ନିଧି ତିଓ୍ବାରୀ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ପଦବୀରେ ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ନିଧି ତିୱାରୀଙ୍କୁ ନିଯୁକ୍ତି ମିଳିଛି। ୨୦୧୪ ବ୍ୟାଚ୍ ଅଧିକାରୀ ନିଧି ତିୱାରୀ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଉପ ସଚିବ ରୂପେ କାର୍ଯ୍ୟରତ ଥିଲେ। ତେବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପିଏସ୍ ଭାବେ ନିଯୁକ୍ତ କରାଯାଇଥିବା ନେଇ କର୍ମଚାରୀ ଓ ତାଲିମ ବିଭାଗ (ଡିଓପିଟି) ସୂଚିତ କରିଛନ୍ତି। ନିଧି ତିୱାରୀ ୨୦୧୪ ମସିହାରେ ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ଭାବେ ଯୋଗ ଦେଇଥିଲେ। ସେବେଠାରୁ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଆସୁଛନ୍ତି। ପିଏମଓରେ ଡେପୁଟି ସେକ୍ରେଟାରୀ ରୂପେ ତାଙ୍କ କାର୍ଯ୍ୟ ଉଲ୍ଲେଖନୀୟ ରହିଛି।
ଏଣୁ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଧିଙ୍କ ଦାୟିତ୍ୱ ଆହୁରି ବଢି ଯାଇଛି। ଏହି ପଦବୀରେ ରହି ସେ ପ୍ରଧାନମନ୍ତ୍ରୀଙ୍କ ଦୈନିକ କାର୍ଯ୍ୟର ସମନ୍ୱୟ ସମେତ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ଓ ବିଭାଗଙ୍କ ସହ ତାଳମେଳ ରଖିବାକୁ ପଡିବ। ଆଇଏଫଏସ ନିଧି ତିୱାରୀ ନଭେମ୍ବର ୨୦୨୨ରେ ପିଏମଓରେ ଡେପୁଟି ସେକ୍ରେଟାରୀ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ବିଦେଶ ମନ୍ତ୍ରାଳୟ (ଏମଇଏ)ରେ ନିରସ୍ତ୍ରୀକରଣ ଓ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ଉପବିଭାଗରେ ଅନୁସଚିବ ପଦବୀରେ କାର୍ଯ୍ୟରତ ଥିଲେ। ରିପୋର୍ଟ ଅନୁସାରେ ପିଏମଓରେ ପିଏସ ନିଯୁକ୍ତ ଅଧିକାରୀଙ୍କ ବେତନ ପେମାଟ୍ରିକ୍ସ ୧୪ ସ୍ତର ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। ଏହି ସ୍ତରରେ କର୍ମଚାରୀଙ୍କ ବେତନମାନ ମାସିକ ୧,୪୪,୨୦୦ ଟଙ୍କା ହୋଇଥାଏ। ଏହା ଛଡା ଅଧିକାରୀଙ୍କୁ ମହଙ୍ଗା ଭତ୍ତା, ଆବାସ ଭତ୍ତା, ଯାତ୍ରା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିଥାଏ।