Champions Trophy 2025: ବିଶେଷଜ୍ଞଙ୍କ ମତ ଟସ୍ ହାରିଲେ ଭାରତ ଚାମ୍ପିଅନ୍ ହେବ !

ଟସ୍ ଜିତିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବୋଲିଂ କରିବ ଭାରତ । କାରଣ ଟସ୍ ଜିତିବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେବେ ଆଜିର ମ୍ୟାଚ୍ ଖୁବ୍ ରୋମାଞ୍ଚକର ହେବ ବୋଲି ଆଶା ରହିଛି । ଉଭୟ ଦଳ ଜବରଦସ୍ତ ଫର୍ମରେ ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କୌଣସି ମ୍ୟାଚ୍ ହାରି ନଥିବାରୁ ମନୋବଳ ଢ଼େର ଅଧିକ ରହିଛି ।
ତେବେ ଏହା ସୁପର ସନଡେରେ ସୁପର ମ୍ୟାଚ୍ ହେବାକୁ ଯାଉଛି । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଏକମାତ୍ର ଦଳ ଭାବେ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ୧୨ ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ରଖିଛନ୍ତି ।
ଚାମ୍ପିଅନ୍ସ ଟ୍ରଫିରେ କିଏ ହେବ ଚାମ୍ପିଅନ୍ ? ଭାରତ ତୃତୀୟ ଥର ପାଇଁ ଟାଇଟଲ୍ ଜିତିବ ନା ନ୍ୟୁଜିଲାଣ୍ଡ ଦ୍ଵିତୀୟ ଥର ଚାମ୍ପିଅନ୍ ହେବ ।
କୁହାଯାଉଥିଲା ଫାଇନାଲ୍ ମ୍ୟାଚ୍ରେ ଟସ୍ର ମହତ୍ଵପୂର୍ଣ୍ଣ ଭୂମିକା ରହିଛି । ଏବେ ଯାଏଁ ଖେଳା ଯାଇଥିବା ୮ ମୁକାବିଲାରୁ ଟସ୍ ଜିତିଥିବା ଦଳ ୩ଟି ଜିତିଥିବା ବେଳେ ଟସ୍ ହାରିଥିବା ଦଳ ୪ ଥର ଚାମ୍ପିଅନ୍ ହୋଇଛି । ଗୋଟିଏ ମୁକାବିଲା ଅମୀମାଂସିତ ରହିଥିଲା । ୨୦୦୨ରେ ଶ୍ରୀଲଙ୍କା ଓ ଭାରତୀୟ ଦଳ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ ।
୨୦୦୬ରୁ ଟସ୍ ହାରୁଥିବା ଦଳ ଲଗାତାର ଚାମ୍ପିଅନ୍ ହେଉଛନ୍ତି । ୧୯୯୮, ୨୦୦୦ ଓ ୨୦୦୪ରେ ଫାଇନାଲ୍ ମ୍ୟାଚ୍ ଟସ୍ ଜିତିଥିବା ଦଳ ଜିତିଛି । ଫାଇନାଲ୍ର ୪୩ ପ୍ରତିଶତ ମ୍ୟାଚ୍ ଟସ୍ ଜିତିଥିବା ଦଳ ଏବଂ ୫୭ ପ୍ରତିଶତ ଟସ୍ ହାରିଥିବା ଦଳ ସପକ୍ଷରେ ଯାଇଛି । ଏହା ଛଡ଼ା ଫାଇନାଲ୍ ମ୍ୟାଚ୍ର ରେଜଲ୍ଟ ଟସ୍ ନିଷ୍ପତ୍ତି ଉପରେ ନିର୍ଭରଶୀଳ । ଏବେ ସୁଦ୍ଧା ୮ଟି ମ୍ୟାଚରୁ ୨ଟି ମୁକାବିଲା ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ଅନ୍ୟ ୫ଟିରେ ଦ୍ଵିତୀୟ ପାଳିରେ ବ୍ୟାଟିଂ କରିଥିବା ଦଳକୁ ସଫଳତା ମିଳିଛି ।
ଟୁର୍ଣ୍ଣାମେଣ୍ଟ ଆରମ୍ଭର ୬ରୁ ୫ଟି ଫାଇନାଲ୍ ମ୍ୟାଚ୍ରେ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ିଥିବା ବେଳେ ୨୦୧୩ ଓ ୨୦୧୭ରେ ଟ୍ରଫି ଜିତିଥିଲା ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ । ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ର ପ୍ରଥମ ପାଳିର ହାରାହାରି ରନ୍ ସ୍କୋର୍ ହେଉଛି ୨୧୯ । ଫାଇନାଲ୍ରେ ସର୍ବନିମ୍ନ ରନ୍ ୧୩୮, ଯାହାକି ୨୦୦୬ରେ ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲା ।
ଏବେ ସୁଦ୍ଧା ୭ଟି ଦେଶ ଚାମ୍ପିଅନ ଟ୍ରଫି ଆୟୋଜନ କରିଛନ୍ତି । ଚଳିତବର୍ଷ ପାକିସ୍ତାନ ଆୟୋଜନ କରିଛି । ଶ୍ରୀଲଙ୍କା ଘରୋଇ ମୈଦାନରେ ଟାଇଟଲ୍ ଜିତିଥିଲା । ୨୦୦୨ରେ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ ଶ୍ରୀଲଙ୍କା ଓ ଭାରତ ।