Pahalgam Terrorist Attack: 'କାଶ୍ମୀରରେ ଶାନ୍ତି ଭଙ୍ଗ ପାଇଁ ଏହା ଥିଲା ଷଡ଼ଯନ୍ତ୍ର'

ଜାମ୍ମୁ କାଶ୍ମୀର ପହଲଗାମ୍ରେ ଆତଙ୍କୀ ହମ୍ଲା । ସାରା ଦେଶରେ ଆଲୋଡ଼ନ । ଦିଲ୍ଲୀରେ ହାଇ ଆଲର୍ଟ । ପର୍ଯ୍ୟଟନସ୍ଥଳୀ ଉପରେ କଡ଼ା ନଜର । ପହଲଗାମରେ ଛାଇ ଗଲେଣି ସୁରକ୍ଷା ବାହିନୀ । ଆତଙ୍କୁ ମୁଣ୍ଡ ଗଡ଼ାଇବାକୁ ପାରା କମାଣ୍ଡୋ ବି ତୟାର । ଗୃହମନ୍ତ୍ରୀ ଅମିତ ଶାହ ବି ପହଲଗାମରେ ପହଞ୍ଚିସାରିଛନ୍ତି । ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ବି କରିସାରିଛନ୍ତି । ଆଉ କହିଛନ୍ତି ଏହି ଘଟଣାରେ କାହାରିକୁ ଛାଡ଼ା ଯିବନି ।
ଏହି ଅଆତଙ୍କୀ ହମ୍ଲାରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା କରାଯାଉଛି । କାରଣ ଏବେ ବି ୨୦ ଜଣ ଗୁରୁତର ଅବସ୍ଥାନରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ୨୬ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ବେଳେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ରହିଛନ୍ତି । ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।
ଅନ୍ୟପଟେ ଏହି ଆତଙ୍କୀ ଘଟଣାର ତଦନ୍ତ କରିବ NIA । ଆସନ୍ତାକାଲି ସୁଦ୍ଧା ପହଲଗାମ୍ରେ ପହଞ୍ଚିବ NIA ଟିମ୍ । ଆତଙ୍କୀଙ୍କ ଏହି ଯୋଜନାବଦ୍ଧ ଆକ୍ରମଣରେ ପହଲଗାମ ରକ୍ତରଂଜିତ ହୋଇଛି । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ପହଲଗାମକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ ।
ଆଜି ଦିନ ପ୍ରାୟ ସାଢେ ୨ଟା ସମୟରେ ପହଲଗାମ୍ରେ ଏହି ଭୟଙ୍କର ଆତଙ୍କୀ ହାମ୍ଲା ହୋଇଛି । ଆକ୍ରମଣ ପରେ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ପହାଲଗାମ ହିଲ୍ ଷ୍ଟେସନଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଏହି ସମୟରେ କିଛି ପର୍ଯ୍ୟଟକ ସେଠି ଘୋଡା ସବାରି କରୁଥିଲେ । ଦଳେ ଆତଙ୍କବାଦୀ ସେଠାରେ ପୋଲିସ ବେଶରେ ପହଞ୍ଚିଥିଲେ । ତାପରେ ଲୋକଙ୍କୁ ନାଁ ପଚାରିଥିଲେ । ହିନ୍ଦୁ ନାଁ ଶୁଣି ଗୁଳି ବର୍ଷା କରିଥିଲେ । ଜଣେ ମହିଳା ପର୍ଯ୍ୟଟକ ଏନେଇ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ଆତଙ୍କବାଦୀମାନେ ଏଭଳି ନାଁ ପଚାରି ହତ୍ୟା କରିଥିବା କହିଛନ୍ତି ।
ଏହି ଆତଙ୍କୀ ହାମ୍ଲା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଏହି ଆକ୍ରମଣ ପାଇଁ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ 'ଦି ରେଜିଷ୍ଟେନ୍ସ ଫ୍ରଣ୍ଟ' ତଥା 'ଟିଆରଏଫ୍' ନିଜକୁ ଦାୟୀ କରିଛି ।
ଜାମ୍ମୁ କାଶ୍ମୀରରେ ଗୁଳି ଫୁଟିବା ଖବର ପାଇ, ସାଉଦୀ ଆରବରେ ଥିବା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚିହିଁକି ଉଠିଛନ୍ତି । ସେଠାରୁ ଫୋନ କରି ଅମିତ ଶାହଙ୍କୁ ତୁରନ୍ତ କଡ଼ା ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ ମୋଦି କହିଛନ୍ତି କାହାରିକୁ ଛଡ଼ା ଯିବନି । ଜଣେ ବି ଆତଙ୍କବାଦୀ ତ୍ରାହି ପାଇବେନି, ଦୃଢ଼ ଜବାବ ଦିଆଯିବ । ଆତଙ୍କବାଦୀଙ୍କ ଏଜେଣ୍ଡା ସଫଳ ହେବ ନାହିଁ । ଏହାସହ ସେମାନଙ୍କ ମନ୍ଦ ଉଦେଶ୍ୟକୁ ସଫଳ କରିବାକୁ ଦିଆଯିବନି। ଆତଙ୍କବାଦୀଙ୍କୁ ଦମନ କରାଯିବ ଆଉ ତ୍ରାହି ପାଇବେନି ।
ଏହି ଆତଙ୍କବାଦୀ ଆକ୍ରମଣରେ ଜମ୍ମୁ ଏବଂ କାଶ୍ମୀରର ଲୋକମାନେ ମଧ୍ୟ ଆଘାତ ପାଇଛନ୍ତି। ଆକ୍ରମଣର ଦୁଇ ଘଣ୍ଟା ପରେ କାଶ୍ମୀରର ମସଜିଦଗୁଡ଼ିକରୁ ଏକ ଘୋଷଣା କରି ଏହି ଘଟଣାକୁ ନିନ୍ଦା କରାଯାଇଛି । ଏପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି । ଏହା କାଶ୍ମୀରର ପରିବର୍ତ୍ତିତ ପରିବେଶର ଆଉ ଏକ ଉଦାହରଣ। କାରଣ ଏବେ ସେଠାରେ ଆତଙ୍କବାଦୀଙ୍କ ସମର୍ଥକ ଦେଖାଯାଉ ନାହାଁନ୍ତି। ପହଲଗାମ ଆକ୍ରମଣ ପରେ, ସେଠାକାର ଲୋକମାନେ ଏକ ମହମବତୀ ମାର୍ଚ୍ଚ ବାହାର କରିଥିଲେ। ଏହାର ପ୍ରତିଧ୍ୱନି ନିଶ୍ଚିତ ଭାବରେ ପାକିସ୍ତାନରେ ପହଞ୍ଚିବ ବୋଲି କୁହାଯାଉଛି ।
ପହଲଗାମ ଆକ୍ରମଣ ଇସଲାମ ଏବଂ ମାନବତା ବିରୋଧୀ ବୋଲି ମସ୍ଜିଦ୍ ଗୁଡ଼ିକରେ କୁହାଯାଇଛି। ଆତଙ୍କବାଦର କୌଣସି ଧର୍ମ ନାହିଁ ଏବଂ ଏହି ଆକ୍ରମଣ କାଶ୍ମୀରର ଶାନ୍ତି ଏବଂ ଏକତାକୁ ନଷ୍ଟ କରିବାର ଏକ ଷଡ଼ଯନ୍ତ୍ର। କାଶ୍ମୀର ଆମର ସାଧାରଣ ଘର ଏବଂ ଆମେ ଏହାକୁ ଆତଙ୍କବାଦୀଙ୍କ ହାତରେ ପଡ଼ିବାକୁ ଦେବୁ ନାହିଁ। କାଶ୍ମୀରର ଧାର୍ମିକ ନେତାମାନେ ପର୍ଯ୍ୟଟକଙ୍କ ସହ ଏକତା ପ୍ରକାଶ କରିଥିଲେ ଏବଂ ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ସରକାରଙ୍କୁ ଦାବି କରିଥିଲେ।
