ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଯିବେ ଶୁଭାଂଶୁ

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆସନ୍ତା ମାସରେ ଆକ୍ସିଅମ୍-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା କରିବେ। କେନ୍ଦ୍ରୀୟ ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ଆସନ୍ତା ମାସରେ ଜଣେ ଭାରତୀୟ ମହାକାଶଚାରୀଙ୍କୁ ନେଇ ଏକ ଅନ୍ତର୍ଜାତୀୟ ମହାକାଶ ଅଭିଯାନ ସ୍ଥିର ହୋଇଛି। ଭାରତ ତାର ମହାକାଶ ଯାତ୍ରାରେ ଏକ ନିର୍ଣ୍ଣାୟକ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ।
ISRO ନୂତନ ସୀମା ସ୍ଥିର କରିବାକୁ ଏବଂ ଜଣେ ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ମିଶନରେ ପଠାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଗଗନଯାନର ପ୍ରସ୍ତୁତି, ଆଇଏସଏସ ମିଶନ ଓ ଭାରତର ମହାକାଶ ସ୍ୱପ୍ନ ଆହୁରି ଅଧିକ ସଫଳ ହେବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଗତ ଆଠ ମାସ ଧରି ନାସା ଏବଂ ଘରୋଇ ମହାକାଶ କମ୍ପାନୀ ଆକ୍ସିଅମ୍ ସ୍ପେସ୍ ସହିତ ତାଲିମ ନେଉଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲା ଏକ ଘରୋଇ ବାଣିଜ୍ୟିକ ମିଶନରେ ISS କୁ ଉଡାଣ ଭରିବେ ।
ଏଥିପାଇଁ ଭାରତ ୬୦ ମିଲିୟନ୍ ଡଲାର ଖର୍ଚ୍ଚ କରିଛି । ସ୍ପେସ୍ ଏକ୍ସ ଫାଲକନ-୯ ରକେଟ୍ରୁ ଏହି ଅଭିଯାନ ଆରମ୍ଭ ହେବ ଏବଂ ଆମେରିକାର ଫ୍ଲୋରିଡାର ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିଥିବା ଡ୍ରାଗନ୍ କ୍ୟାପସୁଲରେ ୪ ଜଣ ସଦସ୍ୟ ବସିବେ । ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଲାଗି ଆକ୍ସିଓମ ମିଶନ-୪ର ପାଇଲଟ ଭାବେ ତାଙ୍କୁ ଚୟନ କରାଯାଇଛି ।
ସେ ପ୍ରଥମ ଭାରତୀୟ ଯିଏକି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଯିବେ । ଶୁଭାଂଶୁଙ୍କ ଜନ୍ମ ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ହୋଇଥିଲା । ଜୁନ ୨୦୦୬ରେ ଭାରତୀୟ ବାୟୁ ସେନାରେ ଫାଇଟର ପାଇଲଟ ଭାବରେ ସେ ଯୋଗଦାନ କରିଥିଲେ । ମାର୍ଚ୍ଚ ୨୦୨୪ ରେ ତାଙ୍କୁ ଗ୍ରୁପ କ୍ୟାପ୍ଟେନ ଦାୟିତ୍ବ ଦିଆଯାଇଥିଲା ।