Employee Rights / ଆଉ ଅଫିସ୍ ପରେ ବସଙ୍କ ଫୋନ୍ ରିସିଭ୍ କରିବେନି କର୍ମଚାରୀ

Key Points
ଘରେ କରିବାକୁ ପଡ଼ିବନି ଅଫିସ କାମ । ଅଯଥାରେ କଲ୍ କରିବେନି ଅଫିସ ବସ୍ ।
ଏବେ ଆଉ ଘରକୁ ଆସିଲେ ରହିବନି ଅଫିସର ଚିନ୍ତା । ଘରେ କରିବାକୁ ପଡ଼ିବନି ଅଫିସ କାମ । ଅଯଥାରେ କଲ୍ କରିବେନି ଅଫିସ ବସ୍ । ଯାହାକୁ ପ୍ରସଙ୍ଗ କରି ଶୁକ୍ରବାର ସଂସଦରେ ଏକ ପ୍ରସ୍ତାବ ଆଣିଥିଲେ ଏନସିପି ସାଂସଦ ସୁପ୍ରିୟା ସୁଲେ । ଅଫିସ ସମୟ ପରେ କର୍ମଚାରୀଙ୍କୁ କାର୍ଯ୍ୟାଳୟ କାମରୁ ଦୂରେଇ ରଖିବାକୁ ପ୍ରସ୍ତାବରେ ସେ କହିଥିଲେ । ଯାହା ଦ୍ୱାରା ପରିବାର ଏବଂ କର୍ମସ୍ଥଳୀ ମଧ୍ୟରେ ସନ୍ତୁଳନ ରହିପାରିବ । ତେବେ ସୁପ୍ରିୟାଙ୍କୁ ଏପରି ପ୍ରସ୍ତାବକୁ ନେଇ ଲୋକସଭାରେ ବିଲ୍ ଆଗତ ହୋଇଛି । ସେ ନିଜେ ବିଲକୁ ଆଗତ କରିଛନ୍ତି ।
ଏବେ ଅଫିସ ସମୟ ଶେଷ ହେବା ପରେ କିମ୍ବା ଛୁଟିଦିନରେ ବସଙ୍କ ଫୋନ୍ ରିସିଭ୍ କରିବେନି କର୍ମଚାରୀ । ଏପରିକି ଇ-ମେଲରେ ଜବାବ ଦେବା ଉପରେ ଲାଗିବ ରୋକ୍ । ଲୋକସଭାରେ ଏଭଳି ଏକ ପ୍ରାଇଭେଟ ବିଲ୍ ଆଗତ କରାଯାଇଛି । ସୁପ୍ରିୟା ରାଇଟ୍ ଟୁ ଡିସକନେକ୍ଟ ବିଲ୍ ୨୦୨୫ ନାମକ ଏହି ବିଧେୟକକୁ ଆଗତ କରିଛନ୍ତି।
ବିଲରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଏକ ବୋର୍ଡ ବା ଅନୁଷ୍ଠାନ ଗଠନ କରିବାକୁ ଦାବି କରାଯାଇଛି । ଏଥିସହ ବିଲରେ ଉଲ୍ଲେଖ ଅଛି ଯେ, ଅଫିସ ସମୟ ଶେଷ ହେବା ପରେ କିମ୍ବା ଛୁଟିଦିନରେ କର୍ମଚାରୀଙ୍କୁ ହଇରାଣ କରାଯାଇ ପାରିବ ନାହିଁ । ମାଲିକ କିମ୍ବା ମୁଖ୍ୟମାନେ ସେମାନଙ୍କୁ ଘରେ ଅତିରିକ୍ତ କାର୍ଯ୍ୟଭାର ଦେଇପାରିବେ ନାହିଁ । ଅଫିସ ମୁଖ୍ୟଙ୍କ ଫୋନ୍ କିମ୍ବା ଇ-ମେଲର ଜବାବ ଦେବାରୁ ମୁକ୍ତ ରଖିବା ଲାଗି ଅଧିକାର ଦେବାକୁ ବିଲରେ ପ୍ରସ୍ତାବ ଦିଆଯାଇଛି । କର୍ମଚାରୀ କାମ କରୁଥିବା ସଂସ୍ଥା ଯଦି ଏହାର ଉଲ୍ଲଂଘନ କରେ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ଦରମାର ୧ ପ୍ରତିଶତ ଜରିମନା ଭରିବାକୁ ପଡିବ ।
ଏପ୍ରସଙ୍ଗରେ ନିଜ ସୋସିଆଲ ମିଡିଆରେ ସୁଲେ ଲେଖିଛନ୍ତି ଯେ, ବିଲର ଉଦ୍ଦେଶ୍ୟ କର୍ମଚାରୀଙ୍କ ଲାଗି ଉନ୍ନତମାନର ଜୀବନଧାରଣ ମାନ ଏବଂ ସୁସ୍ଥ କର୍ମମୟ ଜୀବନକୁ ସୁନିଶ୍ଚିତ କରିବା । ଫଳରେ ବର୍ତ୍ତମାନର ଡିଜିଟାଲ ଯୁଗରେ ସୃଷ୍ଟି ହେଉଥିବା ଚାପକୁ କମ୍ କରାଯାଇପାରିବ । ଡିଜିଟାଲ ଓ କମ୍ୟୁନିକେସନ ଟେକ୍ନୋଲୋଜି ଅଧିକାଂଶ କାମକୁ ସହଜ ଓ ସରଳ କରିଥାଏ । କିନ୍ତୁ ଏହା ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସମସ୍ୟା ମଧ୍ୟ ଆଣିଥାଏ । ଯେହେତୁ ଏହା କୋଟିକୋଟି କର୍ମଚାରୀଙ୍କ ସ୍ୱାର୍ଥ ସହ ଜଡିତ ତେଣୁ ସରକାର ଏ ଦିଗରେ କିଛି ପଦକ୍ଷେପ ନେବେ ବୋଲି ସୁଲେ ଆଶା କରିଛନ୍ତି ।
ଅଧିକ କାମ ପାଇଁ ନିୟମ
ବିଲରେ ଅଧିକ କାମ ବାବଦରେ ଉଲ୍ଲେଖ ଅଛି ଯେ, ଯଦି କର୍ମଚାରୀ ଅଫିସ ସମୟରୁ ଅଧିକ କାମ କରିବାକୁ ଚାହାନ୍ତି ତେବେ ସେମାନଙ୍କୁ ଉଚିତ ଅର୍ଥ ପ୍ରଦାନ କରାଯିବ । ମାଗଣାରେ କେଉଁ କର୍ମଚାରୀଙ୍କୁ ଓଭରଟାଇମ୍ ପାଇଁ ବାଧ୍ୟ କରାଯାଇପାରିବ ନାହିଁ ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories