ଏହି ଗାଁର ସବୁ ଲୋକ କୋଟିପତି ଜାଣନ୍ତୁ...

Key Points
ଭାରତର ସବୁଠାରୁ ଧନୀ ଗାଁ
ଏହି ଗାଁ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ
ଏଠାକାର ସବୁ ଲୋକ କୋଟିପତି
ଭାରତ ଏକ କୃଷିପ୍ରଧାନ ଦେଶ ଭାବେ ବେଶ୍ ଜଣାଶୁଣା ଆଉ ଏଠାରେ ଗାଁ କହିଲେ ମାଟି ଘର, କଚ୍ଚା ରାସ୍ତା ଏବଂ ସାଧାରଣ ଜୀବନଶୈଳୀ ଆମ ମନକୁ ଆସିଥାଏ । କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି, ଯାହା କେବଳ ଭାରତର ନୁହେଁ ବରଂ ବିଶ୍ୱର ସବୁଠାରୁ ଧନୀ ଗାଁ ଭାବେ ପରିଚିତ । ଏହି ଗାଁର ନାଁ ହେଉଛି ମାଧପୁର ।
ଗୁଜରାଟର କଚ୍ଛ ଜିଲ୍ଲାରେ ଅବସ୍ଥିତ ମାଧପୁର ଗାଁ ବ୍ୟାଙ୍କରେ ଜମା ଥିବା ଅର୍ଥ ପରିମାଣକୁ ନେଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହି ଗାଁରେ ଥିବା ବ୍ୟାଙ୍କଗୁଡ଼ିକରେ ହଜାର ହଜାର କୋଟି ଟଙ୍କା ଜମା ରହିଛି, ଯାହା ଏହାକୁ ଦୁନିଆର ସବୁଠାରୁ ଧନୀ ଗାଁର ମାନ୍ୟତା ଦେଇଛି । ମାଧାପୁରର ପ୍ରାୟ ୬୫% ଲୋକ ବିଦେଶରେ ଦେଶମାନଙ୍କରେ ବସବାସ କରନ୍ତି । ଏହି ଲୋକମାନେ ନିଜ ମାଟିକୁ ଭୁଲି ନାହାନ୍ତି ନିଜ ରୋଜଗାରର ଏକ ବଡ଼ ଅଂଶ ଗାଁରେ ଥିବା ବ୍ୟାଙ୍କ ଏବଂ ଡାକଘରେ ଜମା କରନ୍ତି ।
ମାଧପୁରରେ ପ୍ରାୟ ୧୭ଟି ବ୍ୟାଙ୍କର ଶାଖା ରହିଛି । ସୂଚନା ଅନୁସାରେ ଏହି ବ୍ୟାଙ୍କଗୁଡିକରେ ଗ୍ରାମବାସୀଙ୍କର ପ୍ରାୟ ୭ ହଜାର କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ରହିଛି । ପ୍ରତି ପରିବାର ପିଛା ହାରାହାରି ୧୫ ଲକ୍ଷରୁ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ଅଛି । ଅର୍ଥର ପ୍ରାଚୁର୍ଯ୍ୟ ଯୋଗୁଁ ମାଧପୁର କୌଣସି ଆଧୁନିକ ସହରଠାରୁ କମ୍ ନୁହେଁ । ଏଠାରେ ସମସ୍ତ ପ୍ରକାର ସୁବିଧା ଅତି ସହଜରେ ମିଳିଥାଏ । ଏହି ଗାଁରେ ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ କଲେଜ ମଧ୍ୟ ରହିଛି । ୧୮୮୪ ମସିହାରେ ଏଠାରେ ପ୍ରଥମ ସରକାରୀ ବାଳକ ବିଦ୍ୟାଳୟ ଏବଂ ୧୯୦୦ ମସିହାରେ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।ଏଠାରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲର ସୁବିଧା ରହିଛି । ତା' ସହ ପକ୍କା ରାସ୍ତା, ପାନୀୟ ଜଳ, ବଡ଼ ବଡ଼ ଘର, ମନ୍ଦିର ଏବଂ ହ୍ରଦ ଭଳି ସମସ୍ତ ସୁବିଧା ରହିଛି । ୧୯୯୦ ଦଶକରେ ଏହା ଭାରତର ପ୍ରଥମ ହାଇ-ଟେକ୍ ଗାଁ ଭାବେ ପରିଚିତ ହୋଇଥିଲା ।
ମାଧପୁର ଗାଁର ଲୋକମାନେ ପରିଶ୍ରମି ଏବଂ ନିଜ ମାଟି ପ୍ରତି ଥିବା ଭଲପାଇବାର ଏକ ଜ୍ୱଳନ୍ତ ଉଦାହରଣ । ଏଠାକାର ଲୋକମାନେ ବିଶ୍ୱର କୋଣ ଅନୁକୋଣରେ ରହି ମଧ୍ୟ ନିଜ ଗାଁର ବିକାଶରେ ଯେଉଁଭଳି ଭାବେ ଯୋଗଦାନ ଦେଉଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।