ସଂସଦରେ ଆଗତ ହେଲା ନୂଆ ଆୟକର ବିଧେୟକ

ସଂସଦ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ଲୋକସଭାରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଏହି ବିଲ୍ ଆଗତ କରିଛନ୍ତି। ବିରୋଧୀଙ୍କ ହୋହଲ୍ଲା, ବିରୋଧ ସତ୍ତ୍ବେ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରିବା ସହ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଅନୁରୋଧ କରିଥିଲେ।। ଗତ ଫେବ୍ରୁଆରି ୧ ତାରିଖରେ ବଜେଟ୍ ଅଭିଭାଷଣରେ ଏହି ନୂଆ ବିଲ୍ ନେଇ ସୂଚନା ଦେଇଥିଲେ ସୀତାରମଣ। ଏହାପରେ ଫେବ୍ରୁଆରି ୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବିଲକୁ ଅନୁମୋଦନ ଦେଇଥିଲା। ୬ ଦଶନ୍ଧି ପୁରୁଣା ଆୟକର ଆଇନ ୧୯୬୧ର ସ୍ଥାନ ନେଉଥିବା ନୂଆ ଆୟକର ବିଲ୍ ପ୍ରତ୍ୟକ୍ଷ ଟିକସ ଆଇନକୁ ପଢ଼ିବା, ବୁଝିବା, ଅସ୍ପଷ୍ଟତା ଦୂର କରିବା ସହ ମାମଲାକୁ ହ୍ରାସ କରିବାରେ ସହଜ କରିବ। ଏବେ ନଜର ପକାନ୍ତୁ ପୁରୁଣା ବିଲ ଠାରୁ କଣ ଅଲଗା ରହିଛି ନୂଆ ଇନ୍କମ୍ ଟ୍ୟାକ୍ସ ବିଲ୍ରେ।
ନୂତନ ଆୟକର ବିଲ୍ରେ ସାଧାରଣ ଲୋକଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି। କଠିନ ଶବ୍ଦ ଏବଂ ଆବଶ୍ୟକ ନଥିବା ଆଇନକୁ ହଟାଇ ଛୋଟ ଏବଂ ସରଳ କରାଯାଇଛି। ଆୟକର ବିଲ୍ ୧୯୬୧ରେ ମୋଟ ୮୮୦ ପୃଷ୍ଠା ଥିଲା ବେଳେ ନୂଆ ଇନ୍କମ୍ ଟ୍ୟାକ୍ସ ବିଲ୍ରେ ମୋଟ ୬୨୨ ପୃଷ୍ଠା ବିଶିଷ୍ଟ ରହିଛି। ନୂଆ ଇନକମ ଟାକ୍ସ ବିଲରେ ୫୩୬ ଧାରା, ୨୩ ଚାପ୍ଟର ଏବଂ ୧୬ ଅନୁସୂଚୀ ସାମିଲ ରହିଛି। କରଦାତାମାନେ ମୂଲ୍ୟାୟନ ଏବଂ ଆର୍ଥିକ ବର୍ଷ ବିଷୟରେ ଦ୍ବନ୍ଦ୍ବରେ ପଡୁଥିଲା ବେଳେ ଏବେ ଏଗୁଡ଼ିକୁ ଦୂର କରି ନୂଆ ଆଇନ୍ ଅନୁସାରେ କେବଳ ଟିକସ ବର୍ଷ ବ୍ୟବହାର କରାଯିବ। ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ୧୨ ମାସକୁ ଏବେ ଟିକସ ବର୍ଷ କୁହାଯିବ। ଜଣେ ବେତନଭୋଗୀ ବ୍ୟକ୍ତି ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ ୫୦,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ଼ ରିହାତି ମିଳୁଥିବା ବେଳେ ନୂତନ ଟିକସ ବ୍ୟବସ୍ଥାରେ ଏହି ରିହାତି ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଟ୍ୟାକ୍ସ ଚୋରି ଧରା ପଡିଲେ ଫାଇନ୍ ସହିତ ଟ୍ୟାକ୍ସ ନୋଟିସ୍ ଆସିବ। ନୂଆ ଆୟକର ବିଲରେ କୃଷି ଉତ୍ପାଦନରୁ ଆୟ ଏବଂ ଧାର୍ମିକ ଟ୍ରଷ୍ଟକୁ ଦାନ ଆଦିରେ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ନୂଆ ଆୟକର ବିଲ୍ ଉପସ୍ଥାପନା ପରେ ଲୋକସଭା ମୁଲତବୀ ଘୋଷଣା ହୋଇଥିଲା। ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମ୍ ବିର୍ଲା। ତେବେ ପରବର୍ତ୍ତୀ ଅଧିବେଶନର ପ୍ରଥମ ଦିନ ଲୋକସଭାରେ ବିଲକୁ ନେଇ ନିଜର ରିପୋର୍ଟ ଉପସ୍ଥାପନ କରିବ ସିଲେକ୍ଟ କମିଟି। ନୂଆ ଆୟକର ବିଲ୍ ୧ ଏପ୍ରିଲ ୨୦୨୬ ରେ ଲାଗୁ ହେବା ପାଇଁ ରହିଛି ପ୍ରସ୍ତାବ।