କୋଲକତା ଦୁଷ୍କର୍ମ ମାମଲା : ଦିଦିଙ୍କୁ କୋର୍ଟଙ୍କ ଭତ୍ସନା

Key Points
- ମମତାଙ୍କ ଗଡ଼ ନାରୀ ନିର୍ଯାତନା
- ଦିଦି ସମ୍ଭାଳିପାରୁନାହାନ୍ତି ଆଇନଶୃଙ୍ଖଳା ସ୍ଥିତି
- ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଛି ଡାକ୍ତରଙ୍କ ମୃତଦେହ
ଅର୍ଗସ ବ୍ୟୁରୋ : ସାଙ୍ଘାତିକ, ସଙ୍ଗୀନ, ଲୋମହର୍ଷଣକାରୀ ଘଟଣା । ମଣିଷ ଯଯେ କେମିତି ରାକ୍ଷସ ପାଲଟେ ତାହା ବୋଧହୁଏ କଲିକତା ଘଟଣାରୁ ସ୍ପଷ୍ଟ ହୋଇଛି । ପେଶାରେ ସେ ଥିଲେ ଡାକ୍ତର । ନିଶା ତାଙ୍କର ଥିଲା ରୋଗୀ ସେବା । ପ୍ରତିଦିନ ପରି ସେଦିନ ବି ସେ ପହଞ୍ଚିଥିଲେ ରୋଗୀ ସେବା ପାଇଁ । ହେଲେ ତାଙ୍କ ପ୍ରତି ନରରାକ୍ଷସମାନଙ୍କର ଏମିତି ଲୋଲୁପ ଦୃଷ୍ଟି ରହିଥିବା ସେ ଠଉରାଇ ପାରିନଥିଲେ । ଆଉ ତାଙ୍କ ସହ ଦୁଷ୍କର୍ମକାରୀ ଯେଉଁ ଘଟଣା ଭିଆଇଲା ତାହାକୁ ନେଇ ଏବେ ପୁରା ଦେଶ ଉଠୁଛି ପଡୁଛି । ସେପଟେ ମାମଲାର ତ୍ଵରିତ ବିଚାର କରି ହାଇକୋର୍ଟ ସିବିଆଇକୁ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ।
କଲିକତାର ଏକ ସରକାରୀ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ନୃଶଂସ ହତ୍ୟାକୁ ନେଇ ରାଜ୍ୟରେ ଚହଳ ପଡ଼ିଛି । କାରଣ ଟ୍ରେନି ଡାକ୍ତର ଜଣକ ଡିନର ପରେ ଉପର ମହଲାକୁ ପାଠ ପଢାଇବାକୁ ଯାଇଥିଲେ । ସେହି ସମୟରେ ମେଡିକାଲରେ ବୁଲୁଥିବା ଜଣେ ଦଲାଲ ସଂପୃକ୍ତ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରିଥିଲେ । କେବଳ ଦୁଷ୍କର୍ମ କରିଥିଲେ ତାହା ନୁହେଁ ବରଂ ତାଙ୍କୁ ଜୀବନରୁ ମାରିଦେଇଥିଲେ । ଘଟଣା ଘଟିବା ଦିନ ଏନେଇ କିଛି ଟେର ପାଇନଥିଲା ପୋଲିସ । ହେଲେ ପରଦିନ ଶବ ମିଳିବା ପରେ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଉଥିଲା ହେଲେ ପରିବାର ଲୋକ ସହମତ ହେଲେନି ବରଂ ଝିଅ ସହ ଦୁଷ୍କର୍ମ ହୋଇଛି ଅଭିଯୋଗ କରିଥିଲେ ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ପରି ସଙ୍ଗୀନ ମାମଲା ଆସିବା ପରେ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ମାମଲାର ଗମ୍ଭୀରତାକୁ ଦେଖି ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ସଞ୍ଜୟ ରାୟ ବୋଲି ଜଣାପଡିଛି , ଯିଏ କି ହସ୍ପିଟାଲର କର୍ମଚାରୀ ହିଁ ନଥିଲେ । କିନ୍ତୁ ତାଙ୍କୁ ବାରମ୍ବାର କ୍ୟାମ୍ପସ ବିଲ୍ଡିଂକୁ ଆସୁଥିବା ଓ ଯାଉଥିବା ଦେଖିବାକୁ ମିଳିଥିଲା। ଏହାରି ଭିତରେ ବର୍ତ୍ତମାନ ସେ ୧୪ ଦିନ ପାଇଁ ରିମାଣ୍ଡ ଅବଧିରେ ଅଛି ।
ଅଭିଯୋଗ ଅନୁସାରେ, ସଞ୍ଜୟ ରାୟ ମେଡିକାଲରେ ଚାଲିଥିବା ଏକ ରାକେଟରେ ସାମିଲ ଥିଲା, ଯେଉଁଥିରେ ରୋଗୀଙ୍କୁ ଭର୍ତ୍ତି କରିବା ବାହାନାରେ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଦାୟ କରାଯାଉଥିଲା । ସରକାରୀ ହସ୍ପିଟାଲରେ ବେଡ୍ ନ ମିଳିବାରୁ ସଞ୍ଜୟ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ନେଇ ନିକଟସ୍ଥ ନର୍ସିଂହୋମରେ ବେଡ୍ ଖୋଜିଦେଉଥିଲା । ଯଦିଓ ସେ ପୋଲିସ କର୍ମଚାରୀ ନୁହଁନ୍ତି, ସଞ୍ଜୟ ବେଳେବେଳେ ନିଜ ସମ୍ପର୍କୀୟଙ୍କୁ ବ୍ୟବହାର କରି ପୋଲିସ ବ୍ୟାରେକରେ ରହୁଥିଲା। ତେବେ ପୋଲିସ ପଚରାଉଚରା ଆରମ୍ଭ କରିବା ମାତ୍ରେ ଅଭିଯୁକ୍ତ ସଞ୍ଜୟ ନିଜର ଅପରାଧ ସ୍ୱୀକାର କରିଛି । ଏହି ଜଘନ୍ୟ ଅପରାଧ ପାଇଁ ସେ କୌଣସି ଅନୁତାପ ଦେଖାଇ ନ ଥିଲା। ସେ ପୋଲିସକୁ କହିଛି, ଆପଣ ଚାହିଁଲେ ମୋତେ ଫାଶୀ ଦିଅନ୍ତୁ ଏବଂ ତା ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ମଧ୍ୟ ମିଳିଥିଲା ।
📱 Get Argus News App
✨ସେପଟେ, କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । ଆଜି ପଶ୍ଚିମବଙ୍ଗ ଯାଇଛି CBIର ଏକ ସ୍ପେଶାଲ୍ ଟିମ୍ । ସକାଳ ୧୦ଟା ସୁଦ୍ଧା ସମସ୍ତ କାଗଜପତ୍ର ହସ୍ତାନ୍ତର କରିବାକୁ କୋଲକାତା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ମୃତ ଡାକ୍ତରଙ୍କ ପରିବାର ପକ୍ଷରୁ ପ୍ରମାଣ ନଷ୍ଟ କରାଯାଇପାରେ ବୋଲି ହାଇକୋର୍ଟରେ ଚିନ୍ତା ପ୍ରକଟ କରାଯିବା ସହ ନିରପେକ୍ଷ ଏଜେନ୍ସି ଦ୍ୱାରା ତଦନ୍ତ ପାଇଁ ଆବେଦନ କରାଯାଇଥିଲା। କୋଲକାତା ପୁଲିସ୍ ବର୍ତ୍ତମାନ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି । ତଥାପି ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ତୁରନ୍ତ ସିବିଆଇକୁ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୁଲିସ୍କୁ କହିଛନ୍ତି । ତେବେ ପଶ୍ଚିମବଙ୍ଗରେ ବାରମ୍ବାର ଆଇନଶୃଙ୍ଖଳା ବିଗୁଡୁଥିବାର ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚିନ୍ତା ବଢିଛି । ହେଲେ ଡାକ୍ତରଙ୍କ ସହ ଯେଉଁ ଜଘଣ୍ୟକାଣ୍ଡ ଘଟିଲା ତାହା ଦିଦିଙ୍କୁ ବି କାଠଗଡାକୁ ଟାଣିଛି ।