Pahalgam Terrorist Attack: ସାମ୍ନାକୁ ଆସିଲା ଆଦିଲର ଡିଟେଲ୍ସ, କେମିତି ରଚିଥିଲା ତାଣ୍ଡବ ?

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଆଦିଲ ଅହମ୍ମଦ ଠୋକରକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ସୂଚନା ଅନୁଯାୟୀ, ଆଦିଲ ୨୦୧୮ରେ ପାକିସ୍ତାନ ଯାଇଥିଲା। ସୂତ୍ର ଅନୁସାରେ ସେ ୩-୪ ଜଣ ଆତଙ୍କବାଦୀଙ୍କ ସହିତ ଛଅ ବର୍ଷ ପରେ ଫେରିଥିଲା। ଆଦିଲ, ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହାରାର ଗୁରେ ଗାଁର ବାସିନ୍ଦା। ତାକୁ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ କୁହାଯାଏ। ସୁରକ୍ଷା ବାହିନୀ ଆଦିଲ ଏବଂ ତାର ସହଯୋଗୀମାନଙ୍କୁ ଖୋଜୁଛି।
ଆଦିଲ ୨୦୧୮ରେ ପାଠପଢ଼ା ପାଇଁ ପାକିସ୍ତାନ ଯାଇଥିଲା। ଗୁଇନ୍ଦା ଅଧିକାରୀମାନେ କହିଛନ୍ତି ଯେ ଆଦିଲ ପାକିସ୍ତାନ ଯିବା ପୂର୍ବରୁ ସେ କଟ୍ଟରପନ୍ଥୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ଥିଲା। ଭାରତ ଛାଡ଼ିବା ପୂର୍ବରୁ ମଧ୍ୟ ସେ ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଲୋକଙ୍କ ଯୋଗାଯୋଗରେ ଥିଲା।
ପାକିସ୍ତାନରେ ପହଞ୍ଚିବା ପରେ, ଆଦିଲ ହଠାତ୍ ଉଭାନ ହୋଇଯାଇଥିଲା। ସେ ନିଜ ପରିବାର ସହିତ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲା। ପ୍ରାୟ ଆଠ ମାସ ପର୍ଯ୍ୟନ୍ତ ତାର କୌଣସି ଖୋଜ ଖବର ପାଇନଥିଲେ ପରିବାର ଲୋକ । ଗୁଇନ୍ଦା ସଂସ୍ଥାଗୁଡ଼ିକ ତାର ଡିଜିଟାଲ୍ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ, କିନ୍ତୁ ଏନେଇ କିଛି ଫାଇଦା ହୋଇନଥିଲା । ଆଦିଲ ଘର ଉପରେ ମଧ୍ୟ ନଜର ରଖାଯାଇଥିଲା, କିନ୍ତୁ ଏଜେନ୍ସିଗୁଡ଼ିକୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନଥିଲା।
ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଦିଲ ପାକିସ୍ତାନରେ କଟ୍ଟରପନ୍ଥୀ ଚିନ୍ତାଧାରା ଏବଂ ମିଲିଟ୍ରି ତାଲିମ ନେଉଥିଲା। ସେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT)ର ହ୍ୟାଣ୍ଡଲରଙ୍କ ପ୍ରଭାବରେ ଆସିଥିଲା। ୨୦୨୪ ଶେଷ ବେଳକୁ ଆଦିଲ ଅହମ୍ମଦ ଠୋକର ସମ୍ପର୍କରେ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । କିନ୍ତୁ ଏଥର ଆଦିଲ ଭାରତ ଭିତରେ ଥିବା ଖବର ସାମ୍ନାକୁ ଆସିଥିଲା। ଆଦିଲ ଅକ୍ଟୋବର ୨୦୨୪ରେ ପୁଞ୍ଚ-ରାଜୌରୀ ସେକ୍ଟରର ଦୁର୍ଗମ ଅଞ୍ଚଳ ଦେଇ ନିୟନ୍ତ୍ରଣ ରେଖା (LoC) ପାର କରିଥିଲା। ଏହି ରାସ୍ତା ଦେଇ ଆସିବା ଖୁବ୍ କଷ୍ଟକର । ଏଠାରେ ଉଚ୍ଚ ପାହାଡ଼, ଘନ ଜଙ୍ଗଲ ରହିଛି ।
ଆଦିଲ ସହିତ ତିନି-ଚାରି ଜଣିଆ ଏକ ଛୋଟ ଗ୍ରୁପ୍ ଥିଲା। ସେମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ହାସିମ ମୁସା ରହିଥିଲା । ଯାହାକୁ ସୁଲେମାନ ନାଁରେ ମଧ୍ୟ ଚିହ୍ନିତ କରାଯାଏ। ସେ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଆଉ ଜଣେ ମୁଖ୍ୟ ଅଭିଯୁକ୍ତ। କୁହାଯାଉଛି ଯେ ମୁସାକୁ ଭାରତ ଆଣିବାରେ ଆଦିଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।
ଜମ୍ମୁ କାଶ୍ମୀରରେ ପ୍ରବେଶ କରିବା ପରେ, ଆଦିଲ କାହାକୁ ଜଣାଇନଥିଲା। ସେ ଜଙ୍ଗଲ ଏବଂ ପାହାଡ଼ିଆ ରାସ୍ତା ବ୍ୟବହାର କରୁଥିଲା । ତାକୁ କିଛି ସମୟ ପାଇଁ କିସ୍ତୱାଡ଼ରେ ଦେଖାଯାଇଥିଲା। ତା’ପରେ ସେ ଅନନ୍ତନାଗ ଚାଲିଯାଇଥିଲା । ସୂତ୍ର ଅନୁସାରେ ସେ ତ୍ରାଲର ପାହାଡ଼ିଆ ରାସ୍ତା କିମ୍ବା ଆତଙ୍କବାଦୀମାନଙ୍କ ଦ୍ୱାରା ବ୍ୟବହୃତ ଆଭ୍ୟନ୍ତରୀଣ ରାସ୍ତାରେ ଯାଆ ଆସ କରିଥାଇପାରନ୍ତି ।
ଏହା ପରେ, ଆଦିଲ ଅନନ୍ତନାଗର କୌଣସି ସ୍ଥାନରେ ଲୁଚି ରହିଥିଲା। ସାଙ୍ଗରେ ଆଣିଥିବା ପାକିସ୍ତାନୀ ଲୋକକୁ ମଧ୍ୟ ସେ ଆଶ୍ରୟ ଦେଇଥିଲା। ସେ କିଛି ସପ୍ତାହ ପର୍ଯ୍ୟନ୍ତ ଲୁଚି ରହିଥିଲା। ଏହି ସମୟ ମଧ୍ୟରେ ସେ କିଛି ସ୍ଲିପର୍ସେଲ୍ ମାନଙ୍କୁ ମଧ୍ୟ ଆକ୍ଟିଭ୍ କରିଥିଲା । ଅଧିକାରୀଙ୍କ କହିବାନୁସାରେ ସେ ଏକ ବଡ଼ ଆକ୍ରମଣ କରିବା ପାଇଁ ସଠିକ୍ ସ୍ଥାନ ଏବଂ ସୁଯୋଗ ଖୋଜୁଥିଲେ। ସେ ଏପରି ଏକ ସ୍ଥାନ ଖୋଜୁଥିଲା, ଯେଉଁଠି ଆକ୍ରମଣ କଲେ ଅଧିକରୁ ଅଧିକ ଲୋକଙ୍କୁ ମାରି ହେବ ଏବଂ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବ।
ମାର୍ଚ୍ଚରେ ଯେତେବେଳେ ବାର୍ସନ୍ ଭ୍ୟାଲିରେ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହେଲା । ସେହି ସମୟକୁ ଆଦିଲ୍ ଏବଂ ତାର ସାଥୀମାନେ ଆକ୍ରମଣ ପାଇଁ ଏକ ଭଲ ସମୟ ବୋଲି ଧରିନେଲେ । ୨୨ ଏପ୍ରିଲ ଦିନ ପ୍ରାୟ ୧.୩୦ ସମୟରେ, ଆଦିଲ ନିଜ ସାଥୀମାନଙ୍କ ସହିତ ବୈସାରନ୍ ଚାରିପାଖରେ ଥିବା ଘନ ଜଙ୍ଗଲ ଭିତରୁ ବହାରକୁ ଆସିଥିଲା। ଆତଙ୍କବାଦୀଙ୍କ ହାତରେ ରାଇଫଲ୍ ଥିଲା ଏବଂ ସେମାନେ ପର୍ଯ୍ୟଟକମାନେ ଏକାଠି ହୋଇଥିବା ସ୍ଥାନ ଆଡ଼କୁ ଆସିଥିଲେ।
ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଆକ୍ରମଣକାରୀମାନେ ସେମାନଙ୍କ ଧର୍ମ ବିଷୟରେ ପଚାରିଥିଲେ। କିଛି ପର୍ଯ୍ୟଟକଙ୍କୁ କଲାମ ପଢ଼ିବାକୁ ମଧ୍ୟ କୁହାଯାଇଥିଲା। ଯେଉଁମାନେ ଏପରି କରିପାରିଲେ ନାହିଁ କିମ୍ବା ସଂକୋଚ କଲେ, ସେମାନଙ୍କୁ ଗୁଳି କରାଯାଇଥିଲା। ଅନେକ ଲୋକଙ୍କୁ ଅତି ନିକଟରୁ ମୁଣ୍ଡକୁ ଗୁଳି ମାରିଥିଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଭାରତୀୟ ନୌସେନା ଏବଂ ଆଇବିର ଦୁଇ ଜଣ ଅଧିକାରୀ ମଧ୍ୟ ଥିଲେ।
ଜମ୍ମୁ ଓ କାଶ୍ମୀର ପୋଲିସ ପହଲଗାମ ଆକ୍ରମଣର ତିନି ଜଣ ମୁଖ୍ୟ ସନ୍ଦିଗ୍ଧଙ୍କ ମଧ୍ୟରୁ ଆଦିଲକୁ ଆନୁଷ୍ଠାନିକ ଭାବରେ ନାମିତ କରିଛି। ଅନ୍ୟ ଦୁଇ ଜଣଙ୍କୁ ପାକିସ୍ତାନୀ ନାଗରିକ ହାସିମ ମୁସା ଓରଫ ସୁଲେମାନ ଏବଂ ଅଲି ଭାଇ ଓରଫ ତଲହା ଭାଇ ଭାବରେ ଚିହ୍ନଟ କରାଯାଇଛି। ତିନି ଜଣଙ୍କର ସ୍କେଚ୍ ଜାରି କରାଯାଇଛି। ତାଙ୍କୁ ଗିରଫ କରିବା ପାଇଁ ନିର୍ଭରଯୋଗ୍ୟ ସୂଚନା ପ୍ରଦାନକାରୀଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଅନନ୍ତନାଗ, ପହଲଗାମ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।