Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ଇନ୍‌ପୁଟ୍‌ ଦେଲା ଗୁଇନ୍ଦା, ରିପୋର୍ଟ ପ୍ରସ୍ତୁତ କଲା ସେନା ! ତାପରେ ହେଲା ଆଟାକ୍‌...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Operation Sindoor: ଇନ୍‌ପୁଟ୍‌ ଦେଲା ଗୁଇନ୍ଦା, ରିପୋର୍ଟ ପ୍ରସ୍ତୁତ କଲା ସେନା ! ତାପରେ ହେଲା ଆଟାକ୍‌...

ସାରା ବିଶ୍ୱରେ ଏବେ ଗୋଟିଏ ଚର୍ଚ୍ଚା । ପାକିସ୍ତାନ ଉପରେ ଭାରତର ମିସାଇଲ୍‌ ଷ୍ଟ୍ରାଇକ୍‌। ସବୁଠି ଗୋଟିଏ କଥା, ପହଲଗାମ ଆକ୍ରମଣର ବଦ୍‌ଲା ନେଲା ଭାରତ । ମଙ୍ଗଳବାର ରାତି ଓ ବୁଧ ପାହାନ୍ତିରେ ପାକିସ୍ତାନ ଆକାଶରୁ ନିଆଁ ବର୍ଷା କଲା ଭାରତ । ରାତି ଅଧରେ ପାକିସ୍ତାନକୁ ଦିନ କରିଦେଲା ଭାରତ । ପହଲଗାମରେ ବହିଥିବା ନାରୀ ଆଖିର ଲୁହ, ପାକିସ୍ତାନରେ ନିଆଁ ହୋଇ ବର୍ଷିଲା । ଯେଉଁମାନେ ଭାରତ ଉପରେ ନଜର ପକାଇଥିଲେ, ଯେଉଁମାନେ ଭାରତକୁ ବିଭିନ୍ନ ସମୟରେ ଅନୁପ୍ରବେଶ କରି ହିଂସାର ତାଣ୍ଡବ ଲୀଳା ରଚିଥିଲେ, ସେହିମାନଙ୍କ ପେଣ୍ଠ ସ୍ଥଳି ଉପରେ ଆକ୍ରମଣ କରିଛି ଭାରତ ।

ତେବେ ଭାରତ କହିଛି ଯେଉଁସବୁ ସ୍ଥାନକୁ ଟାର୍ଗେଟ କରାଯାଇଛି, ତାହା କେବଳ ଆତଙ୍କୀ ଅଡ୍ଡା ଥିଲା । କୌଣସି ସାଧାରଣ ଲୋକଙ୍କ ଜୀବନ ନେବାକୁ ଚେଷ୍ଟା କରିନି ଭାରତ । ଏହି ଟାର୍ଗେଟଗୁଡ଼ିକ ପାକିସ୍ତାନ ସୀମାରୁ ୧୦୦ କିଲୋମିଟର ମଧ୍ୟରେ ଥିଲା। ସୂତ୍ର ଅନୁଯାୟୀ ଆକ୍ରମଣ ପୂର୍ବରୁ, ଏକ ଡଜନ ଆତଙ୍କବାଦୀ ଆଡ୍ଡା ଚିହ୍ନଟ କରାଯାଇଥିଲା, ସେଗୁଡିକୁ ଟ୍ରାକ୍ କରାଯାଇଥିଲା ଏବଂ ତା’ପରେ ଆକ୍ରମଣ କରି ଧ୍ୱଂସ କରାଯାଇଛି।

ମାତ୍ର ୨୫ ମିନଟ୍‌ର ଥିଲା 'ଅପରେସନ୍‌ ସିନ୍ଦୁର' । ଯେଉଁଥିରେ ୨୬ ମିସାଇଲ ମାଡ଼ କରିଥିଲା ଭାରତ । ଆଉ ଆତଙ୍କବାଦୀଙ୍କ ୯ଟି ସ୍ଥାନକୁ ଲକ୍ଷ୍ୟ କରି ଧ୍ୱସ୍ତବିଧ୍ୱସ୍ତ କରିଛି । ତେବେ ଏଠି ପ୍ରଶ୍ନ କାହିଁକି ସେହି ୯ଟି ସ୍ଥାନକୁ ବାଛିଲା ଭାରତ ? କିଏ ରହୁଥିଲେ ସେଠି ? ସୂତ୍ର ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ବାୟୁସେନା ଆକ୍ରମଣରେ ୪ଟି ଜୈଶ-ଏ-ମହମ୍ମଦ (JeM), ୩ଟି ଲସ୍କର-ଏ-ତୋଇବା (LeT) ଏବଂ ୨ଟି ହିଜବୁଲ ମୁଜାହିଦ୍ଦିନ (HM) ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଛି ଭାରତ। ଏହିସବୁ ଆତଙ୍କବାଦୀ ସଂଗଠନର ପ୍ରମୁଖ ତାଲିମ ଏବଂ ଲଜିଷ୍ଟିକ୍ସ କେନ୍ଦ୍ର ।

ଭାରତ ଦ୍ୱାରା ଟାର୍ଗେଟ କରାଯାଇଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ଶିବିରଗୁଡ଼ିକୁ ମଧ୍ୟ ଧ୍ୱଂସ କରାଯାଇଛି।

ବାହବଲପୁର


ସବୁଠାରୁ ବଡ଼ ଆକ୍ରମଣ ବାହାବଲପୁରରେ କରାଯାଇଥିଲା । ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଆନ୍ତର୍ଜାତୀୟ ସୀମାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ରହିଛି । ଏଠାରେ ଯୁବକମାନଙ୍କୁ ତାଲିମ ଦିଆଯାଏ ଏବଂ ସେମାନଙ୍କ ମାଇଣ୍ଡ ଓ୍ୱାସ୍‌ କରାଯାଏ ।

ମୁରିଦ୍‌କେ


ସାମ୍ବା ସେକ୍ଟର ସୀମାର ୩୦ କିଲୋମିଟର ଭିତରେ ମୁରିଦକେ ନାମକ ଏକ ସ୍ଥାନରେ ଲସ୍କର-ଏ-ତୋଇବା ଶିବିର ଥିଲା। ଏହା ୮୨ ଏକର ଜମିରେ ବିସ୍ତାର । ଏଠାରେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରହିବା ସହ ଶାରୀରିକ ତାଲିମ ଏବଂ ଆତଙ୍କବାଦର ପ୍ରଚାରର ମୁଖ୍ୟ କେନ୍ଦ୍ର ଥିଲା। ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ଅଜମଲ କସାବ ଏବଂ ଅନ୍ୟମାନେ ଏହିଠାରୁ ହିଁ "ଦୌରା-ଏ-ରିବତ" ନାମକ ତାଲିମ ପାଇଥିଲେ।

ଗୁଲପୁର


ସେନା ଦ୍ୱାରା ତୃତୀୟ ଆକ୍ରମଣ ଗୁଲପୁରରେ କରାଯାଇଥିଲା, ଯାହା ପୁଞ୍ଚ-ରାଜୌରୀର ନିୟନ୍ତ୍ରଣ ରେଖା ଭିତରେ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ। ୨୦ ଏପ୍ରିଲ୍ ୨୦୨୩ରେ ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଜୁନ୍ ୨୦୨୪ରେ ଯାତ୍ରୀବାହୀ ବସ୍ ଉପରେ ହୋଇଥିବା ଆକ୍ରମଣର ସୂତ୍ରପାତ ଏହିଠାରୁ ହିଁ କରାଯାଇଥିଲା ।

ସୱାଇ


ପିଓକେର ତଙ୍ଗଧାର ସେକ୍ଟର ଭିତରେ ୩୦ କିଲୋମିଟର ଦୂରରେ ରହିଛି ଲସ୍କର କ୍ୟାମ୍ପ । ୨୧ ଅକ୍ଟୋବର ୨୦୨୪ ରେ ଗନ୍ଦରବଲ ଆକ୍ରମଣ, ୨୪ ଅକ୍ଟୋବର ୨୦୨୪ରେ ଗୁଲମାର୍ଗ ଏବଂ ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆକ୍ରମଣର ସୂତ୍ରପାତ ଏହିଠାରୁ ହିଁ କରାଯାଇଥିଲା । ସେଥିପାଇଁ ଅତଙ୍କବାଦୀଙ୍କ ସଓ୍ୱାଇ ଅଡ୍ଡାକୁ ଟାର୍ଗେଟ କରିଥିଲା ଭାରତ ।

ବିଲାଲ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେନା ଦ୍ୱାରା ଟାର୍ଗେଟ କରାଯାଇଥିବା ପଞ୍ଚମ ସ୍ଥାନ ଥିଲା ବିଲାଲ୍ କ୍ୟାମ୍ପ । ଏହା ଜୈଶ-ଏ-ମହମ୍ମଦର ଲଞ୍ଚପ୍ୟାଡ୍ ଥିଲା। ଭାରତୀୟ ସୀମାରେ ଅନୁପ୍ରବେଶ ପୂର୍ବରୁ ଆତଙ୍କବାଦୀଙ୍କ ଅସ୍ଥାୟୀ ରହଣି ପାଇଁ JeMର ଏହି ଟ୍ରାଞ୍ଜିଟ୍ କ୍ୟାମ୍ପ ବ୍ୟବହାର କରାଯାଏ।

କୋଟଲି


ଷଷ୍ଠ ସ୍ଥାନ ଥିଲା ଲସ୍କର କୋଟଲି ଶିବିର । ରାଜୌରୀ ନିକଟରେ ଏଲଓସିରୁ ୧୫ କିଲୋମିଟର ଦୂରରେ ଲସ୍କର-ଏ-ତୈବା କ୍ୟାମ୍ପ। ଏଠାରେ ପ୍ରାୟ ୫୦ ଜଣ ଆତଙ୍କବାଦୀ ଥିଲେ। ଏହା ହିଜବୁଲର ସବୁଠାରୁ ପୁରୁଣା ତାଲିମ କେନ୍ଦ୍ର ଥିଲା । ଯେଉଁଠାରେ ସ୍ନାଇପିଂ ଏବଂ ପାହାଡ଼ ଯୁଦ୍ଧରେ ବିଶେଷ ତାଲିମ ଦେଇଥାଏ। ଏଠାରେ ବୋମା ବିସ୍ଫୋରଣର ମଧ୍ୟ ତାଲିମ ଦିଆଯାଏ ।

ବରନାଲ


ଲସ୍କର-ଏ-ତୈବାର ଏହି ଅଡ୍ଡା ପୁଞ୍ଚ-ରାଜୌରୀ ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ବ୍ୟବହୃତ ହୁଏ। ଏଠାରେ ୧୦୦-୧୫୦ ଆତଙ୍କବାଦୀ ରୁହନ୍ତି। ଏଲଓସି ଠାରୁ ଏହା ମାତ୍ର ୧୦ କିମି ଦୂରରେ ରହିଛି ।

ସର୍ଜାଲ


ସାମ୍ବା-କଠୁଆ ନିକଟରେ ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଜୈଶ-ଏ-ମହମ୍ମଦର ଏକ ଶିବିର ଅଛି। ଏଠାରୁ ଆତଙ୍କବାଦୀମାନଙ୍କୁ ସୁଡ଼ଙ୍ଗ ଏବଂ ଡ୍ରୋନ୍ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରାଯାଏ।

ମହମୁନା


ବାୟୁସେନାର ନବମ ଏବଂ ଶେଷ ଟାର୍ଗେଟ ଥିଲା ପାକିସ୍ତାନରେ ଅବସ୍ଥିତ ମହମୁନା ଶିବିର । ଯାହା ଅନ୍ତର୍ଜାତୀୟ ସୀମାଠାରୁ ୧୫ କିଲୋମିଟର ଭିତରେ ଅବସ୍ଥିତ। ଏହା ସିଆଲକୋଟ ନିକଟରେ ଅବସ୍ଥିତ ଏବଂ ଏହାକୁ ହିଜବୁଲ ମୁଜାହିଦ୍ଦିନର ତାଲିମ କେନ୍ଦ୍ର ବୋଲି କୁହାଯାଉଛି। ଏଠାରେ ଅସ୍ତ୍ରଶସ୍ତ୍ର ଚଳାଇବାର ପ୍ରଶିକ୍ଷଣ ଦିଆଯାଏ । ଏଠାରୁ ଭାରତରେ ବେଆଇନ ପ୍ରବେଶ ମଧ୍ୟ କରାଯାଏ ।

Sponsored
Operation sindoor why india targeted these 9 terrorist hideouts know the reason | Argus News