Operation Sindoor: ଆକ୍ସନ ମୋଡ୍ରେ ଭାରତୀୟ ସେନା, ଆତଙ୍କବାଦୀଙ୍କ ଉପରେ ପ୍ରଚଣ୍ଡ ହମଲା ! ଚିହ୍ନି ହେଉନି ମୁହଁ...

Key Points
-କାଶ୍ମୀରର ବିଭିନ୍ନ ସ୍ଥାନରେ ଲାଗିଲା ପହଲଗାମ୍ ଆତଙ୍କବାଦୀଙ୍କ ପୋଷ୍ଟର
-ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର
ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ସୋପିଆନ୍ ଜିଲ୍ଲାରେ ମଙ୍ଗଳବାର ଭାରତୀୟ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଏଠାକାର ସୁକରୁ ଜଙ୍ଗଲରେ କିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍। ଜଙ୍ଗଲକୁ ଚାରିପଟୁ ଘେରାବନ୍ଦୀ କରି କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ସେନାର ଯବାନ। କିଛି ସମୟ ଭିତରେ ଆତଙ୍କବାଦୀ ହୋଇଥିଲେ ଟ୍ରେସ୍। ତେବେ ସେନାକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏହାପରେ ଆରମ୍ଭ ହୋଇଥିଲା ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ। ଆଉ ସେନାର ପ୍ରତିଆକ୍ରମଣ ଏତେ ପ୍ରଚଣ୍ଡ ଥିଲା ଯେ କିଛି ମିନିଟ୍ ବି ତିଷ୍ଠି ପାରିନଥିଲେ ଲସ୍କର- ଇ- ତୋଏବାର ଏହି ୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀ।
ସମସ୍ତ ୩ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେମାନଙ୍କ ନିକଟରୁ ବହୁ ଗୁଳି, ଗୋଳା ଓ ୩ଟି ଏକେ 47 ରାଇଫଲ ଜବତ କରାଯାଇଛି। ତେବେ ଭୟଙ୍କର ଥିଲା ସେନାର ଆକ୍ରମଣ ଯେ ଆତଙ୍କବାଦୀଙ୍କ ଚେହେରା ବି ଚିହ୍ନିବା ମୁସ୍କିଲ ହୋଇପଡ଼ିଛି । ମୃତ ୩ ଆତଙ୍କବାଦୀ ହେଉଛନ୍ତି ଶାହିଦ କୁଟ୍ଟା ଓ ଆଦନନ ସାଫି ଦର ତୃତୀୟ ଆତଙ୍କବାଦୀର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। କାଳେ ଆଉ କେହି ଆତଙ୍କବାଦୀ ଲୁଚିଥିବେ ସେଥିପାଇଁ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ପ୍ରଧାନମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ସରିନି ଅପରେସନ୍ ସିନ୍ଦୁର। ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯିବ। ଆଉ ତାହା କରି ଦେଖାଇଛନ୍ତି ସେନାର ଜବାନ।
ସେପଟେ ପହଲଗାମ୍ ନରସଂହାରରେ ସଂପୃକ୍ତ ଆତଙ୍କବାଦୀଙ୍କ ଧରିବା ଲାଗି ଅଭିଯାନକୁ ଜୋରଦାର କରାଯାଇଛି। କାଶ୍ମୀରର ବିଭିନ୍ନ ସ୍ଥାନରେ ଲଗାଯାଇଛି ପହଲଗାମ୍ ଆଟାକରେ ସଂପୃକ୍ତ ୩ ଆତଙ୍କବାଦୀଙ୍କ ପୋଷ୍ଟର। ସେମାନଙ୍କ ବିଷୟରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।