Pahalgam Terrorist Attack: ଖୋଜି ଖୋଜି ହିନ୍ଦୁଙ୍କୁ ମାରୁଥିଲେ ଆତଙ୍କୀ !

ଜାମ୍ମୁ କାଶ୍ମୀର ପହଲଗାମ୍ରେ ଭୟଙ୍କର ଆତଙ୍କବାଦୀ ହମଲା । ଆତଙ୍କୀ ଗୁଳିରେ ପାଖାପାଖି ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ । ଯାହାକି ସାରା ଦେଶରେ ଏବେ ଆଲୋଡ଼ନ ସୃଷ୍ଟି କରିଛି । ଆତଙ୍କୀ ହମ୍ଲା ଖବର ପାଇ, ସାଉଦୀ ଆରବରେ ଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚିହିଁକି ଉଠିଛନ୍ତି । ସେଠାରୁ ଫୋନ କରି ଅମିତ ଶାହଙ୍କୁ ତୁରନ୍ତ କଡ଼ା ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ ମୋଦି କହିଛନ୍ତି କାହାରିକୁ ଛଡ଼ା ଯିବନି ।
ଅନ୍ୟପଟେ ଆତଙ୍କବାଦୀ ହମ୍ଲାର ମାତ୍ର କିଛି ସମୟ ପରେ ଅମିତ ଶାହ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ଶାହ ପହଞ୍ଚିବା ପୂର୍ବରୁ ପାରା କମାଣ୍ଡୋ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ପର୍ଯ୍ୟଟକଙ୍କ ମୃତ୍ୟ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।
ଅନ୍ୟପଟେ ସବୁଠାରୁ ବଡ଼ କଥା ହେଲା ଆତଙ୍କବାଦୀମାନେ ପୋଲିସ ବେଶରେ ଆସିଥିଲେ । ଦେହରେ ପୋଲିସ ପୋଷାକ ଥିବାରୁ ବନ୍ଧୁକ ଧରି ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବା, ତାଙ୍କ ପାଇଁ ସହଜ ହୋଇଥିଲା । ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବା ପରେ ସେମାନେ ପ୍ରଥମେ ନାଁ ପଚାରିଥିଲେ । ଯେଉଁଠି ହିନ୍ଦୁ ନାଁ ଶୁଣୁଥିଲେ ସେଠି ଗୁଳି ବର୍ଷା କରୁଥିଲେ । ଏମିତି କିଛି ସମୟ ମଧ୍ୟରେ ପୂରା ଅଞ୍ଚଳ ସ୍ମଶାନରେ ପରିଣତ ହୋଇଥିଲା । ଯୁଆଡ଼େ ଚାହିଁବ ସିଆଡ଼େ କେବଳ ଶବ ପଡ଼ିଥିଲା । ଆଖି ପିଛୁଳାକେ ଅନେକ ନୀରିହ ଜୀବନ ଟଳିପଡ଼ିଥିଲା । ବନ୍ଧୁକ ଗର୍ଜନ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ଥିଲେ । ଘରୁ ବାହାରିବାକୁ ବି ଡରୁଥିଲେ ।
ଖବର ପାଇ ପୋଲିସ ଓ ଅନ୍ୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆତଙ୍କବାଦୀ ସବୁ ସାରିଦେଇ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତରଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଆକ୍ରମଣ ପରେ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
ପହଲଗାମରେ ପର୍ଯ୍ୟଟକମାନେ ଟ୍ରେକିଂ କରୁଥିଲେ । ଗ୍ରୀଷ୍ମ ଛୁଟିକୁ ଦୃଷ୍ଟିରେ ରଖି ପହଲଗାମ ଅଞ୍ଚଳରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଏଭଳି ଘଟଣା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ଏହି ଗୁଳିକାଣ୍ଡ ପାଇଁ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟେନ୍ସ ଫ୍ରଣ୍ଟ ତଥା 'ଟିଆରଏଫ୍' ନିଜକୁ ଦାୟୀ କରିଛି ।
ଅନ୍ୟପଟେ ଘଟଣାକୁ ନେଇ ଭୀଷଣ ରାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ କାହାକୁ ଛାଡ଼ିବୁନି । ଜଣେ ବି ଆତଙ୍କବାଦୀ ତ୍ରାହି ପାଇବେନି, ଦୃଢ଼ ଜବାବ ଦିଆଯିବ । ଆତଙ୍କବାଦୀଙ୍କ ଏଜେଣ୍ଡା ସଫଳ ହେବ ନାହିଁ । ଏହାସହ ସେମାନଙ୍କ ମନ୍ଦ ଉଦେଶ୍ୟକୁ ସଫଳ କରିବାକୁ ଦିଆଯିବନି। ଆତଙ୍କବାଦୀଙ୍କୁ ଦମନ କରାଯିବ ଆଉ ତ୍ରାହି ପାଇବେନି । ସେହିଭଳି ଏହାକୁ ଦୃଢ଼ ନିନ୍ଦା କରିବା ସହ ନୀରିହ ଜନତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
📱 Get Argus News App
✨ସେପଟେ ଆତଙ୍କୀ ହମ୍ଲାକୁ ଦୃଢ଼ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଦୈପଦୀ ମୁର୍ମୁ । ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ସେମାନଙ୍କ ଅମାନବୀୟ କାର୍ଯ୍ୟ ନିନ୍ଦନୀୟ, ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି ।
୨୬ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ଥିବା ସୂଚନା । ବାଲେଶ୍ୱର ସରଗାଁ ପଞ୍ଚାୟତର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି । ପତ୍ନୀ ଓ ପୁଅ ସହ ବୁଲି ଯାଇଥିଲା ବେଳେ ଗୁଳିମାଡ଼ ହୋଇଛି । ସ୍ବାମୀଙ୍କ ମୁଣ୍ଡରେ ଗୁଳି ବାଜିଛି ବୋଲି କହୁଛନ୍ତି ପତ୍ନୀ । ବର୍ତ୍ତମାନ ସ୍ବାମୀ କେଉଁଠି ଅଛନ୍ତି ସେ ଜାଣି ପାରୁନାହାନ୍ତି ବୋଲି ମଧ୍ୟ କହିଛନ୍ତି । ହେଲ୍ପଲାଇନ୍ ନଂ ଯୋଗେ ଯୋଗାଯୋଗରୁ ସ୍ପଷ୍ଟ ହେଲା ମୃତ୍ୟୁ । ହେଲ୍ପଲାଇନ୍ ନଂ- ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦ ।