Videos
|
National

Nepal Earthquake / ନେପାଳରେ ପୁଣି ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୫.୩; ଭାରତ ସମେତ ୫ ଦେଶରେ ଅନୁଭୂତ

Rashmita Mishra
Browse all articles by Rashmita Mishra
·1 hour ago·2 min read
ନେପାଳରେ ପୁଣି ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୫.୩; ଭାରତ ସମେତ ୫ ଦେଶରେ ଅନୁଭୂତ
Nepal Earthquake

Key Points

ନେପାଳରେ ପୁଣି ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୫.୩;
ଭାରତ ସମେତ ୫ ଦେଶରେ ଅନୁଭୂତ ହେଲା ଝଟକା

ମଙ୍ଗଳବାର ସକାଳେ ନେପାଳରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ୭ଟା ୨ ମିନିଟ୍‌ରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି । ଏହାର ଝଟକା କେବଳ ନେପାଳରେ ସୀମିତ ରହିନଥିଲା । ଭାରତ, ଭୁଟାନ, ବାଂଲାଦେଶ ଏବଂ ଚୀନର କିଛି ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।

ନେପାଳର କୋଶୀ ପ୍ରଦେଶ ଅନ୍ତର୍ଗତ ଲେଲେପ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ଭୂମିକମ୍ପ ଯୋଗୁଁ ସକାଳୁ ସକାଳୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ ।

ଅସମରେ ମଧ୍ୟ ଭୂମିକମ୍ପ
ଭୂମିକମ୍ପର କେନ୍ଦ୍ର ୨୭.୮୫୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୭.୯୦୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ, ଭୂପୃଷ୍ଠରୁ ୨୦ କିଲୋମିଟର ଗଭୀରତାରେ ରହିଥିଲା । ନେପାଳର ଜାତୀୟ ଭୂମିକମ୍ପ ନିରୀକ୍ଷଣ ଓ ଗବେଷଣା କେନ୍ଦ୍ର ଏହାର ତୀବ୍ରତା ୫.୬ ବୋଲି ରେକର୍ଡ କରିଥିବା ନେପାଳୀ ଗଣମାଧ୍ୟମ ରିପୋର୍ଟ କରିଛି । ଭୂମିକମ୍ପର କେନ୍ଦ୍ର ନେପାଳ-ତିବ୍ବତ ସୀମା ନିକଟରେ ଥିବା କୁହାଯାଇଛି ।

ଅନ୍ୟପକ୍ଷରେ ମଙ୍ଗଳବାର ଭୋର ସମୟରେ ଅସମର କାର୍ବି ଜିଲ୍ଲାରେ ମଧ୍ୟ ୨.୫ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ ହୋଇଛି । ଏହାର କେନ୍ଦ୍ର ଭୂପୃଷ୍ଠଠାରୁ ୧୫ କିଲୋମିଟର ଗଭୀରରେ ଥିଲା ।

କାହିଁକି ହୁଏ ଭୂମିକମ୍ପ ?
ପୃଥିବୀର ବାହ୍ୟ ଭାଗ ଶାନ୍ତ ଦେଖାଯାଉଥିଲେ ମଧ୍ୟ ଏହାର ଭିତରେ ସବୁବେଳେ ଭୌଗୋଳିକ ପରିବର୍ତ୍ତନ ଘଟୁଥାଏ । ପୃଥିବୀର ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକ ପରସ୍ପର ସହ ଧକ୍କା ହେବା, ଦୂରେଇ ଯିବା କିମ୍ବା ଗୋଟିଏ ପ୍ଲେଟ୍ ଅନ୍ୟଟି ତଳକୁ ଖସିବା ଯୋଗୁଁ ଭୂମିକମ୍ପ ସୃଷ୍ଟି ହୁଏ ।

ପୃଥିବୀର ଭିତରେ ଥିବା ଏହି ପ୍ଲେଟ୍‌ଗୁଡ଼ିକ ଧୀରେ ଧୀରେ ଗତି କରିଥାନ୍ତି । ଚାପ ବଢ଼ିବା ପରେ ଶିଳାସ୍ତର ଭାଙ୍ଗିଯାଏ ଏବଂ ସଞ୍ଚିତ ଶକ୍ତି ତରଙ୍ଗ ଆକାରରେ ବାହାରକୁ ବିସ୍ତାରିତ ହୁଏ । ଏହାଦ୍ୱାରା ପୃଥିବୀର ପୃଷ୍ଠଭାଗରେ କମ୍ପନ ଅନୁଭୂତ ହୋଇଥାଏ । ଭୂମିକମ୍ପର ଉତ୍ପତ୍ତି ସ୍ଥଳକୁ ଫୋକସ୍ ବା ହାଇପୋସେଣ୍ଟର କୁହାଯାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: