Pahalgam Terrorist Attack: ସୁଧୁରିଲାଣି ସ୍ଥିତି, ଏଥର ଆସନ୍ତୁ ପର୍ଯ୍ୟଟକ...

ଆତଙ୍କୀଙ୍କ ନରସଂହାରର ୬ ଦିନ ପରେ କେମିତି ଅଛି ପହଲଗାମର ସ୍ଥିତି ? ସୁରକ୍ଷା ବଳୟ ଭିତରେ ବେସାରନ ଭ୍ୟାଲି । ସେନା-CRPF- ଜମ୍ମୁ-କାଶ୍ମୀର ପୋଲିସର କଡ଼ା ପାଟ୍ରୋଲିଂ । ୬ ଦିନ ତଳେ ସେଠାରେ କାପୁରୁଷ ଆତଙ୍କବାଦୀ କରିଥିଲେ ନାରକୀୟ କାଣ୍ଡ। ୨୨ ଏପ୍ରିଲର ସେ ଆତଙ୍କକୁ ପଛରେ ପକାଇ ସ୍ବାଭାବିକ ହେଉଛି ପହଲଗାମର ସ୍ଥିତି। ଭାରତୀୟ ସେନା ସମେତ ସିଆରପିଏଫ୍ ଓ କାଶ୍ମୀର ପୋଲିସ ପ୍ରତି କୋଣ ଅନୁକୋଣ ଉପରେ ଦିନ ରାତି ୨୪ ଘଣ୍ଟା କଡ଼ା ନଜର ରଖିଛନ୍ତି।
ଧାରା ୩୭୦ ଉଚ୍ଛେଦ ପରେ ଦ୍ରୁତ ଗତିରେ ବଦଳିଥିଲା କାଶ୍ମୀର ଘାଟିର ଚିତ୍ର। ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ଫଳରେ କାଶ୍ମୀରବାସୀଙ୍କ ଆର୍ଥିକ ସ୍ଥିତିରେ ଆସିଥିଲା ଉଲ୍ଲେଖନୀୟ ପରିବର୍ତ୍ତନ। ଏବେ ସ୍ଥିତି ଭିନ୍ନ। ପହଲଗାମର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ କାଁ ଭାଁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ଶ୍ରୀନଗର ବି ପ୍ରାୟ ପର୍ଯ୍ୟଟକ ଶୂନ୍ୟ। ଡାଲ୍ ହ୍ରଦ ଯାହା ଘାଟିକୁ ଆସୁଥିବା ପ୍ରତି ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ର ଥିଲା ଏବେ କିନ୍ତୁ ଏଠାକୁ ବି ହାତ ଗଣତି ପର୍ଯ୍ୟଟକ ଆସୁଛନ୍ତି। ଏଠାରେ ଶିକାରା ଚଳାଉଥିବା ସ୍ଥାନୀୟ ଲୋକଙ୍କ ପାଖରେ ଏବେ ରୋଜଗାର ନାହିଁ। ଏବେ ଆଉ ଭୟର ବାତାବରଣ ନାହିଁ। ଏଥିପାଇଁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସିବାକୁ ସେମାନେ ଅନୁରୋଧ କରିଛନ୍ତି।
ସେପଟେ ପହଲାଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ଚାଲିଛି ମାରାଥନ ଅପରେସନ । ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଆସିଫ ଶେଖର ପୁଲୱାମା ତ୍ରାଲରେ ଥିବା ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଆସିଫ୍ 2018ରେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । କାଶ୍ମୀରର ଲୋକାଲ ଲିଡର ଭାବେ ସେ LET ପାଇଁ କାମ କରୁଥିଲା। ତାର ଅନ୍ୟ ସହଯୋଗୀଙ୍କୁ ଗିରଫ କରିଛି କାଶ୍ମୀର ପୋଲିସ।