ମୋଦି, ରାଜନାଥଙ୍କ ମିଟିଂ ପରେ ଛାନିଆ ପାକିସ୍ତାନ

ମୋଦି, ରାଜନାଥଙ୍କ ମିଟିଂ ପରେ ଛାନିଆ ପାକିସ୍ତାନ । ଆକ୍ରମଣ ପାଇଁ ବଡ଼ ପ୍ରସ୍ତୁତି କରୁଛି ଭାରତ । ପହଲଗାମ୍ ଆକ୍ରମଣ ପରେ କଡ଼ା ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଛି ଭାରତ । ଏଭଳି ପରିସ୍ଥିତିରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ କହିଛନ୍ତି, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ । ଏପରି ପରିସ୍ଥିତିରେ, ସେନାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପରିସ୍ଥିତିରେ କିଛି କୂଟନୈତିକ ନିଷ୍ପତ୍ତି ନେବାକୁ ପଡ଼ିବ, ଯାହା ନିଆଯାଉଛି । ପାକିସ୍ତାନ ସେନା ଭାରତ ଆକ୍ରମଣର ସମ୍ଭାବନା ବିଷୟରେ ସରକାରଙ୍କୁ ସୂଚନା ଦେଇଛି । ବିପଦ ଆସିଲେ ଆମେ ଆମର ପରମାଣୁ ଅସ୍ତ୍ର ବ୍ୟବହାର କରିବୁ ବୋଲି କହିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ।
ପୂର୍ବରୁ, ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଭାରତର ନିଷ୍ପତ୍ତିକୁ ଭୟ କରି ଖୱାଜା ଆସିଫ କହିଥିଲେ ଯେ ଭାରତ ପାଣିକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି । ଉରିର ଜବାବ ସର୍ଜିକାଲ୍ ଷ୍ଟ୍ରାଇକରେ, ପୁଲୱାମାର ଜବାବ ବାଲାକୋଟ ଷ୍ଟ୍ରାଇକରେ । ପହଲଗାମର ପ୍ରତିଶୋଧ କେବେ ? ସମସ୍ତଙ୍କ ଭିତରେ ଏ ଆକ୍ରୋଶ । ୨୨ ଏପ୍ରିଲ୍ ପରଠାରୁ ପାପୀ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ କୂଟନୈତିକ, ଆର୍ଥିକ ଓ ରାଜନୈତିକ ପଦକ୍ଷେପ ନେଉଥିବା ମୋଦି ସରକାର ନେବେ କି ସାମରିକ ଆକ୍ସନ ? ଏ ତମାମ କଳ୍ପନା ଜଳ୍ପନା ଭିତରେ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଏହାପୂର୍ବରୁ CDS ଜେନେରାଲ୍ ଅନୀଲ ଚୌହାନଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । କୁହାଯାଉଛି ପହଲଗାମର କାଉଣ୍ଟର ଆଟାକ୍ ପାଇଁ ରଣନୀତି ପ୍ରସ୍ତୁତି ଚାଲିଛି ।