Nepal Violence: ସେନା ହାତରେ ନେପାଳ ଶାସନ, ଫ୍ରାନ୍ସରେ ସ୍ଥିତି ଭୟଙ୍କର ! ଭାରତ ସୀମାରେ ହାଇଆଲର୍ଟ

Key Points
୧୮ ଜିଲ୍ଲା ଜେଲ୍ ରୁ ୧୩ ହଜାରରୁ ଅଧିକ କଏଦୀ ଫେରାର୍
ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଖୋଲିବ କାଠମାଣ୍ଡୁ ଏୟାରପୋର୍ଟ
ନେପାଳ ହିଂସାକୁ ନେଇ ସୀମାବର୍ତ୍ତୀ ୟୁପି, ବେଙ୍ଗଲରେ ଆଲର୍ଟ
ନେପାଳ ପରେ ଫ୍ରାନ୍ସରେ ବି ସରକାର ବିରୋଧରେ ଜନତାଙ୍କ ଆକ୍ରୋଶ
ନେପାଳରେ ସଫଳ ଜେନ-ଜି ଆନ୍ଦୋଳନ । ପରିବର୍ତ୍ତନ ହେବାକୁ ଯାଉଛି ଶାସନ । ୨ ଦିନ ଧରି ଦେଶରେ ଅଶାନ୍ତିର ନିଆଁ ଜଳିବା ପରେ ଶାସନ କମାଣ ହାତକୁ ନେଇଛି ସେନା । ବୁଧବାର ଜେନ-ଜି ଛାତ୍ର ନେତାଙ୍କ ସହ ସେନାମୁଖ୍ୟଙ୍କ ଆଲୋଚନା ପରେ ବଡ଼ ଘୋଷଣା ହେବା ସମ୍ଭାବନା ରହିଛି । ସାରା ଦେଶରେ କର୍ଫ୍ୟୁ ଲାଗୁ ପରେ ହିଂସା ଥମୁଛି । ନେପାଳ ହିଂସାକୁ ନେଇ ଭାରତ ସୀମାବର୍ତ୍ତୀ ୟୁପି, ବେଙ୍ଗଲରେ ଜାରି ହୋଇଛି ହାଇ ଆଲର୍ଟ ।
ନେପାଳ ସଂସଦ ଭବନରୁ ଉଠୁଛି ଧୂଆଁ । ହିଂସା ଥମିଥିଲେ ବି ଏଯାଏ ଜେନ-ଜି ଆନ୍ଦୋଳନକାରୀଙ୍କ ମନରୁ ଲିଭିନି ଅଶାନ୍ତିର ନିଆଁ । ସାରା ଦେଶରେ କର୍ଫ୍ୟୁ ଜାରି ହେବା ସହ ଶାନ୍ତି ବଜାୟ ରଖିବାକୁ ସେନା ପକ୍ଷରୁ କରାଯାଇଛି ଅପିଲ୍ । ଖୁବଶୀଘ୍ର ଛାତ୍ର ନେତାଙ୍କ ସହ ଆଲୋଚନା ପରେ ସେନାମୁଖ୍ୟ ଅଶୋକ ରାଜ ସିଗଡେଲ ବଡ଼ ଘୋଷଣା କରିବା ସମ୍ଭାବନା ରହିଛି । ମଙ୍ଗଳବାର ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା ପରେ ସେମାନଙ୍କ ଦାବି ପୂରଣ ହେବା ନେଇ ସ୍ପଷ୍ଟ ସଂକେତ ଦେଇସାରିଛନ୍ତି ସେନାମୁଖ୍ୟ ।
ଆନ୍ଦୋଳନରେ ୨୧ରୁ ଅଧିକ ମୃତକଙ୍କୁ ମିଳିପାରେ ସହିଦ ମାନ୍ୟତା । କେପି ଓଲୀ ନେତୃତ୍ବାଧୀନ କମ୍ୟୁନିଷ୍ଟ ଶାସନର ଅନ୍ତ ଘୋଷଣା ସହ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ସେନାଧ୍ୟକ୍ଷ ନେଇପାରନ୍ତି ବଡ଼ ପଦକ୍ଷେପ । ଦୁ୍ର୍ନୀତି ବିରୋଧୀ ସ୍ବର ଚପାଇବାକୁ ଓଲୀ ସରକାରଙ୍କ ଉଦ୍ୟମ ବିଫଳ ହେବା ସହ ନେପାଳରେ ଜେନ-ଜି ଆନ୍ଦୋଳନ ସପକ୍ଷରେ ଜନମତ ଦୃଢ଼ ହେବାରେ ଲାଗିଛି ।
୨ ଦିନ ଧରି ରାଜଧାନୀ କାଠମାଣ୍ଡୁ ସହ ସାରା ଦେଶରେ ନିଆଁ ଜଳିବା ପରେ ପଦ ଛାଡ଼ି ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେପି ଓଲୀ । ହିଂସା ମଧ୍ୟରେ, ୧୮ଟି ଜିଲ୍ଲାର ଜେଲରୁ ପ୍ରାୟ ୧୩ ହଜାର କଏଦୀ ଖସି ପଳାଇଛନ୍ତି। କାସ୍କିରୁ ୭୭୩, ନବଲପରାସୀ ଜେଲରୁ ୫୦୦, ଚିତୱାନରୁ ୭୦୦, କୈଲାଲିରୁ ୬୧୨, ଜଳେଶ୍ୱରରୁ ୫୭୬ ଜଣ କଏଦୀ ଫେରାର ହେବା ନେପାଳ ସେନା ପାଇଁ ଚିନ୍ତାର କାରଣ ହୋଇଛି ।
ଏପଟେ ହିଂସା ମଧ୍ୟରେ ନେପାଳରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋଦି ସରକାର । ସୀମାବର୍ତ୍ତୀ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଜାରି ହୋଇଛି ଆଲର୍ଟ । କାଠମାଣ୍ଡୁ ବିମାନ ବନ୍ଦନ ବନ୍ଦ ହୋଇଥିଲେ ବି ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଏୟାରପୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛି ନେପାଳ ସେନା । ଦାର୍ଜିଲିଂ ସୀମାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟଙ୍କ ପାଇଁ ଜାରି ହୋଇଛି ହେଲ୍ପଲାଇନ ନମ୍ବର ।
୨୦୨୧ରେ ଆଫଗାନିସ୍ତାନ.. ୨୦୨୨ରେ ଶ୍ରୀଲଙ୍କା.. ୨୦୨୪ରେ ବାଂଲାଦେଶ.. ଆଉ ଏବେ ୨୦୨୫ରେ ନେପାଳ ଓ ଫ୍ରାନ୍ସରେ ରାଜନୈତିକ ସଂକଟ । ୫ ବର୍ଷ ମଧ୍ୟରେ ୩ଟି ପଡ଼ୋଶୀ ଦେଶରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଏବେ ନେପାଳ ଓ ଫ୍ରାନ୍ସରେ ବି ସ୍ଥିତି ସଙ୍ଗୀନ ହୋଇଛି । ନେପାଳ ପରେ ଫ୍ରାନ୍ସରେ ବୁଧବାର ସରକାର ବିରୋଧୀ ହିଂସକ ପ୍ରଦର୍ଶନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜଧାନୀ ପ୍ୟାରିସ୍ ସମେତ ବିଭିନ୍ନ ସହରରେ ହିଂସା ବ୍ୟାପୁଥିବାରୁ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନଙ୍କ ଉପରେ ଚାପ ବଢୁଛି । ଗିରଫ ହୋଇଛନ୍ତି ୨୦୦ରୁ ଅଧିକ ବିକ୍ଷୋଭକାରୀ । ପ୍ରତିବାଦକାରୀ ଦେଶରେ ବିଦ୍ରୋହୀ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଯାହା ଫ୍ରାନ୍ସ ସରକାରଙ୍କ ଚିନ୍ତା ବଢ଼ାଇଛି ।