Videos
|
National

Nirma Story / ଝିଅର ନାଁକୁ ଅମର କରିବାର ଜିଦ୍‌ରୁ ଜନ୍ମ ନେଲା ‘ନିର୍ମା’ ଜାଣନ୍ତୁ କେମିତି

Rashmita Mishra
Browse all articles by Rashmita Mishra
·59 mins ago·2 min read
ଝିଅର ନାଁକୁ ଅମର କରିବାର ଜିଦ୍‌ରୁ ଜନ୍ମ ନେଲା ‘ନିର୍ମା’ ଜାଣନ୍ତୁ କେମିତି
Nirma Story

Key Points

ଝିଅର ସ୍ମୃତିକୁ ଅମର କରିବାର ଜିଦ୍‌ରୁ ଜନ୍ମ ନେଲା ‘ନିର୍ମା’
ଝିଅକୁ ହରାଇବାର ବେଦନାରୁ ଗଢ଼ିଉଠିଲା ‘ନିର୍ମା’ ବ୍ରାଣ୍ଡ
ସାଇକେଲରୁ ଆରମ୍ଭ, ଦେଶବ୍ୟାପୀ ନାମ ଏମିତି ଗଢ଼ିଲା ‘ନିର୍ମା’
ଜଣେ ବାପାଙ୍କ ସଂକଳ୍ପର କାହାଣୀ, କେମିତି ଜନ୍ମ ନେଲା ‘ନିର୍ମା’

ପ୍ରତ୍ୟେକ ବଡ଼ ବ୍ରାଣ୍ଡ ପଛରେ ଥାଏ ଗୋଟିଏ କାହାଣୀ, କିନ୍ତୁ ‘ନିର୍ମା’ର କାହାଣୀ କେବଳ ବ୍ୟବସାୟର ନୁହେଁ ଏହା ଜଣେ ବାପାଙ୍କ ଅସୀମ ଭଲପାଇବା, ଅପୂରଣୀୟ ବିୟୋଗ ଏବଂ ଦୃଢ଼ ଇଚ୍ଛା ଶକ୍ତି ଥିବା ଏକ କାହାଣୀ । ଝିଅକୁ ହରାଇବାର ଦୁଃଖକୁ କରସନଭାଇ ପଟେଲ ଏମିତି ଏକ ସ୍ୱପ୍ନରେ ପରିଣତ କଲେ, ଯାହା ପରେ ଘରେଘରେ ପହଞ୍ଚିଲା ‘ନିର୍ମା’ ନାମରେ । ଏକ ସାଇକେଲ୍‌, ହାତରେ କିଛି ଡିଟରଜେଣ୍ଟ ପ୍ୟାକେଟ୍‌ ଏବଂ ମନରେ ଝିଅର ସ୍ମୃତି ଏଠାରୁ ଆରମ୍ଭ ହୋଇଥିଲା ଭାରତର ଏକ ଐତିହାସିକ ବ୍ରାଣ୍ଡର ଯାତ୍ରା ।

ଜଣେ ବାପାଙ୍କ ପାଇଁ ନିଜ ସନ୍ତାନକୁ ହରାଇବାଠାରୁ ବଡ଼ ଦୁଃଖ ଆଉ କିଛି ନଥାଏ । କିନ୍ତୁ ଗୁଜରାଟର କରସନଭାଇ ପଟେଲ ନିଜ ଝିଅକୁ ହରାଇବାର ବେଦନାକୁ ଏକ ଅଦମ୍ୟ ସଂକଳ୍ପରେ ପରିଣତ କରିଥିଲେ । ତାଙ୍କ ଝିଅ ନିରୁପମାଙ୍କୁ ଘରେ ସ୍ନେହରେ ‘ନିର୍ମା’ ବୋଲି ଡାକୁଥିଲେ । ଝିଅର ସ୍ମୃତିକୁ ଦେଶବ୍ୟାପୀ ଅମର କରିବାର ଜିଦ୍‌ ପରେ ଗଢ଼ିଉଠିଥିଲା ‘ନିର୍ମା’ ବ୍ରାଣ୍ଡ ।

୧୯୪୫ରେ ଗୁଜରାଟର ପାଟଣ ଅଞ୍ଚଳର ଏକ ସାଧାରଣ କୃଷକ ପରିବାରରେ ଜନ୍ମ ନେଇଥିଲେ କରସନଭାଇ । କେମିଷ୍ଟ୍ରିରେ ସ୍ନାତକ ପରେ ସେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାମ କରିଥିଲେ ଏବଂ ପରେ ସରକାରୀ ଚାକିରି ପାଇଥିଲେ । କିନ୍ତୁ ତାଙ୍କ ମନରେ ଥିଲା ବ୍ୟବସାୟ କରିବାର ସ୍ୱପ୍ନ ।

ସେତେବେଳେ ୱାଶିଂ ପାଉଡର ସାଧାରଣ ପରିବାର ପାଇଁ ମହଙ୍ଗା ଥିଲା । କରସନଭାଇ ନିଜ ରସାୟନ ବିଜ୍ଞାନ ଜ୍ଞାନକୁ ବ୍ୟବହାର କରି ଘରେ ହିଁ ସସ୍ତା ଡିଟରଜେଣ୍ଟ ତିଆରି କରିବା ଆରମ୍ଭ କଲେ । ଦିନରେ ଚାକିରି ଓ ରାତିରେ ପରୀକ୍ଷା ଏଭଳି ଚାଲିଥିଲା ତାଙ୍କ ସଂଘର୍ଷ ।

ଆରମ୍ଭରେ ଦୋକାନୀମାନେ ନିର୍ମାକୁ ନେବାକୁ ରାଜି ହେଉନଥିଲେ । ତେଣୁ କରସନଭାଇ ସାଇକେଲରେ ପ୍ୟାକେଟ୍ ନେଇ ଘରେଘରେ ବିକ୍ରି କରୁଥିଲେ । ସେତେବେଳେ ବଜାରରେ ମହଙ୍ଗା ଡିଟରଜେଣ୍ଟ ଥିବାବେଳେ ନିର୍ମାକୁ ଅତ୍ୟନ୍ତ କମ୍ ଦାମରେ ଦିଆଯାଉଥିଲା । ଏହାର ଦାମ ଓ ଫଳାଫଳ ଲୋକଙ୍କୁ ଆକର୍ଷିତ କଲା ।

ପରେ “ୱାଶିଂ ପାଉଡର ନିର୍ମା” ବିଜ୍ଞାପନ ଏହାକୁ ଘରେଘରେ ପରିଚିତ କରିଦେଲା । ସମୟ ସହିତ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଥିଲେ ମଧ୍ୟ କରସନଭାଇ ଶିକ୍ଷା, ସିମେଣ୍ଟ ଓ ସୋଡା ଆଶ୍‌ ଭଳି କ୍ଷେତ୍ରକୁ ବ୍ୟବସାୟ ବିସ୍ତାର କଲେ । ଏକ ଛୋଟ ସାଇକେଲ ବ୍ୟବସାୟରୁ ଆରମ୍ଭ ହୋଇଥିବା ‘ନିର୍ମା’ ଶେଷରେ ଭାରତୀୟ ବ୍ୟବସାୟ ଇତିହାସର ଏକ ସ୍ମରଣୀୟ ନାମ ହୋଇରହିଲା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: