Pahalgam Terrorist Attack: ରଖେ ହରି ତ ମାରେ କିଏ ? ୫ ଫୁଟ୍ ଦୂରରେ ଫୁଟୁଥିଲା ଗୁଳି, ତଥାପି...

ରଖେ ହରି ତ ମାରେ କିଏ ? ପହଲଗାମ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ କଟକର ରଞ୍ଜିତ ଭୋଳ ଓ ତାଙ୍କ ପରିବାର । ଆତଙ୍କୀଙ୍କଠାରୁ ମାତ୍ର ୫ଫୁଟ୍ ଦୂରରେ ରହି ଦେଖିଥିଲେ ନରସଂହାର । ସେପଟେ ପୁଅ କାନ୍ଦିବାରୁ ଅଳ୍ପକେ ବର୍ତ୍ତିଗଲେ ରାଉରକେଲାର ଦମ୍ପତି । ବିପଦ ସମୟରେ ଭଗବାନ ହିଁ ଏକମାତ୍ରା ସାହାରା ।
ପହଲଗାମରେ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଛନ୍ତି କଟକର ରଂଜିତ ଭୋଳ ଓ ତାଙ୍କ ପରିବାର । ଆଖି ସାମ୍ନାରେ ଘଟୁଥିଲା ଆତଙ୍କୀ ବର୍ବରତାର କଳା କାହାଣୀ । ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରି ୪ ଆତଙ୍କୀ ଅତି ନିକଟରୁ ଗୁଳି ମାରୁଥିଲେ । ଆଉ ଏଭଳି ବୀଭତ୍ସ ଦୃଶ୍ୟ ଥିଲା ସେମାନଙ୍କ ଠାରୁ ମାତ୍ର ୫ ଫୁଟ ଦୂର । ଆଖି ସାମ୍ନାରେ ଦେଖିଥିଲେ ନରସଂହାର । ଜୀବନ ବିକଳରେ ସେମାନେ ଲୁଚି ରହିଥିଲେ ।
ରଂଜିତ ସେଠାରେ ପଡିଥିବା ଏକ ଦୋକାନ ଥାକ ପାଖରେ ଲୁଚିଥିବା ବେଳେ ତାଙ୍କ ପୁଅ କମଳ ତଳେ ପଶି ଯାଇଥିଲେ । କିନ୍ତୁ ଗୁଳିର ଶବ୍ଦ ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ବିଚଳିତ କରୁଥାଏ । ପୁରୁଷ ମାନଙ୍କୁ ଡାକି କଲମା ପଢିବାକୁ କହୁଥିଲେ । ଯେଉଁମାନେ ପଢି ପାରୁ ନଥିଲେ ସେମାନଙ୍କ ମଥା ଓ ଛାତିକୁ ଅତି ନୃଶଂସ ଭାବେ ଗୁଳି କରୁଥିଲେ । ଏଭଳି ନରସଂହାର ଘଟାଇବା ପରେ ଆତଙ୍କୀମାନେ ଏପଟ ସେପଟ ଚାହୁଁଥିଲେ । ଆଉ କାହାକୁ ତିଳେ ହେଲେ ସନ୍ଦେହ ହେଲେ ସିଧା ଗୁଳି ମାରୁଥିଲେ । ରଂଜିତଙ୍କ ନିକଟରେ ଥିବା ୩ ଜଣଙ୍କୁ ଗୁଳି ମାରି ଦେଇଥିଲେ । କିନ୍ତୁ ଏଭଳି ଆତଙ୍କୀ ବର୍ବରତାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରଂଜିତ ଭୋଳଙ୍କ ପରିବାର ।
ଗତ ୧୯ ତାରିଖରେ କାଶ୍ମୀର ଯାଇଥିଲେ ରଞ୍ଜିତ ଭୋଳ, ତାଙ୍କ ସ୍ତ୍ରୀ, ପୁଅ ଓ ବୋହୂ । ପହଲଗାମ୍ରେ ପୁଅ ସନ୍ଦୀପ ଭୋଳଙ୍କ ବିବାହ ବାର୍ଷିକୀ ମନାଉଥିଲା ବେଳେ ଆତଙ୍କୀ ରଚିଥିଲେ ନରସଂହାର। ପହଲଗାମରୁ ଫେରିବା ପରେ ମହାଦେବ ବଞ୍ଚାଇ ଦେଲେ ବୋଲି କହିଛନ୍ତି ଭୋଳ ପରିବାର ।
ସେପଟେ ଆଖି ଆଗରେ ଆତଙ୍କୀ ନରସଂହାର ଦେଖି ନଥିଲେ ମଧ୍ୟ ବର୍ବରକାଣ୍ଡ ଶୁଣି ହତବାକ୍ ହୋଇଯାଇଥିଲେ ରାଉରକେଲା ସେକ୍ଟର ୩ରେ ରହୁଥିବା ଅସୀମ ଜ୍ୟୋତି ସାହୁଙ୍କ ପରିବାର । ଦୁଇବର୍ଷର ପୁଅ ବଞ୍ଚାଇ ଦେଲା ବାପାମାଙ୍କ ଜୀବନ । ୨୨ ତାରିଖ ସକାଳେ ସେମାନେ ପରିବାର ସହ ହୋଟୋଲରୁ ପହଲଗାମ୍ ଅଭିମୁଖେ ବାହାରିଥାନ୍ତେ । ସବୁକିଛି ସେମାନଙ୍କ ଯୋଜନା ଅନୁଯାୟୀ ଚାଲିଥିଲା। କିନ୍ତୁ ପୁଅ ଆକାୟ କାନ୍ଦିବା ଯୋଗୁଁ ସେମାନେ ହୋଟେଲରୁ ବାହାରିବା ବିଳମ୍ବ ହୋଇଥିଲା। ସକାଳ ୯ଟା ପରିବର୍ତ୍ତେ ଦିନ ୧୧ଟାରେ ପହଗଲଗାମ ବୁଲିବାକୁ ଯାଇଥିଲେ। ଆଉ ବିଳମ୍ବରେ ପହଞ୍ଚିବାରୁ ଆତଙ୍କୀ ନରସଂହାରରୁ ଅଳ୍ପକେ ବର୍ତ୍ତିଗଲେ। ଜୀବନ ବଞ୍ଚିଯାଇଥିବାରୁ ସେମାନେ ଭଗବାନଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଛନ୍ତି ।
ଗତ ୨୨ ତାରିଖରେ ଆତଙ୍କୀ ବର୍ବରତାରେ ଯାଇଥିଲା ୨୬ଜଣ ନୀରିହ ନାଗରିକଙ୍କ ଜୀବନ । ପ୍ରକୃତିର ଅପୂର୍ବ ଶୋଭାରାଜି ଭିତରେ ଚାଳିଥିଲା ଆତଙ୍କର ନାରକୀୟ କାଣ୍ଡ । ଆଉ ଏହାର କଡା ଜବାବ ଦେବାକୁ ଏବେ ପ୍ରସ୍ତୁତ ହେଉଛି ଭାରତ ।