Astronomy / ଏହି ସବୁ ଦିନ ଆକାଶରେ ଦେଖିବାକୁ ମିଳିବ ଅଦ୍ଭୁତ ମହାଜାଗତିକ ଦୃଶ୍ୟ

Key Points
ଚନ୍ଦ୍ର-ମଙ୍ଗଳ-ବୃହସ୍ପତିଙ୍କ ଅଦ୍ଭୁତ ମିଳନ
୧୭-୧୮ରେ ଦେଖିବାକୁ ମିଳିବ ଉଲ୍ଲାକା ବର୍ଷା
୨୪ରେ ବିରଳ ସୁପରମୁନ୍, ୨୭ରେ ଶୁକ୍ରଙ୍କ ଚମକ
ଚଳିତ ନଭେମ୍ବର ମାସରେ ଆକାଶରେ ଦେଖିବାକୁ ମିଳିବ ଏକାଧିକ ବିରଳ ମହାଜାଗତିକ ଦୃଶ୍ୟ । ଚନ୍ଦ୍ରଙ୍କ ଆକାର ଓ ଉଜ୍ଜ୍ୱଳତାଠାରୁ ଆରମ୍ଭ କରି ଗ୍ରହମାନଙ୍କ ମିଳନ ଏବଂ ଉଲ୍ଲାକା ବର୍ଷା ପର୍ଯ୍ୟନ୍ତ ଅନେକ ଆକର୍ଷଣୀୟ ଦୃଶ୍ୟ ଦେଖିବାର ସୁଯୋଗ ମିଳିବ । ତେଣୁ ମହାକାଶ ଓ ଜ୍ୟୋତିର୍ବିଜ୍ଞାନ ପ୍ରତି ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଏହି ମାସଟି ବେଶ୍ ଖାସ୍ ରହିବ ।
ଚଳିତ ମାସ ୧୬ ତାରିଖରେ ଚନ୍ଦ୍ରଙ୍କ ସହ ବୃହସ୍ପତି ଓ ମଙ୍ଗଳ ଗ୍ରହକୁ ଆକାଶରେ ପାଖାପାଖି ଦେଖିବାକୁ ମିଳିବ । ସେହିପରି ନଭେମ୍ବର ୧୫ ଓ ୧୬ ତାରିଖରେ ମଙ୍ଗଳ ଏବଂ ବୃହସ୍ପତି ପରସ୍ପରର ଅତି ନିକଟରେ ଥିବା ପରି ଦୃଶ୍ୟମାନ ହେବେ । ଏହି ମାସର ଆଉ ଏକ ଆକର୍ଷଣ ହେଉଛି ଉଲ୍ଲାକା ବର୍ଷା । ପ୍ରାୟ ୧୨ ଦିନ ଧରି ଆକାଶରେ ଉଲ୍ଲାକା ବର୍ଷା ଦେଖିବାକୁ ମିଳିବ ।
ବିଶେଷ କରି ୧୭ରୁ ୧୮ ନଭେମ୍ବର ମଧ୍ୟରେ ଏହାର ଆକର୍ଷଣୀୟ ଦୃଶ୍ୟ ଦେଖିହେବ । ଆକାଶ ପରିଷ୍କାର ରହିଲେ ମଧ୍ୟରାତ୍ରିରେ ଉତ୍ତର-ପୂର୍ବ ଦିଗକୁ ଚାହିଁ ଏହି ଦୃଶ୍ୟ ଉପଭୋଗ କରିହେବ । ପ୍ରତି ଘଣ୍ଟାରେ ପ୍ରାୟ ୧୦ରୁ ୧୫ଟି ଉଲ୍ଲାକାପିଣ୍ଡ ଦେଖିବାକୁ ମିଳିପାରେ । ନଭେମ୍ବର ୨୧ ତାରିଖରେ ଚନ୍ଦ୍ର ଶନି ଗ୍ରହର ନିକଟରେ ଦେଖାଯିବ । ୨୪ ତାରିଖ ପୂର୍ଣ୍ଣିମାରେ ଚନ୍ଦ୍ର ସାଧାରଣ ଅପେକ୍ଷା ପ୍ରାୟ ୧୪ ପ୍ରତିଶତ ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯିବ । ଏହା ଆକାଶର ଆକର୍ଷଣ ବଢ଼ାଇବ ।
ସେହିପରି ୨୭ ତାରିଖରେ ଶୁକ୍ର ଗ୍ରହ ଚଳିତ ବର୍ଷର ସବୁଠାରୁ ଉଜ୍ଜ୍ୱଳ ରୂପରେ ଦେଖାଯିବ । ମାସର ଶେଷ ଦିନ ଅର୍ଥାତ୍ ୩୦ ତାରିଖରେ ଚନ୍ଦ୍ରଙ୍କ ନିକଟରେ ମଙ୍ଗଳ ଗ୍ରହ ଦୃଶ୍ୟମାନ ହେବ । ତେବେ ଏହି ସବୁ ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ଆକାଶ ପରିଷ୍କାର ରହିବା ଜରୁରୀ । ସହରର ଆଲୋକଠାରୁ ଦୂରରେ ରହି ଆକାଶକୁ ନିରୀକ୍ଷଣ କଲେ ଏହି ଦୃଶ୍ୟଗୁଡ଼ିକୁ ଅଧିକ ସ୍ପଷ୍ଟ ଭାବେ ଉପଭୋଗ କରିହେବ ।
📱 Get Argus News App
✨Related Topics
Explore more stories