Operation Sindoor: ପାକିସ୍ତାନ କ'ଣ କରିବ, ଭାରତ ଆଗୁଆ ଜାଣିଥିଲା ! ସେଥିପାଇଁ...

ପୁଣି ଶୁଣାଗଲା ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମର କଥା । ଭାରତର ତିନି ସେନାର ଡିରେକ୍ଟର ଜେନେରାଲ୍, ମିଲିଟାରୀ ଅପରେସନ, ନେଭାଲ୍ ଅପରେସନ ଓ ଏୟାରଫୋର୍ସ ଅପରେସନ, ଆଜି ଏକା ସାଙ୍ଗରେ ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କଲେ। ଅପରେସନ ସିନ୍ଦୂର ବାବଦରେ ଅଧିକ ବିସ୍ତୃତ ତଥ୍ୟ ଦେଲେ । ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ଏୟାରବେସ୍ ଉପରେ ଘାତକ ଆକ୍ରମଣଠାରୁ ନେଇ କେମିତି ଭାରତୀୟ ସେନାର ଚତୁଃସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଆକ୍ରମଣକୁ ଫେଲ୍ କରିଦେଲା ସେ ବାବଦରେ ବି କହିଲେ।
ମାଟି କାମୁଡ଼ିଲେ ପାକିସ୍ତାନ ବ୍ୟବହାର କରିଥିବା ଚାଇନା ମେଡ୍ ମିସାଇଲ୍ ଓ ଶହ ଶହ ଡ୍ରୋନ୍ । ସେନାର ଦୃଢ଼ୋକ୍ତି, ସମ୍ପୂର୍ଣ୍ଣ ସୁରକ୍ଷିତ ଭାରତର ସମସ୍ତ ମିଲିଟାରୀ ବେସ୍ । ପରବର୍ତ୍ତୀ ମିଶନ ପାଇଁ ସବୁବେଳେ ପ୍ରସ୍ତୁତ ଭାରତୀୟ ସେନା ।
ପାକିସ୍ତାନର ନୁର ଖାନ୍ ଏୟାରବେସ୍ । ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ମିଲିଟାରୀ କଣ୍ଟ୍ରୋଲ୍ ଷ୍ଟେସନଠାରୁ ମାତ୍ର କିଛି କିଲୋମିଟର ଦୂରରେ ଥିବା ଏହି ଏୟାରବେସ ଉପରେ ଭାରତୀୟ ସେନାର ଘାତକ ଆକ୍ରମଣ ଫଳରେ ଅନେକ କ୍ଷୟକ୍ଷତି ହୋଇଛି । ତାର ପ୍ରମାଣ ମଧ୍ୟ ବାୟୁସେନା ଦେଇଛି । ଖାଲି ସେତିକି ନୁହେଁ, ପାକିସ୍ତାନର ରହମିୟାର ଖାନ୍ ଏୟାରବେସ୍ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସାମରିକ ଠିକଣା ଗୁଡ଼ିକ ଉପରେ ମଧ୍ୟ ସଠିକ ଆକ୍ରମଣ କରିଥିଲା ଭାରତୀୟ ସେନା। ଯାହା ଫଳରେ ଅସ୍ତ୍ରବିରତି ପାଇଁ ଶରଣ ପଶିଲା ପାକିସ୍ତାନ। ଆଜି ପୁଣି ଥରେ ଭିଡିଓ ଓ ଫଟୋ ଦେଖାଇ ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମର ପୁରା ତଥ୍ୟ ରଖିଛନ୍ତି ଭାରତର ୩ ସେନାର ଡିଜି ମିଲିଟାରୀ ଅପରେସନ।
ପହଲଗାମର ପିଶାଚଙ୍କୁ ଶାସ୍ତି ଦେବାକୁ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା ସ୍ପଷ୍ଟ। ଟାର୍ଗେଟ୍ କେବଳ ଆତଙ୍କବାଦୀ ଓ ଆତଙ୍କବାଦୀ ଶିବିର। ସେହି ଅନୁସାରେ ମେ ୭ ରାତିରେ ଆକ୍ରମଣ କରିଥିଲା ଭାରତ। କିନ୍ତୁ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଏ ଲଢ଼େଇକୁ ନିଜ ଲଢ଼େଇ କରିଦେଲା ପାକିସ୍ତାନୀ ସେନା। ପାକ୍ ସେନା ଆତଙ୍କବାଦୀଙ୍କର ସାଥ୍ ଦେଲା। ଆଉ ତାର ପରିଣାମ ସ୍ବରୂପ ଭାରତର ଆକ୍ରମଣରେ ବଡ଼ ଧରଣର କ୍ଷୟକ୍ଷତି ସହିଲା ପାକିସ୍ତାନ।
ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଓ ତାଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନର ପାପର କଳସ ପୂରି ସାରିଥିଲା। ଭାରତ ଖୋଜି ଖୋଜି ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କଲା । ଚୋରି ଧରାପଡ଼ିଯିବା ପରେ ପାକିସ୍ତାନ ଆକ୍ରାମକ ହେବା ତ ସ୍ବାଭାବିକ ଥିଲା। ଏଥିପାଇଁ ପୂର୍ବରୁ ହିଁ ସମସ୍ତ ପ୍ରସ୍ତୁତି କରିଥିଲା ଭାରତୀୟ ସେନା। ଭାରତ ପାଇଁ ସୁରକ୍ଷାର ଢାଲ ପାଲଟିଲା ଆମର ମଲଟି ଲେୟାର ଏୟାର ଡିଫେନ୍ସ ସିଷ୍ଟମ। ଭାରତର ଅଭେଦ୍ୟ ସୁରକ୍ଷା କବଚ ଆଗରେ ଫେଲ୍ ମାରିଲା ପାକିସ୍ତାନ ବ୍ୟବହାର କରିଥିବା ଚାଇନା ମେଡ୍ ମିସାଇଲ୍ ଓ ଶହ ଶହ ସଂଖ୍ୟାରେ ଡ୍ରୋନ୍। ପାକିସ୍ତାନର PL-15କୁ ମାରି ଖସାଗଲା। ଡ୍ରୋନ୍ ଗୁଡ଼ିକୁ ଖସାଇବା ପାଇଁ ଲେଜର ଗନର ବ୍ୟବହାର କରାଗଲା । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଲେ ବର୍ଡର ସିକ୍ୟୁରିଟି ଫୋର୍ସ ବା BSF।
ପାକିସ୍ତାନର ଆକ୍ରମଣରେ ଭାରତୀୟ ସେନାର ସେପରି କୌଣସି କ୍ଷୟକ୍ଷତି ହୋଇନାହିଁ। DGMO କହିଛନ୍ତି, ଆମର ସବୁ ମିଲିଟାରୀ ବେସ୍, ସବୁ ସାମରିକ ଯନ୍ତ୍ରାଂଶ ସୁରକ୍ଷିତ ଅଛି। ଆବଶ୍ୟକସ୍ଥଳେ ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ନିଜର ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ସେନା।