Narendra Modi / ଆପଣ ବି ପାଇପାରିବେ ସରକାରଙ୍କ କ୍ରେଡିଟ୍ କାର୍ଡ, ଜାଣନ୍ତୁ କେମିତି ?

Key Points
ସାଇବର ଫ୍ରଡ୍ । ଅନ୍ଲାଇନ୍ ଲୋନ୍ । କ୍ରେଡିଟ୍ କାର୍ଡ ଠକେଇ । ଇଏମଆଇ ଠକେଇ । ହିଡେନ୍ ଚାର୍ଜେସ୍ । ସର୍ଭିସ ଚାର୍ଜେସ୍ । ପ୍ରୋସେସିଂ ଫି'। ଚୋରି । ଲୁଟ୍ । ଏମିତି କେତେ କ'ଣ ଶବ୍ଦ ଏବେ ସାଧାରଣ ଲୋକେ ଘୋସି ସାରିଲେଣି । କାରଣ ଡିଜିଟିଲା ଯୁଗରେ ଏଇ ସବୁ ଶବ୍ଦ ଅତି ଜରୁରି ହୋଇପଡ଼ିଛି । ଅତି ସହଜରେ ବିଭିନ୍ନ ଘରୋଇ ସଂସ୍ଥା ଲୋନ୍ ଦେଉଛନ୍ତି, ପୁଣି ମୋଟା ଅଙ୍କର ସୁଧ ବି ନେଉଛନ୍ତି ।
କ୍ରେଡିଟ୍ କାର୍ଡ କମ୍ପାନୀ ବି ଧରାଇ ଦେଉଛନ୍ତି ଗୋଟିଏ ଗୋଟିଏ କାର୍ଡ । ଯାହାଫଳରେ ଲୋକଙ୍କର ବାକି ଖାଇବା ଅଭ୍ୟାସ ହୋଇସାରିଲାଣି । ଅର୍ଥାତ୍ ଟଙ୍କା ଥାଉ କି ନଥାଉ ସେମାନେ ଜିନିଷ କିଣିବାକୁ ପଛାଉ ନାହାନ୍ତି । ଏହାର ସବୁଠାରୁ ବଡ଼ କାରଣ ହେଲା, କ୍ରେଡିଟ୍ କାର୍ଡ ଜରିଆରେ EMIରେ ଜିନିଷ କିଣା ଅତି ସହଜ ହେଉଛି ।
ହେଲେ ଏହାରି ଭିତରେ ସବୁଠାରୁ ବଡ଼ ଖବର ହେଲା କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି’ (PM SVANidhi) ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। କେରଳର ତିରୁବନନ୍ତପୁରମଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଋଣ ଏବଂ କ୍ରେଡିଟ୍ କାର୍ଡ ବଣ୍ଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଉଠାଦୋକାନୀଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ଋଣ ସହାୟତା ଓ କ୍ରେଡିଟ୍ କାର୍ଡ ବଣ୍ଟନ କରିଛନ୍ତି। କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇଥିବା ରାସ୍ତାକଡ଼ର କ୍ଷୁଦ୍ର ବେପାରୀ, ପନିପରିବା ଓ ଫଳ ବିକ୍ରେତାଙ୍କୁ ଆତ୍ମନିର୍ଭର କରିବା ପାଇଁ ୧ ଜୁନ୍ ୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଅବଧିକୁ ସରକାର ଏବେ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯେଉଁ ବେପାରୀମାନେ ପୂର୍ବରୁ ଦ୍ୱିତୀୟ କିସ୍ତି ଋଣ ପରିଶୋଧ କରିସାରିଛନ୍ତି, ସେମାନେ ଏହି କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିପାରିବେ।
ଏହି ଯୋଜନାରେ ଆବେଦନ ପ୍ରକ୍ରିୟା ଅତ୍ୟନ୍ତ ସହଜ। ଆବେଦନକାରୀମାନେ ଅନଲାଇନ୍ ମାଧ୍ୟମରେ pmsvanidhi.mohua.gov.in ୱେବସାଇଟ୍କୁ ଯାଇ କିମ୍ବା ଅଫଲାଇନ୍ରେ ନିକଟସ୍ଥ ବ୍ୟାଙ୍କ ଶାଖା, ପୌରପାଳିକା କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ର (CSC) ସହିତ ଯୋଗାଯୋଗ କରିପାରିବେ। ଆବେଦନ କରିବାର ମାତ୍ର ୩୦ ଦିନ ମଧ୍ୟରେ ଋଣ ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।
ଅଧିକ ସୂଚନା ପାଇଁ ସରକାରଙ୍କ ଟୋଲ୍ ଫ୍ରି ନମ୍ବର 1800-111-979 ରେ ସୋମବାରରୁ ଶନିବାର ସକାଳ ୯:୩୦ରୁ ସନ୍ଧ୍ୟା ୬:୦୦ ମଧ୍ୟରେ ଯୋଗାଯୋଗ କରାଯାଇପାରିବ।
📱 Get Argus News App
✨Related Topics
Explore more stories