିଲା । ଏହି ସମୟରେ ମୋଟ ୬୫ ଜଣ ଇଣ୍ଟର୍ନଙ୍କୁ ଚୟନ କରାଯାଇଥିଲା ଏବଂ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଷ୍ଟାଇପେଣ୍ଡ୍ ପ୍ରଦାନ କରାଯାଇଥିଲା ।
📱 Get Argus News App
✨Related Topics
Explore more stories