No Parking No Car Policy: ଟ୍ରାଫିକ ସମସ୍ୟା ସମାଧାନ ପାଇଁ ସରକାର ଆଣିବେ ନୂଆ ନିୟମ !

ଅର୍ଗସ ବ୍ୟୁରୋ: ଏଣିକି ପାର୍କିଂ ପାଇଁ ଯାଗା ନଥିଲେ କିଣିପାରିବେନି କାର । ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ସତ । ଏଭଳି ଏକ କଡ଼ା ନିୟମ ଆଣିବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ସହରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଛି । ତେଣୁ ସରକାର ଏଭଳି କିଛି ନିୟମ ଆଣିବାକୁ ବିଚାର ବିମର୍ଶ କରୁଥିବା ଜଣାପଡ଼ିଛି ।
ଖୋଦ ମହାରାଷ୍ଟ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ଏହି ନିୟମ ଆଣିବା ପାଇଁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି । ସହରାଞ୍ଚଳରେ ଦିନକୁ ଦିନ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ଟ୍ରାଫିକ ସମସ୍ୟା ମଧ୍ୟ ବଢ଼ୁଛି । କାରଣ ସମସ୍ତଙ୍କ ଅଶା କାର ଚଢ଼ିବେ । ଆଉ ଏବେ ଗରିବ ମଧ୍ୟବିତ୍ତ ଶ୍ରେଣୀର ଲୋକ ମଧ୍ୟ ଲୋନ କରି ଖୁବ ସହଜରେ କାର କିଣି ପାରୁଛନ୍ତି । ତେଣୁ ରାସ୍ତାରେ ଏବେ କାର ସଂଖ୍ୟା ଅଧିକ ହେଉଛି । ଖରା କିମ୍ବା ବର୍ଷା ହେଲେ ସମସ୍ତେ ଘରୁ କାର ଧରି ବାହାରୁଛନ୍ତି । ଯାହାଫଳରେ ରାସ୍ତାରେ ଏତେ ମାତ୍ରାରେ ଟ୍ରାଫିକ୍ ଜାମ୍ ହେଉଛି ଯେ, କ୍ଲିୟର ହେଲା ବେଳକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଏହି ଜାମ୍ ଫଳରେ ଜରୁରୀକାଳିନ ସେବା ମଧ୍ୟ ବାଧା ପ୍ରାପ୍ତ ହେଉଛି ।
📱 Get Argus News App
✨ଅନ୍ୟପଟେ ଯେଉଁମାନେ 2BHK କିମ୍ବା 3BHK ଘରେ ରହୁଛନ୍ତି ସେମାନଙ୍କ ପାଖରେ ପ୍ରାୟ ପାର୍କିଂ ସୁବିଧା ରହୁଛି । ହେଲେ 1BHK ଘରେ ରହୁଥିବା ଲୋକଙ୍କ ପାଖରେ ରହୁନି ପାର୍କିଂ ବ୍ୟବସ୍ଥା । ତେଣୁ ସେମାନେ ଗାଡ଼ି ଗୁଡ଼ିକ ବାହାରେ ପାର୍କ କରୁଛନ୍ତି । ଅନେକ ରାସ୍ତା କଡ଼ରେ ମଧ୍ୟ ପାର୍କିଂ କରୁଛନ୍ତି । ଯାହାଫଳରେ ଅନ୍ୟ ଗାଡ଼ିଗୁଡ଼ିକ ଯାତାୟତ ପାଇଁ ରାସ୍ତା ଛୋଟ ହୋଇଯାଉଛି । ଜରୁରୀକାଳିନ ସେବା ଅମ୍ବୁଲାନ୍ସ-ଦମକଳ ବାହିନୀ ଭଳି ଗାଡ଼ି ଘଟଣାସ୍ଥଳରେ ସଠିକ୍ ସମୟରେ ପହଞ୍ଚିବାରେ ବାଧାପ୍ରାପ୍ତ ହେଉଛି ।
ତେଣୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ସରକାର ନୂଆ ନିୟମ ଆଣିବାକୁ ଚିନ୍ତା କରୁଛନ୍ତି । ଯାହାକି ପାର୍କିଂ ସୁବିଧା ନଥିଲେ କାର କିଣିବାକୁ ମିଳିବନି ଅନୁମତି । ତେବେ ଏହି ନିୟମ ଲାଗୁ ହେଲେ ଅନେକ ଲୋକ ଏହାକୁ ବିରୋଧ କରିପାରନ୍ତି ବୋଲି କହିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ।
ସେ ଏହା ମଧ୍ୟ କହିଛନ୍ତି `ଲୋକେ କହିବେ ସରକାର ଗରିବଙ୍କ ଉନ୍ନତି ଦେଖି ପାରୁନାହାନ୍ତି । ଏହା ଗରିବଙ୍କ ପ୍ରତି ପାତରଅନ୍ତର । ସରକାର ଗରିବ ଓ ମଧ୍ୟବିତଙ୍କୁ ବିରୋଧ କରୁଛି ବୋଲି ଆଲୋଚନା ହେବ। କିନ୍ତୁ ଏହା ମଧ୍ୟ ମାନିବାକୁ ହେବ ଯେ, ଗାଡି କିଣୁଥିବା ଲୋକଙ୍କ ପାଖରେ ପାର୍କିଂର ବ୍ୟବସ୍ଥା ରହିବା ନିହାତି ଆବଶ୍ୟକ ।'
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୌଣସି ଲୋକଙ୍କ କାର ପାର୍କିଂ ପାଇଁ ବ୍ୟକ୍ତିଗତ ସ୍ଥାନ ନାହିଁ, ତେବେ... ସେ ଚାହିଁଲେ ସର୍ବସାଧାରଣ ସ୍ଥାନରେ ପାର୍କିଙ୍ଗ ସ୍ଥାନକୁ କିଣି ପାରିବେ। ଅନେକ ଲୋକ ଏହି ନିୟମକୁ ସମର୍ଥନ କରିବେ ଓ ଅନେକ ଲୋକ ଏହାକୁ ବିରୋଧ ମଧ୍ୟ କରିପାରନ୍ତି । ହେଲେ ବର୍ତ୍ତମାନ ଟ୍ରାଫିକ୍ ପରିସ୍ଥିତି ଅନୁସାରେ ଏହି ନିୟମ ଯଥାର୍ଥ ବୋଲି କହିଛନ୍ତି ସରନାଏକ। ଖାଲି ସେତିକି ନୁହେଁ ମୁମ୍ବାଇରେ କେବୁଲ ଟାକ୍ସି ସିଷ୍ଟମ ପ୍ରଚଳନ କରିବା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଛନ୍ତି। ଯାହାକୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ପସନ୍ଦ କରିଥିବା ସେ କହିଛନ୍ତି ।
ଅନ୍ୟପଟେ ଏହି ପାର୍କିଂ ସମସ୍ୟା ଦିଲ୍ଲୀରେ ମଧ୍ୟ ବିଗିଡ଼ିବାରେ ଲାଗିଛି । ଦିଲ୍ଲୀ ରାସ୍ତା କଡ଼ରେ ହଜାର ହଜାର କାର ପାର୍କିଂ କରାଯାଉଛି । ଯେଉଁଥିପାଇଁ ସମସ୍ୟା ମଧ୍ୟ ଉପୁଜୁଛି । ପ୍ରଶାସନ ତରଫରୁ ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ସ୍ଥିତି ସୁଧୁରୁନି । ଦିଲ୍ଲୀରେ ଏହି ପାର୍କିଂ ସମସ୍ୟା ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ପାଖରେ ବି ପହଞ୍ଚିଲାଣି ।
ଗ୍ରେଟର ନୋଏଡାରେ କାର ପାର୍କିଂକୁ ନେଇ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଆବାସିକ ସୋସାଇଟିରେ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ନିଜର ବନ୍ଧୁକ କାଢ଼ି ଛଅଟି ଗୁଳି ଚଳାଇଥିଲେ । ହେଲେ ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇ ନାହିଁ ।