Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମା'ଙ୍କ ଦର୍ଶନ ପାଇଁ ଯାଉଥିବା ୩୩ରୁ ଅଧିକ ଶ୍ରଦ୍ଧାଳୁ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

Smruti Parija
Browse all articles by Smruti Parija
·10 months ago·2 min read
ମା'ଙ୍କ ଦର୍ଶନ ପାଇଁ ଯାଉଥିବା ୩୩ରୁ ଅଧିକ ଶ୍ରଦ୍ଧାଳୁ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

Key Points

ମାତା ବୈଷ୍ଣୋ ଦେବୀଙ୍କ ପୀଠରେ ପ୍ରକୃତିର ତାଣ୍ଡବ
ବାଦଲ ଫଟା ବର୍ଷା ପରେ ଭୟଙ୍କର ଭୂସ୍ଖଳନ
ମା'ଙ୍କ ଦର୍ଶନ ପାଇଁ ଯାଉଥିବା ୩୩ରୁ ଅଧିକ ଶ୍ରଦ୍ଧାଳୁ ମୃତ, ୨୫ରୁ ଅଧିକ ଆହତ
ବୈଷ୍ଣୋ ଦେବୀ ମନ୍ଦିର ପ୍ରଶାସନ ପକ୍ଷରୁ ଯାତ୍ରା ସ୍ଥଗିତ
ମୃତକଙ୍କ ପରିଜନଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
ହସପିଟାଲରେ ଆହତଙ୍କୁ ଭେଟିଲେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ

ଲଗାଣ ବର୍ଷା ପରେ ପାହାଡ଼ରୁ ମାଡ଼ି ଆସିଲା ବିପଦ...ଭୁଶୁଡ଼ି ପଡ଼ିଲା ଯାତ୍ରା ପଥର ବ୍ୟାରିକେଡ୍...ମାତା ବୈଷ୍ଣୋ ଦେବୀଙ୍କ ସୁରକ୍ଷିତ ଯାତ୍ରା ପଥରୁ ଜୟ ମାତା ଦୀ ବଦଳରେ ଶୁଭିଲା ଶ୍ରଦ୍ଧାଳୁଙ୍କ ଆର୍ତ୍ତ ଚିତ୍କାର । ବୁଧବାର ୨୦ ଘଣ୍ଟା ମଧ୍ୟରେ ୨୫୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା ପରେ ଭୟାନକ ଭୂସ୍ଫଳନରେ ବହିଯାଇଛି ଯାତ୍ରା ପଥ । ଅର୍ଦ୍ଧକୁମାରୀରୁ ବାବା ଭୈରବ ମାର୍ଗରେ ଜଳ ସ୍ରୋତ ଭସାଇ ନେଇଛି ପ୍ରାୟ ୨୭୧ ପାହାଚ । ଅଘଟଣରେ ୩୩ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ୨୫ରୁ ଅଧିକ ଆହତ ହୋଇଛନ୍ତି। ଏମାନଙ୍କୁ ସ୍ଥାନୀୟ ବୈଷ୍ଣୋଦେବୀ ନରାୟଣ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିଜନଙ୍କୁ ସମବେଦନା ଜଣାଇବା ସହ ଆତହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ହସପିଟାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ଅନୁଧ୍ୟାନ କରିଛନ୍ତି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ।


ଜମ୍ମୁ ଓ କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି । ସର୍ବାଧିକ ପ୍ରଭାବିତ ହୋଇଛି ଡୋଡା ଜିଲ୍ଲା । ତୱା ନଦୀ ବିପଦ ସଂକେତ ଅତିକ୍ରମ କରିଥିବାରୁ ଉପକୂଳବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଜମ୍ମୁରେ କେବଳ ମଙ୍ଗଳବାର ମାତ୍ର ଛଅ ଘଣ୍ଟା ମଧ୍ୟରେ ୨୨ ସେଣ୍ଟିମିଟର ବର୍ଷା ହୋଇଥିଲା । ଜମ୍ମୁ ଓ ସାମ୍ବାର ୨୦ରୁ ୩୦ଟି ତଳିଆ ଅଞ୍ଚଳ ଏବେବି ଜଳବନ୍ଦୀ ହୋଇ ରହିଛି । ମଙ୍ଗଳବାରରୁ ବୁଧବାର ମଧ୍ୟରେ ଭୂସ୍ଖଳନରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ହୋଇଥିଲେ। ଉତ୍ତର ରେଳବାଇ ପକ୍ଷରୁ ଜମ୍ମୁ ଓ କଟରା ଷ୍ଟେସନରେ ଅଟକିବା କିମ୍ବା ଛାଡ଼ିବାକୁ ଥିବା ୨୨ଟି ଟ୍ରେନ ବାତିଲ କରାଯାଇଛି। ଫିରୋଜପୁର, ମାଣ୍ଡା, ଚକ୍ ରାଖୱାଲାନ ଏବଂ ପଠାନକୋଟ ଷ୍ଟେସନରେ ୨୭ଟି ଟ୍ରେନ ଅଟକି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଟରା ଜିଲ୍ଲା ପ୍ରଶାସନ, ଜମ୍ମୁ କାଶ୍ମୀର ପୋଲିସ, NDRF, SDRF, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ଦ୍ବାରା ସ୍ଥାନାନ୍ତର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ ଡିଭିଜନର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ଘୋଷଣା କରିଛି ପ୍ରଶାସନ । ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ଏକାଧିକ ସ୍ଥାନରେ ଟେଲିକମ୍ ଟାୱାର ଭୁଶୁଡ଼ି ପଡ଼ିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି ସହ ବିକଳ୍ପ ରାସ୍ତା ନିର୍ମାଣ କରାଯାଉଛି । ଅନିର୍ଦ୍ଦିଷ୍ଟ ସମୟ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମାତା ବୈଷ୍ଣୋଦେବୀ ଯାତ୍ରା ବନ୍ଦ ଘୋଷଣା କରାଯାଇଛି ।

Sponsored
natures-tandava-at-the-shrine-of-mother-vaishno-devi-argus-news | Argus News