ଏଣିକି ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ !

Key Points
- ଦେଶରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ !
- କେନ୍ଦ୍ର କ୍ୟାବିନେଟ୍ ଦେଲା ମଞ୍ଜୁରୀ
- ଶୀତ ଅଧିବେଶନରେ ସଂସଦକୁ ଆସିବ ବିଲ୍
ଅର୍ଗସ ବ୍ୟୁରୋ: ଗୋଟିଏ ଦେଶ, ଗୋଟିଏ ଥର ହେଉ ନିର୍ବାଚନ । କିଛି ଏମିତି ଦାବି ଜୋର ଧରିଥିଲା । ଯେଉଁଥି ଲାଗି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । କମିଟି ଗଠନ ହେବା ପରେ ରାମନାଥ ଅନେକ ରାଜ୍ୟ ଗସ୍ତ କରିବା ସହ ରିପୋର୍ଟ ବି ଦେଇଥିଲେ । ଏହାରି ଭିତରେ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ ଗତକାଲି କ୍ୟାବିନେଟର ଅନୁମୋଦନ ମିଳିଛି । ତେଣୁ ଆଗାମୀ ଦିନରେ ଏକା ସାଙ୍ଗରେ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଲାଣି ।
ଏକ ରାଷ୍ଟ୍ର, ଏକ ନିର୍ବାଚନ ପାଇଁ ଫିଟିଲା ବାଟ । ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ପାଇଁ ଆଉ ପାଦେ ବଢିଲା ମୋଦି ସରକାରଙ୍କ ପ୍ରୟାସ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିସାରିଛି । ତେଣୁ ଆଗାମୀ ଶୀତ ଅଧିବେଶନରେ ଏହି ବିଲ ଲୋକସଭାରେ ଆଗତ ହେବ ।
ଗତକାଲି କ୍ୟାବିନେଟ୍ରେ ୱାନ ନେସନ ୱାନ ଇଲେକ୍ସନକୁ ମୋହର ବାଜିବା ପରେ ଏନେଇ ବିତର୍କ କରିବାକୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ସରକାର । ଲୋକସଭାରେ ବିଲ୍ ଆଗତ ହେବ, ପରେ କାର୍ଯ୍ୟକାରୀ ଗ୍ରୁପ୍ ଗଠନ ହେବ ଏବଂ ରୂପରେଖ ପ୍ରସ୍ତୁତ କରାଯିବ । ଏଥିପାଇଁ ସମ୍ବିଧାନ ସଂଶୋଧନ ସହ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସମର୍ଥନ ବି ଆବଶ୍ୟକ ରହିଛି । ତେଣୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି ।
ଦେଶରେ ଏକା ସାଙ୍ଗରେ ନିର୍ବାଚନ ହେଲେ ଅର୍ଥନୀତି ମଜବୁତ ହେବ, ଆଇନ ଶୃଙ୍ଖଳା ବଜାୟ ରହିବ, ଦେଶର ବିକାଶ ବଢିବା ସହ କଳାଧନକୁ ବି ରୋକାଯାଇପାରିବ ବୋଲି ବିଜେପି କହିଛି। ସେପଟେ ଗଣତନ୍ତ୍ରରେ ଏହା ଆଦୌ ସମ୍ଭବ ନୁହେଁ ଏବଂ କଂଗ୍ରେସ ଏହାକୁ କଦାପି ଗ୍ରହଣ କରିବନି ବୋଲି କହିଛନ୍ତି କଂଗ୍ରେସ ସଭାପତି ମଲ୍କିକାର୍ଜୁନ ଖଡଗେ । ବିଜେପିର ନିର୍ବାଚନ ଇସ୍ତାହାରରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସଙ୍ଗ ସ୍ଥାନ ପାଇଥିଲା । ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବି କହିଥିଲେ । ତେଣୁ ରିପୋର୍ଟ ଆସିବା ପରେ କେନ୍ଦ୍ର କ୍ୟାବିନେଟ୍ ତାହାକୁ ମୋହର ମାରିଛି ।
📱 Get Argus News App
✨ସୂଚନା ଅନୁସାରେ, ଦେଶରେ ୧୯୫୧ରୁ ୧୯୬୭ ଯାଏଁ ଏକାସଙ୍ଗେ ହେଉଥିଲା ନିର୍ବାଚନ । ୨୦୧୫ରେ ସଂସଦୀୟ ଦଳ କମିଟି ଦେଶରେ ଦୁଇଟି ପର୍ଯ୍ୟାୟରେ ଏକାସଙ୍ଗେ ନିର୍ବାଚନ କରିବାକୁ ଦେଇଥିଲା ପ୍ରସ୍ତାବ । ଏଥିପାଇଁ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା ।କମିଟି ୬୨ଟି ଛୋଟ ବଡ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲା । ଯେଉଁଥିରୁ ୩୨ଟି ଦଳ ଏହାକୁ ସମର୍ଥନ କରିଥିବା ବେଳେ ୧୫ଟି ଦଳ ବିରୋଧ କରିଥିଲେ । ଅନ୍ୟ ୧୫ଟି ଦଳ ଏହା ଉପରେ ବିତର୍କ କରିନଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ଗତ ମାର୍ଚ୍ଚରେ କମିଟି ଏହି ରିପୋର୍ଟକୁ ସରକାରଙ୍କୁ ପ୍ରଦାନ କରିଥିଲା । ତେବେ ଲୋକସଭାରେ ବିଲ୍ ଆଗତ ହେବା ପରେ ବଡ଼ ବିତର୍କ ହୋଇପାରେ । କିନ୍ତୁ ଏକା ସାଙ୍ଗରେ ନିର୍ବାଚନ ହେଲେ ଅନେକ ଫାଇଦା ମିଳିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।