ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ପଖାଳ ଦିବସ

ନୂଆଦିଲ୍ଲୀ: ଦିଲ୍ଲୀରୁ ପଲ୍ଲୀରୁ ସବୁଠି ପଖାଳ ମହକ। ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ପଖାଳ ଦିବସ ଅନୁଷ୍ଠିତ ହୋଇଛି। ଅନେକ ସଂଖ୍ୟାରେ ପ୍ରବାସୀ ଓଡିଆ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ପଖାଲ ଖାଇ ଖୁସି ହୋଇଥିଲେ। ଦହି ପଖାଳ ସହିତ ପ୍ରାୟ ୧୪ ଟି ବ୍ୟଞ୍ଜନ ହୋଇଥିଲା। ଶାଗ, ବଡ଼ି ଚୋରା, ଆଳୁ ଚଖା, ବାଇଗଣ ଭଜା, କଦଳୀ ଭଜା, କଞ୍ଚା ଆମ୍ବ ଛେଚା ଖାଇ ସମସ୍ତେ ଖୁଶି ହୋଇଥିଲେ। ଓଡ଼ିଆଙ୍କ ସବୁ ଖାଦ୍ୟ ଭିତରେ ପଖାଳର ସ୍ଥାନ ସ୍ବତନ୍ତ୍ର। ସାଉଥ୍ ଇଣ୍ଡିଆନ କହିଲେ ଯେମିତି ଇଡଲି, ସମ୍ବର, ଚାରୁପାଣି ନ ହେଲେ ଦୋଷା ଆମ ମନକୁ ଆସିଯାଏ, ସେମିତି ଓଡ଼ିଆ କହିଲେ ଯେଉଁ ପ୍ରଥମ ଖାଦ୍ୟଟି ଆମ ମନକୁ ଆସେ, ତାହା ହେଲା ପଖାଳ।
ଅନେକ ସମୟରେ ଆମ ଭିତରେ ଅନେକ କହୁ, ପଖାଳଖିଆ ଓଡ଼ିଆ । ପ୍ରତିଟି ଓଡ଼ିଆ ପାଇଁ ଏହା ହିଁ ମୁଖ୍ୟ ପରିଚୟ ଯାହା ପାଇଁ ଓଡ଼ିଆ ଲୋକ ଗର୍ବ କରନ୍ତି । ସେଥିପାଇଁ ତ ଖଟିଖିଆର ଭାତହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ, ସବୁଠି ରହିଛି ଏହାର ଚାହିଦା । ଟେଷ୍ଟିଂ ପାଇଁ ପଖାଳ ସହ ଏକାଧିକ ରୁଚିପୂର୍ଣ୍ଣ ଉପାଦାନ ଯୋଡ଼ାଯାଇଥିଲେ ମଧ୍ୟ କେବେହେଲେ ପଖାଳ ତାର ମୌଳିକତା ହରାଇନି । ଆଉ ଏହି ପାରମ୍ପରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ମାନେ ଆଜିର ଦିନକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । କେହିକେହି ହୁଏତ ଯୁକ୍ତି ବାଢ଼ନ୍ତି ଯେ ଖରାଦିନ ଆସିଗଲେ ଓଡ଼ିଆଙ୍କ ଘରେଘରେ ଖୋଜାପଡ଼େ ଏହି ସହଜିଆ ଆଉ ଅଳ୍ପ ଖର୍ଚ୍ଚରେ ତିଆରି ଖାଦ୍ୟଟି । ହେଲେ ଆମେ ସମସ୍ତେ ଜାଣନ୍ତି, ଓଡ଼ିଆଙ୍କ ଘରେ ବର୍ଷକ ବାରମାସ ପଖାଳ ହିଁ ଖିଆଯାଏ। ଏ ଖାଦ୍ୟ ଆମକୁ ବଳ ଦିଏ, ଶାନ୍ତି ଦିଏ।
ଅଧିକ ପଢନ୍ତୁ ଭାରତ ଖବର