Operation Sindoor: ମୋଦିଙ୍କ ବୟାନ ପରେ ପାକିସ୍ତାନ ମନରେ ପଶିଛି ଭୟ !

ଅପରେସନ୍ ସିନ୍ଦୁରକୁ ନେଇ ମୋଦି ଦେଲେ ବଡ଼ ବୟାନ । କହିଲେ ଆଗକୁ ଉଁ ଚୁଁ ହେଲେ ଛଡ଼ା ଯିବନି । ଆମେ ଅଆତଙ୍କବାଦୀ ବିରୋଧରେ ଲଢ଼ୁଥିଲୁ, କିନ୍ତୁ ପାକିସ୍ତାନ ତାହା ନିଜ ଦେହକୁ ନେଲା । ଯାହାକି ତାର ସବୁଠାରୁ ବଡ଼ ଭୁଲ ଥିଲା । ତେବେ ମୋଦି ନିଜ ଭାଷଣରେ ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ କଲେ । ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କଲେ । ଯବାନଙ୍କ ପରାକ୍ରମକୁ ଦେଶର ମାତାଙ୍କ ପାଇଁ ସମର୍ପିତ କରୁଛି କହିଲେ ମୋଦି ।
ଏହାସହ ମୋଦି କହିଛନ୍ତି 'ପହଲଗାମରେ ଆତଙ୍କବାଦୀ ବର୍ବରକାଣ୍ଡ ଘଟାଇଲେ । ଛୁଟି କାଟିବାକୁ ଯାଇଥିବା ନିର୍ଦ୍ଦୋଷଙ୍କୁ ପରିବାର ସଦସ୍ଯଙ୍କ ଆଗରେ ଧର୍ମ ପଚାରି ହତ୍ୟା କଲେ । ଏହା ସବୁଠୁ ବଡ଼ ବୀଭତ୍ସ ଓ କ୍ରୁର ଥିଲା । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସାରା ଦେଶରୁ ସ୍ବର ଉଠିଥିଲା । ସବୁ ସମାଜ, ସବୁ ଦଳ ଦାବି କରିଥିଲେ। ମା, ଭଉଣୀଙ୍କ ମୁଣ୍ଡରୁ ଯେଉଁ ସିନ୍ଦୂର ହଜିଥିଲା ତାର ପ୍ରତିଶୋଧ ନେବାକୁ ସମସ୍ତେ ଚାହୁଁଥିଲେ । ତେଣୁ ମେ ୭ ତାରିଖ ସକାଳେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଜ୍ଞା ନେଇଥିଲା ଭାରତ ।'
'ପାକିସ୍ତାନର ଆତଙ୍କୀ ତାଲିମ୍ କେନ୍ଦ୍ରକୁ ସଠିକ୍ ଟାର୍ଗେଟ କରାଗଲା । ଯାହାକି ଆତଙ୍କବାଦୀମାନେ ସ୍ବପ୍ନରେ ସୁଦ୍ଧା ଏହା ଭାବି ନଥିଲେ । ଆମେ ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ମିସାଇଲ୍ ମାଡ଼ ହେଲା । ବାହାୱଲପୁର, ମୁରିଦକେ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଲୁ । ସବୁ ବଡ଼ ବଡ଼ ଆତଙ୍କୀ କାର୍ଯ୍ୟ ସହ ଏମାନେ ଜଡ଼ିତ ଥିଲେ । ଶହେରୁ ଉର୍ଦ୍ଧ୍ବ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଛନ୍ତି । ଖୋଲାଖୋଲି ଏମାନେ ପାକିସ୍ତାନରେ ବୁଲୁଥିଲେ । ଭାରତର ଏଭଳି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ହତାଶା ଖେଳିଗଲା । ପାକିସ୍ତାନ ଆତଙ୍କବାଦ ବିରୋଧରେ ନ ଲଢ଼ି ଆମ ବିରୋଧରେ ଲଢ଼ିଲା । ସ୍କୁଲ, ଧର୍ମାନୁଷ୍ଠାନ, ସାଧାରଣ ଲୋକଙ୍କ ଘରକୁ ଟାର୍ଗେଟ କଲା । ମାତ୍ର ଏଥିରେ ପାକିସ୍ତାନ ସଫଳ ହେଲାନି । ପାକିସ୍ତାନୀ ଡ୍ରୋନ୍, ମିଜାଇଲ୍କୁ ଆମ ଏୟାର ଡିଫେନ୍ସ ଧ୍ବଂସ କଲା । ପାଲଟା ଆକ୍ରମଣରେ ପାକିସ୍ତାନର ଏୟାରବେସ୍ ଧ୍ବଂସ ପାଇଲା ।'
'ଏହାପରେ ପାକିସ୍ତାନ ବଞ୍ଚିବା ପାଇଁ ରାସ୍ତା ଖୋଜିଲା । ବିଶ୍ବ ଦରବାରର ଦ୍ବାରସ୍ଥ ହେଲା ପାକିସ୍ତାନ । ମେ ୧୦ରେ ଆମ DGMOଙ୍କୁ ଫୋନ୍ କଲା । ଆମେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ । ଦେଖୁଛୁ ପାକିସ୍ତାନର ପରବର୍ତ୍ତୀ ଆଚରଣ କଣ ରହୁଛି । ସର୍ଜିକାଲ ଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ଭାରତର ନୀତି । ଯଦି ଆତଙ୍କୀ ଆକ୍ରମଣ ହୁଏ ଜୋରଦାର ଜବାବ ଦିଆଯିବ ।'
'କୌଣସି ପରମାଣୁ ବ୍ଲାକମେଲିଂ ଭାରତ ସହ୍ୟ କରିବନି । ଆତଙ୍କୀଙ୍କ ଶେଷକୃତ୍ୟରେ ପାକିସ୍ତାନ ସେନା ଯୋଗଦେଲା । ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଏହା ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ । ଅପରେସନ ସିନ୍ଦୂର ନୂଆ ଦିଗ ଦେଖାଇଲା । ଅପରେସନ ସିନ୍ଦୂରରେ ସ୍ବଦେଶୀ ଜ୍ଞାନ କୌଶଳର ଶକ୍ତି ଦେଖାଗଲା । ଆତଙ୍କବାଦ ବିରୋଧରେ ଆମର ଏକତା ସବୁଠୁ ବଡ଼ ଶକ୍ତି । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ଆମ ଗ୍ଯାରେଣ୍ଟି । ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପୋଷୁଛି, ସେମାନେ ହିଁ ଧ୍ବଂସ କରିବେ ପାକିସ୍ତାନକୁ । ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲି ପାରିବନି । ଠିକ୍ ସେମିତି ଆତଙ୍କବାଦ ଓ ବାଣିଜ୍ୟ ବି ଏକସଙ୍ଗେ ଚାଲି ପାରିବନି । ରକ୍ତ ଓ ପାଣି ଏକସଙ୍ଗେ ପ୍ରବାହିତ ହୋଇପାରିବନି । ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦ ଓ POK ନେଇ ହେବୁ ।'
ଅପରେସନ୍ ସିନ୍ଦୁର ଓ ପାକିସ୍ତାନକୁ ନେଇ ମୋଦିଙ୍କ ଏଭଳି ବୟାନ ପରେ ଏବେ ସାରା ଦେଶରେ ଏହାକୁ ଚର୍ଚ୍ଚା । ଅନ୍ୟପଟେ ପାକିସ୍ତାନ ମଧ୍ୟ ମୋଦିଙ୍କ ସ୍ପଷ୍ଟ ଉକ୍ତିକୁ ବୁଝି ସାରିଥିବ ବୋଲି କହିଲେଣି ବୁଦ୍ଧିଜୀବୀ । ଖାଲି ପାକିସ୍ତାନ ନୁହେଁ, ସାରା ବିଶ୍ୱ ବି ଭାରତର ଏଭଳି ଦୃଢ଼ ଆଭିମୁଖ୍ୟ ଦେଖି ସ୍ପଷ୍ଟ ଇଶାରା ପାଇସାରିଛି ।