ଅନଲାଇନ୍ ଗେମ ନେଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ

Key Points
ମହାଦେବ ବେଟିଂ ଆପରେ ୨୦ ହଜାର କୋଟିର ଲୁଟ୍
କ୍ରିକେଟ୍ ଟିମ୍ କରି କୋଟିପତି ହେବା ଆଶାରେ ଟଙ୍କା ଲଗାଇ ଯୁବକ ହେଲେ କାଙ୍ଗାଳ
ଅନଲାଇନ୍ ଗେମ ନେଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ
ଅନଲାଇନ ଗେମିଂ ଯୋଗୁ ଆର୍ଥିକ ଓ ସାମାଜିକ କ୍ଷତି ରୋକିବାକୁ ସଂସଦରେ ପାସ୍ ହୋଇଛି ବିଲ୍ । ଗତକାଲି ଲୋକସଭା ଓ ଆଜି ରାଜ୍ୟସଭାରେ ବିଲ୍ ପାସ୍ ସହ ଦେଶରେ ଅନଲାଇନ ମନି ଗେମ୍ ଉପରେ ଲାଗିବାକୁ ଯାଉଛି ରୋକ୍ । ଅନଲାଇନ ଗେମ ର ଅଫର କିମ୍ବା ପ୍ରଚାର କଲେ ୩ ବର୍ଷ ଜେଲ ଦଣ୍ଡ ସହ ଦେବାକୁ ପଡ଼ିବ ୧ କୋଟି ଜରିମାନା । ମହାଦେବ ବେଟିଂ ଆପ୍ ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବେବି ଇଡି ରାଡାରରେ ଥିବାବେଳେ ଗତମାସରେ ତାଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମାମଲାରେ ସାଉଥ ଫିଲ୍ମ ଇଷ୍ଟଷ୍ଟ୍ରିର ୨୯ ଜଣ କଳାକାରଙ୍କୁ ମଧ୍ୟ ଇଡି ନୋଟିସ ଜାରିଥିଲା । ବିଲ୍ ଆଇନରେ ପରିଣତ ହେବା ପରେ -
1. ଟଙ୍କା-ଭିତ୍ତିକ ଅନଲାଇନ୍ ଗେମ ବେଆଇନ ଘୋଷିତ ହେବ
2. ଅନଲାଇନ ଗେମ୍ସ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନ ନିଷିଦ୍ଧ ହେବ
3. ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଅନଲାଇନ ଗେମିଂ ସମ୍ବନ୍ଧିୟ କାରବାର କରିପାରିବେ ନାହିଁ
4. ଅନ୍ଲାଇନ୍ ମନି ଗେମିଂ, ବିଜ୍ଞାପନ, ଖେଳିବା ପାଇଁ ପ୍ରବର୍ତ୍ତାଇଲେ ୩ବର୍ଷ ଜେଲ୍ ଦଣ୍ତ ସହ ଦେବାକୁ ପଡ଼ିବ ୧ କୋଟି ଜରିମାନା
5. ଅନଲାଇନ୍ ଗେମିଂ ପ୍ଲାଟଫର୍ମ ଗୁଡ଼ିକ ସେଲ୍ଫ-ରେଗୁଲେଟରୀ ସିଷ୍ଟମ ବା SRO ପରିସରକୁ ଆସିବ
ଅନଲାଇନ ଗେମ ନିଶା କେବଳ ଆର୍ଥିକ କ୍ଷତି ନୁହେଁ, ବରଂ ସୃଷ୍ଟି କରୁଥିଲା ସାମାଜିକ ସଙ୍କଟ । ଏବେ ଭାରତରେ ଅନଲାଇନ୍ ଗେମିଂର ବଜାର ୩୨ ହଜାର କୋଟିରେ ପହଞ୍ଚିଥିବବେଳେ ଖେଳ ନିଶା ଯୋଗୁ ଶହ ଶହ ପରିବାର ହେଉଛନ୍ତି ସର୍ବସ୍ବାନ୍ତ । ଗତମାସରେ ବାଲେଶ୍ବର ରେମୁଣା ଥାନା ବାଲିଆ ଅଞ୍ଚଳର ତପନ ଗିରିଙ୍କ ୧୪ବର୍ଷର ପୁଅ ପ୍ରିନ୍ସ ଅନଲାଇନ ଗେମ୍ ଜାଲରେ ପଡ଼ି ନିଜ ଜୀବନ ନିଜେ ନେଇଥିଲେ । ୯ମ ଶ୍ରେଣୀ ଛାତ୍ର ପ୍ରିନ୍ସ ପରିବାରର ଏକ ମାତ୍ର ସନ୍ତାନ ଥିଲେ ।
ପିଲାଙ୍କ ଉପରେ ଅନଲାଇନ୍ ଗେମର ପଢୁଛି କୁପ୍ରଭାବ । ପିଲାଙ୍କୁ ଆକ୍ରମଣାତ୍ମକ ବନାଉଛି ଅନଲାଇନ ଗେମିଂ । ଗେମିଂ ଅର୍ଥରୁ ଟେରର ଫଣ୍ଡିଂ ସହ ଧର୍ମାନ୍ତରୀକରଣ ପାଇଁ ବି ବ୍ୟବହାର ହେଉଥିବା ଅଭିଯୋଗ ରହିଛି । ଦେଶରେ ଅନଲାଇନ୍ ଗେମ୍ ଖେଳୁଥିବା ଲୋକଙ୍କ ସଂଖ୍ୟା ୫୯ କୋଟିରେ ପହଞ୍ଚିଥିବାବେଳେ ବର୍ଷକୁ ସଟ୍ଟେବାଜିରେ କ୍ଷତି ହେଉଥିଲା ୨୦ ହଜାର କୋଟି ।