Good Governance Day / ଆଜି ଦେଶ ପାଳୁଛି ସୁଶାସନ ଦିବସ

Key Points
ଜନ୍ମ ଶତ ବାର୍ଷିକୀରେ ପୁରା ଦେଶ ପାଳୁଛି ସୁଶାସନ ଦିବସ ।
ଲକ୍ଷ୍ନୌରେ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।
ଆଜି ଦେଶ ପାଳୁଛି ସୁଶାସନ ଦିବସ । ମହାନ କାଳଜୟୀ କବି, ଓଜସ୍ୱୀନି ବକ୍ତା, ଅଜୟ ରାଜନେତା, ସର୍ବୋପରି ଭାରତର ସଫଳ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ। ତାଙ୍କରି ଜୟନ୍ତୀକୁ ଦେଶ ପାଳୁଛି ସୁଶାସନ ଦିବସ ଭାବେ। ୟୁପିରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ମୋଦି ସାମିଲ ହେବାକୁ ଥିବା ବେଳେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଶାସନ ଦିବସରେ ହେବେ ସାମିଲ।
ଅଟଳ ବିହାରୀ ବାଜପେୟୀ । ଭାରତୀୟ ରାଜନୀତିର କାଳଜୟୀ ଅଜାତଶତ୍ରୁ। ସାଇନିଂ ଇଣ୍ଡିଆର ସ୍ରଷ୍ଟା, ଦକ୍ଷ ସୁଦୃଢ ପ୍ରଶାସକ ହିନ୍ଦୁସ୍ତାନର ସଫଳ ଓ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ । ଅପରେସନ ଶକ୍ତିର ସେନାପତି । ସ୍ଵର୍ଣ୍ଣଚତୁର୍ଭୁଜର ଶିଳ୍ପୀକାର। ତାଙ୍କର ଦକ୍ଷତା ନେତୃତ୍ଵ ଓ ସୁଶାସନକୁ ମର୍ମେ ମର୍ମେ ଅନୁଭବ କରିଥିଲେ ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ମଧ୍ୟ ପ୍ରଦେଶ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାଜପେୟୀ ।
ପିତା କୃଷ୍ଣବିହାରୀ ବାଜପେୟୀ ଥିଲେ ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ବରର ମୂଳନିବାସୀ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ଗ୍ବାଲିୟରର ଭିକ୍ଟୋରିଆ କଲେଜରୁ ଉଚ୍ଚ ଶିକ୍ଷା ପରେ କାନପୁରରେ ଏଲଏଲବି ପଢିଥିଲେ । ବାଜପେୟୀ ୧୯୯୬ ରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଓ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।
ତାଙ୍କରି କାର୍ଯ୍ୟକାଳ ସମୟରେ ଦେଶ ପାଇଁ ଅନେକ ସଫଳ ଓ ଦୃଢ଼ ନିଷ୍ପତି ନେଇଥିଲେ ବାଜପେୟୀ। ଦେଶ ପ୍ରତି ତାଙ୍କର ଅବଦାନକୁ ସମ୍ମାନ ଜଣାଇ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ୨୦୧୪ ରୁ ତାଙ୍କରି ଜନ୍ମ ଜୟନ୍ତୀକୁ ସୁ-ଶାସନ ଦିବସ ବା (Good Governance Day) ଭାବେ ପାଳନ କରିବାକୁ ଘୋଷଣା କରିଥିଲେ।
ଆଜି ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ପାଳନ ହେଉଛି ସୁଶାସନ ଦିବସ। ଏହି ଅବସରରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପାଲିତ ହେବ ରାଷ୍ଟ୍ରୀୟ ସୁଶାସନ ଦିବସ । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ ବାଜପେୟୀଙ୍କ ସମ୍ମାନାର୍ଥେ ନିର୍ମାଣ ହୋଇଥିବା ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦଘାଟନ କରିବେ ମୋଦି । ରାଷ୍ଟ୍ର ପ୍ରେରଣା ସ୍ଥଳରେ ଶ୍ୟମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟୟ, ଓ ବାଜପେୟୀଙ୍କ ୬୫ ଫୁଟର କାଂସ୍ୟ ପ୍ରତିମୂର୍ତ୍ତୀ ରହିଛି। ଏହାସହ ରାଷ୍ଟ୍ର ପ୍ରେରଣା ସ୍ଥଳରେ ଭାରତର ଜାତୀୟ ଯାତ୍ରା ଓ ନେତୃତ୍ଵ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ପଦ୍ମ ଆକୃତିର ଏକ ସଂଗ୍ରହାଳୟ ରହିଛି। ସେହିପରି ସୁଶାସନ ଦିବସରେ ସମ୍ବଲପୁର ବୁର୍ଲା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସୁଶାସନ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ।
ଏବେ ଆସନ୍ତୁ ନଜର ପକାଇବ ବାଜପେୟୀଙ୍କ ସଂପର୍କରେ କିଛି ସମ୍ୟକ ଝଲକ...
ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସହ ଜଡିତ ହୋଇଥିଲେ ବାଜପେୟୀ...
୧୯୫୫ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଥିଲେ ଅନ୍ୟତମ ।
୧୯୬୮ ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ଥିଲେ ।
୧୯୫୭ ରୁ ୨୦୦୯ ପର୍ଯ୍ୟନ୍ତ ସେ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ
ରାଜ୍ୟସଭାକୁ ୧୯୬୨ ଓ ୧୯୮୬ ରେ ଦୁଇଥର ନିର୍ବାଚିତ ହୋଇଥିଲେ
ସଂସଦରେ ୫୦ ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିଲେ ବାଜପେୟୀ ।
ବାଜପେୟୀଙ୍କ ଆଉ ଏକ ଦକ୍ଷତା ହେଉଛି ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ଭଳି ୪ ଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଥିଲେ
୧୯୫୫ ରେ ପ୍ରଥମଥର ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ।
ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ ଯିଏ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଦେଶକୁ ଗୌରବନ୍ବିତ କରିଥିଲେ ।
୧୯୮୦ ଏପ୍ରିଲ ୬ ରେ ପ୍ରତିଷ୍ଠା ହୋଇଥିବା ବିଜେପିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ବାଜପେୟୀ ।
୧୯୯୮ ମେ’ ୧୩ ରେ ରାଜସ୍ଥାନ ପୋଖରାନଠାରେ ‘ଅପରେସନ ଶକ୍ତି' ଥିଲା ବାଜପେୟୀଙ୍କ ବଡ ସଫଳତା ।
ଭାରତୀୟ ରାଜନୀତିର ଏହି ଧ୍ରୁବ ତାରାଙ୍କ ଦେଶପ୍ରତି ଅବଦାନ ଅତୁଳନୀୟ l ତାଙ୍କ ଦେଶପ୍ରତି ସେବା ସମର୍ପଣ, ନିଷ୍ଠା ଦେଶ ନିର୍ମାଣରେ ଶ୍ରେଷ୍ଠ ଅବଦାନ ପାଇଁ କୃତଜ୍ଞ ରାଷ୍ଟ୍ର ତରଫରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିଛନ୍ତି କେନ୍ଦ୍ର ସରକାର । ଆଜି ଅଟଳ ନାହାଁନ୍ତି ସତ । କିନ୍ତୁ ତାଙ୍କ ପ୍ରେରଣା, ପରାମର୍ଶ, ମାର୍ଗଦର୍ଶନ ଆର୍ଶିବାଦ ସବୁଦିନ ପାଇଁ ଦେଶର ସମ୍ପଦ ହୋଇ ରହିବ । ଆଜି ତାଙ୍କର ୧୦୧ ତମ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସରେ ଏହି ପୁଣ୍ୟାତ୍ମାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
📱 Get Argus News App
✨Related Topics
Explore more stories