World Sports Day: 'ଭିତ୍ତିଭୂମି ବଢିଛି ସତ, ହେଲେ ତ୍ରୁଣମୂଳସ୍ତରୁ ଖେଳାଳିଙ୍କୁ ବାଛିବାକୁ ଆହୁରି ଉଦ୍ୟମ ଜରୁରୀ'

Key Points
ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ
ଆଜି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ
ଭାରତୀୟ ତଥା ବିଶ୍ବ ହକିରେ ଧ୍ୟାନଚାନ୍ଦ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ
ଆଜି ଜାତୀୟ କ୍ରୀଡା ଦିବସ। ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନ। ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି। ଭାରତୀୟ ଖେଳକୁ କିମ୍ବଦନ୍ତୀ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦେଶ୍ୟରେ ଏହି ଦିବସ ପାଳିତ ହେଉଛି। ୧୯୯୫ ମସିହାଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି।
କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ବଳିଷ୍ଠ ଖେଳ ବଳରେ ୧୯୨୮, ୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲା ଭାରତୀୟ ହକି ଟିମ୍ । ୧୯୫୬ ମସିହା ଅଗଷ୍ଟ ୨୯ ତାରିଖରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର । ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ବିପ୍ଳବର ବହ୍ନି ଜାଳିବାକୁ 'ଜାତୀୟ କ୍ରୀଡା ଦିବସ' ଭାବେ ପାଳନ କରାଯାଇଥାଏ । ବର୍ତମାନ ପରିସ୍ଥିତିରେ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢୁଛି ଦେଶ । ଏକଦା ଅଲମ୍ପିକରେ ମେଡାଲ ଜିତିବାକୁ ସଂଘର୍ଷ କରୁଥିବା ଭାରତ ଏବେ ଜିତୁଛି ଏକାଧିକ ମେଡାଲ । କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ ସ୍କିମ ଦ୍ୱାରା ଲାଭବାନ ହେଉଛନ୍ତି କ୍ରୀଡ଼ାବିତ ।
ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଏବେବି ଭାରତର ଅବଦାନ ରହିଛି । ତେବେ ମେଡାଲ ସଂଖ୍ୟା କିପରି ଆଗକୁ ବଢିବ ସେଥିପ୍ରତି କେନ୍ଦ୍ର ସରକାର ମଧ୍ୟ ଯତ୍ନବାନ । ଯଦି ରାଜ୍ୟ କଥା ଦେଖିବା ତେବେ କ୍ରୀଡା ଭିତ୍ତିଭୂମି ବଢିଛି ସତ କିନ୍ତୁ ତ୍ରୁଣମୂଳସ୍ତରୁ ଖେଳାଳିଙ୍କୁ ବାଛିବା ପାଇଁ ଉଦ୍ୟମ କରିବାକୁ ପଡିବ ବୋଲି କହିଛନ୍ତି ବରିଷ୍ଠ କ୍ରୀଡା ସାମ୍ବାଦିକ ।
ଆଜିର ଦିନରେ ଯୁବପୀଢିଙ୍କ ମଧ୍ୟରେ ସ୍ପୋର୍ଟସମ୍ୟାନ ସ୍ପିରିଟ୍ ବଢ଼ାଇବା ଜରୁରୀ ହୋଇପଡ଼ିଛି । ତେବେ ତୃଣମୂଳ ସ୍ତରରେ କ୍ରିଡ଼ାବୀତ ସୃଷ୍ଟି କରିବା ସହ କ୍ରିଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିଛି ।