କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ, ଏୟାରପୋର୍ଟରେ ପ୍ରବଳ ଭିଡ

କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀର ଛାଡୁଛନ୍ତି ବୁଲିବାକୁ ଆସିଥିବା ସବୁ ପର୍ଯ୍ୟଟକ। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭୟଭୀତ ହୋଇପଡ଼ିଛନ୍ତି ।ସେମାନେ କିପରି ନିଜ ଘରକୁ ଫେରିବେ ସେ ନେଇ ଚିନ୍ତିତ ଅଛନ୍ତି । ଏହାରି ଭିତରେ ଜାମ୍ମୁ କାଶ୍ମୀର ବିମାନ ବନ୍ଦରରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ବିମାନ କମ୍ପାନୀ ଗୁଡ଼ିକ ଭଡ଼ାରେ ଅହେତୁକ ବୃଦ୍ଧି କରିଛନ୍ତି ।
ଏବେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏୟାରଲାଇନ୍ସର ଅତିରିକ୍ତ ୪ଟି ବିମାନ ଚଳାଚଳ କରୁଛି । ଦୁଇଟି ଦିଲ୍ଲୀ ଏବଂ ଆଉ ଦୁଇଟି ମୁମ୍ବାଇ ଯିବାଆସିବା କରୁଛି । ଆବଶ୍ୟକ ପଡ଼ିଲେ ଅଧିକ ବିମାନ ପ୍ରସ୍ତୁତ ରଖାଯାଇଛି ବୋଲି ମନ୍ତ୍ରଣାଳୟ କହିଛି । ତେବେ ଅନ୍ୟପକ୍ଷରେ କମ୍ପାନୀଗୁଡ଼ିକ ଭଡ଼ା ବୃଦ୍ଧି ନ କରିବାକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ । ଏହି କଷ୍ଟ ସମୟରେ ଯାତ୍ରୀଙ୍କ ଉପରେ ଯେପରି ବୋଝ ନ ପଡ଼େ ସେଥିପାଇଁ ଭଡ଼ା ସ୍ବାଭାବିକ ରଖିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ରହିଛି ।
ଜାମ୍ମୁ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଚକିତ କରିଛି । ପୋଲିସ ପୋଷାକ ପିନ୍ଧିଥିବା ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ନାମ ପଚାରି ସେମାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଏପର୍ଯ୍ୟନ୍ତ ଏହି ଭୟଙ୍କର ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି, ଯେଉଁଥିରେ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି । ଏହି ଦୁଃଖଦ ପରିସ୍ଥିତି ମଧ୍ୟରେ, ଏୟାର ଇଣ୍ଡିଆ ଉପତ୍ୟକାରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଆଶ୍ୱସ୍ତି ନିଷ୍ପତ୍ତି ନେଇଛି ।
ପର୍ଯ୍ୟଟକମାନଙ୍କୁ ଆଶ୍ୱସ୍ତି ଦେଇ ଏୟାର ଇଣ୍ଡିଆ ଘୋଷଣା କରିଛି ଯେ ଯଦି କୌଣସି ଯାତ୍ରୀ ତାଙ୍କ ବିମାନ ଯାତ୍ରା ରିସେଡ୍ୟୁଲ କରିବାକୁ ଚାହାଁନ୍ତି, ତେବେ ତାଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ । ସେହି ସମୟରେ, ଯେଉଁମାନେ ସେମାନଙ୍କ ବିମାନ ଯାତ୍ରା ବାତିଲ କରିବାକୁ ଚାହାଁନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ଅର୍ଥାତ୍, ବିମାନ କମ୍ପାନୀ ଗ୍ରାହକମାନଙ୍କଠାରୁ ବାତିଲକରଣ ଶୁଳ୍କ ଆଦାୟ କରିବ ନାହିଁ।
Just look at how Private Airlines are charging 3 times more fare from the panick stricken tourists of Sri Nagar. pic.twitter.com/uFyc3TTgr5
— Manish RJ (@mrjethwani_) April 23, 2025