Videos
|
National

Rajasthan Railway Track Blast / ପ୍ରେମ ଜାଲରେ ଫସାଇ ରେଳ ଟ୍ରାକ୍‌ରେ ବିସ୍ଫୋରଣ…ମହକଦୀପ-ଦେବେନ୍ଦ୍ରଙ୍କ ବଡ଼ ଖୁଲାସା

Ritu Das
Browse all articles by Ritu Das
·34 mins ago·3 min read
ପ୍ରେମ ଜାଲରେ ଫସାଇ ରେଳ ଟ୍ରାକ୍‌ରେ ବିସ୍ଫୋରଣ…ମହକଦୀପ-ଦେବେନ୍ଦ୍ରଙ୍କ ବଡ଼ ଖୁଲାସା
India

Key Points

ପ୍ରେମ ଜାଲରେ ଫସାଇ ରେଳ ଟ୍ରାକ୍‌ରେ ବିସ୍ଫୋରଣ, ମହକଦୀପ ଓ ଦେବେନ୍ଦ୍ର ଗିରଫ

ପାକିସ୍ତାନୀ ହ୍ୟାଣ୍ଡଲରଙ୍କଠାରୁ ମିଳିଥିଲା ୨.୨୩ ଲକ୍ଷ ଟଙ୍କା, ଡ୍ରୋନ୍‌ରେ ଆସିଥିଲା ବିସ୍ଫୋରକ

ରାଜସ୍ଥାନ ଶ୍ରୀ ଗଙ୍ଗାନଗର ଜିଲ୍ଲାର ରେଲଓ୍ବେ ଟ୍ରାକ ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମହକଦୀପ ଏବଂ ଦେବେନ୍ଦ୍ର ସିଂହଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌ (ATS)। ପ୍ରାଥମିକ ତଦନ୍ତ ଅନୁସାରେ, ପାକିସ୍ତାନରେ ଥିବା ହ୍ୟାଣ୍ଡଲରମାନେ ପ୍ରେମ ସମ୍ପର୍କ ଓ ଟଙ୍କାର ଲୋଭ ଦେଖାଇ ମହକଦୀପଙ୍କୁ ଏହି ଷଡ଼ଯନ୍ତ୍ରରେ ସାମିଲ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମାଧ୍ୟମରେ ଦେବେନ୍ଦ୍ରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିବା ତଦନ୍ତକାରୀ ସଂସ୍ଥା କହିଛି।

ନଭେମ୍ବର ୩ ତାରିଖରେ ରେଳ ଧାରଣାରେ ବିସ୍ଫୋରଣ ହୋଇଥିଲା
ନଭେମ୍ବର ୩ ତାରିଖ ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ଶ୍ରୀଗଙ୍ଗାନଗର ଜିଲ୍ଲାର ୫୦ ଜିବି ଗାଁ ନିକଟ ଅନୁପଗଡ଼-ସୁରତଗଡ଼ ରେଳ ଲାଇନ୍‌ରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ରେଳ ଧାରଣା ତଳେ ଥିବା ଦୁଇରୁ ତିନୋଟି କଂକ୍ରିଟ୍ ସ୍ଲିପର କ୍ଷତିଗ୍ରସ୍ତ ହୋଇଥିଲା। ଏହା ସହ ଟ୍ରାକ୍‌ର କ୍ଲିପ୍‌ଗୁଡ଼ିକ ମଧ୍ୟ ଖସିଯାଇଥିଲା। ତେବେ ବିସ୍ଫୋରଣ ହେବା ବେଳକୁ ଏକ ଟ୍ରେନ୍ ସେହି ସ୍ଥାନ ଅତିକ୍ରମ କରିସାରିଥିବାରୁ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଥିଲା। ତଦନ୍ତକାରୀଙ୍କ ସନ୍ଦେହ ଅନୁସାରେ, ଅନୁପଗଡ଼ରୁ ଭଟିଣ୍ଡା ଯାଉଥିବା ଯାତ୍ରୀବାହୀ ଟ୍ରେନ୍ ଏହି ଷଡ଼ଯନ୍ତ୍ରର ଲକ୍ଷ୍ୟ ଥାଇପାରେ।

ପ୍ରେମ ଜାଲରେ ଫସାଇଥିଲେ ପାକିସ୍ତାନୀ ହ୍ୟାଣ୍ଡଲର
ATSର ତଦନ୍ତ ଅନୁସାରେ, ମହକଦୀପଙ୍କ ସ୍ୱାମୀ କରଣବୀର ସିଂହ ଏକ ନିଶାଦ୍ରବ୍ୟ ଚାଲାଣ ମାମଲାରେ ଜେଲ୍‌ରେ ଅଛନ୍ତି। ଏହା ପରେ ମହକଦୀପଙ୍କ ସମ୍ପର୍କ ପାକିସ୍ତାନରେ ଥିବା 'ଲଭଲି' ନାମକ ଜଣେ ବ୍ୟକ୍ତିଙ୍କ ସହ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ପରେ ତାଙ୍କୁ 'ଶାହ' ନାମରେ ପରିଚିତ ଅନ୍ୟ ଜଣେ ହ୍ୟାଣ୍ଡଲରଙ୍କ ସହ ଯୋଡ଼ାଯାଇଥିଲା।
ପୋଲିସର ଦାବି ଅନୁସାରେ, 'ଶାହ' ମହକଦୀପଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ତାଙ୍କୁ ଟଙ୍କାର ଲୋଭ ଦେଖାଇଥିଲେ। ପରେ 'ଶାହ' ଏବଂ 'ଚାଚା' ନାମରେ ପରିଚିତ ଆଉ ଜଣେ ବ୍ୟକ୍ତି ଭିଡିଓ କଲ୍‌ ମାଧ୍ୟମରେ ତାଙ୍କୁ ବିସ୍ଫୋରଣ ସମ୍ପର୍କିତ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଏହି ଦୁଇ ନାମ କୋଡ୍‌ ନେମ୍‌ ବୋଲି ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି।

ଦୁଇଥର ବିଫଳ ହୋଇଥିଲା ବିସ୍ଫୋରଣ ଯୋଜନା
ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଏହି ରେଳ ଲାଇନ୍‌ରେ ବିସ୍ଫୋରଣ କରିବାକୁ ପୂର୍ବରୁ ମଧ୍ୟ ଦୁଇଥର ଉଦ୍ୟମ କରିଥିଲେ। ପ୍ରଥମେ ଅକ୍ଟୋବର ୬ ତାରିଖରେ ବିସ୍ଫୋରକ ସାମଗ୍ରୀ ଆଣିବାକୁ ଯାଇଥିଲେ ମଧ୍ୟ ତାହା ନମିଳିବାରୁ ଫେରି ଆସିଥିଲେ। ପରେ ଅକ୍ଟୋବର ୧୨ ଓ ୧୩ ତାରିଖରେ ରାମସିଂହପୁର ଏବଂ ବିଜୟନଗର ମଧ୍ୟରେ ରେଳ ଧାରଣାରେ ଟାଇମର ବୋମା ଲଗାଇଥିବା ଅଭିଯୋଗ ହୋଇଛି। କିନ୍ତୁ ତାର ଛିଣ୍ଡିଯିବା ଓ ବୈଷୟିକ ତ୍ରୁଟି ଯୋଗୁଁ ବିସ୍ଫୋରଣ ହୋଇପାରିନଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତୃତୀୟ ଥର ପାଇଁ ନଭେମ୍ବର ୩ ତାରିଖରେ ସେମାନେ ଯୋଜନାକୁ କାର୍ଯ୍ୟକାରୀ କରିଥିବା ତଦନ୍ତକାରୀ ସଂସ୍ଥା ଦାବି କରିଛି। ଏଥର ବିସ୍ଫୋରକ ସାମଗ୍ରୀ ପଞ୍ଜାବ ସୀମା ନିକଟରେ ଡ୍ରୋନ୍‌ ମାଧ୍ୟମରେ ପହଞ୍ଚାଯାଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନେ ନଭେମ୍ବର ୧ ଓ ୨ ତାରିଖରେ ମଧ୍ୟ ଉଦ୍ୟମ କରିଥିଲେ, ହେଲେ ତାହା ସଫଳ ହୋଇନଥିଲା। ଶେଷରେ ନଭେମ୍ବର ୩ ତାରିଖ ରାତିରେ ୫୦ ଜିବି ଗାଁ ନିକଟରେ ବିସ୍ଫୋରଣ ଘଟିଥିଲା।

ଟଙ୍କା ଲୋଭ ଦେଖାଇ ଷଡ଼ଯନ୍ତ୍ର କରିଥିଲେ
ATS ଅନୁସାରେ, ମହକଦୀପ ନିଜ ପ୍ରେମିକ ଦେବେନ୍ଦ୍ର ସିଂହଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିଥିଲେ। ଦୁହେଁ ଯୁକ୍ତ ଦୁଇ ପଢ଼ିବା ସମୟରୁ ପରସ୍ପରକୁ ଜାଣିଥିଲେ ଏବଂ ସମ୍ପର୍କରେ ଥିଲେ। ମହକଦୀପ ଦେବେନ୍ଦ୍ରଙ୍କୁ ଟଙ୍କା ଓ ବିବାହର ପ୍ରତିଶ୍ରୁତି ଦେଇ ଏଥିରେ ସାମିଲ କରିଥିବା ଅଭିଯୋଗ ହୋଇଛି।

ପୋଲିସର ସୂଚନା ଅନୁସାରେ, ପାକିସ୍ତାନୀ ହ୍ୟାଣ୍ଡଲରମାନେ ଏହି ଦୁଇଜଣଙ୍କୁ ମୋଟ ୨.୨୩ ଲକ୍ଷ ଟଙ୍କା ଦେଇଥିଲେ। ଏଥିରୁ ୧ ଲକ୍ଷ ଟଙ୍କା ନଗଦ ଏବଂ ବାକି ଟଙ୍କା ଅନଲାଇନ୍‌ ଟ୍ରାଞ୍ଜାକ୍ସନ୍‌ ମାଧ୍ୟମରେ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି।  ରାଜସ୍ଥାନ ATS, ଶ୍ରୀଗଙ୍ଗାନଗର ପୋଲିସ ଏବଂ ପଞ୍ଜାବ ପୋଲିସର ମିଳିତ ଅଭିଯାନରେ ମହକଦୀପ ଓ ଦେବେନ୍ଦ୍ରଙ୍କୁ ପଞ୍ଜାବର ଗୁରଦାସପୁର ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଦୁଇଟି ବିଦେଶୀ ନିର୍ମିତ ପିସ୍ତଲ, ଗୁଳି ଏବଂ ୩୦ ହଜାର ଟଙ୍କା ଜବତ ହୋଇଥିବା ପୋଲିସ କହିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା ଏବଂ ସେମାନଙ୍କୁ ୮ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି।

ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ATS ପକ୍ଷରୁ ବ୍ୟାପକ ତଦନ୍ତ କରାଯାଇଥିଲା। IANS ରିପୋର୍ଟ ଅନୁସାରେ, ତଦନ୍ତକାରୀ ଦଳ ୫ ଲକ୍ଷରୁ ଅଧିକ ମୋବାଇଲ୍ ଡାଟା ରେକର୍ଡ ଏବଂ ୨୦୦ରୁ ଅଧିକ CCTV ଫୁଟେଜ୍‌ ଯାଞ୍ଚ କରିଥିଲା। ଏହାପରେ ପଞ୍ଜାବ ପୋଲିସର ସହଯୋଗରେ ଅଭିଯୁକ୍ତଙ୍କ ଠିକଣା ଠାବ କରାଯାଇଥିଲା।

ରାଜସ୍ଥାନ ପୋଲିସର ସନ୍ଦେହ ଅନୁସାରେ ପାକିସ୍ତାନରେ ଥିବା ହ୍ୟାଣ୍ଡଲରମାନେ ଏବେ ସାମାଜିକ ଭାବେ ଏକାକୀ କିମ୍ବା ଭାବନାତ୍ମକ ଭାବେ ଦୁର୍ବଳ ଥିବା ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ନିଜ ନେଟୱର୍କରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି। ଏହା ପୂର୍ବରୁ ରାଜସ୍ଥାନର ଗଙ୍ଗାପୁର ସିଟିରେ ବବିତା ନାମକ ଜଣେ ମହିଳାଙ୍କୁ ମଧ୍ୟ ସମାନ ଅଭିଯୋଗରେ ATS ଗିରଫ କରିଥିଲା। ଏବେ ଶ୍ରୀଗଙ୍ଗାନଗର ବିସ୍ଫୋରଣ ପଛରେ ଆଉ କେଉଁମାନଙ୍କ ହାତ ରହିଛି, ଏହି ନେଟୱର୍କରେ ଅନ୍ୟ କେତେଜଣ ସାମିଲ ଅଛନ୍ତି ଏବଂ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଆର୍ଥିକ କାରବାର କିପରି ହୋଇଥିଲା, ସେନେଇ ତଦନ୍ତ ଜାରି ରହିଛି।