Pahalgam Terrorist Attack: ଡରିଲାଣି ପାକିସ୍ତାନ, ସୀମାରୁ ହଟାଇଲା ଆତଙ୍କୀ ଟ୍ରେନିଂ ସେଣ୍ଟର !

ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ, ପାକିସ୍ତାନରେ ହାଇଆଲର୍ଟ ଜାରି କରାଯାଇଛି । ପାକିସ୍ତାନ ସେନା ପକ୍ଷରୁ ଭାରତ-ପାକ୍ ସୀମାରେ ଥିବା ସମସ୍ତ ଆତଙ୍କୀ ଅଡ୍ଡାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଭାରତୀୟ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି ।
ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଦୁଇଟା ବେଳେ ଆତଙ୍କବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଥିଲେ । ପହଲଗାମରେ ପୋଲିସ ବେଶରେ ପହଞ୍ଚି ପର୍ଯ୍ୟଟକଙ୍କ ଉପରେ ଗୁଳି ବର୍ଷା କରିଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା ଆତଙ୍କୀମାନେ ପ୍ରଥମେ ନାଁ ପଚାରୁଥିଲେ ତାପରେ ହିନ୍ଦୁ ବୋଲି ଜାଣିବା ପରେ ଗୁଳି ମାରୁଥିଲେ । ଏମିତିକି ପ୍ୟାଣ୍ଟ ଖୋଲି ମଧ୍ୟ ଚିହ୍ନଟ କରୁଥିଲେ । ପର୍ଯ୍ୟଟକ ହିନ୍ଦୁ ନା ମୁସଲିମ୍ ।
ଏହି ଖବର ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ । ସେତେବେଳେ ସେ ସାଉଦିଆରବ ଥିଲେ । ଖବର ଶୁଣି ଭୀଷଣ ରାଗି ଯାଇଥିଲେ ମୋଦି । ତୁରନ୍ତୁ ଅମିତ ଶାହଙ୍କୁ ଫୋନ କରି କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଶାହ ମଧ୍ୟ ଦିଲ୍ଲୀରୁ ବାହାରି ଜମ୍ମୁ କାଶ୍ମୀରରେ ପହଞ୍ଚିଥିଲେ । ତାପରେ ମୋଦି ମଧ୍ୟ ସାଉଦି ଆରବରୁ ତୁରନ୍ତୁ ଭାରତ ଫେରିଥିଲେ । ମୋଦି ଏହି ଘଟଣାକୁ ଖୁବ୍ ନିନ୍ଦା କରିବା ସହ କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଶାହ କାଶ୍ମୀରରେ ପହଞ୍ଚି ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଥିଲେ ।
ମୋଦି-ଶାହଙ୍କ ଏଭଳି ରୂପ ଦେଖି ପାକିସ୍ତାନ ଛାନିଆ ହେଲାଣି । ଏହି ଘଟଣା ପରେ ପାକିସ୍ତାନକୁ ମନେ ପଡ଼ିଯାଇଛି ସେଇ ପୁରୁଣା ସର୍ଜିକାଲ ଷ୍ଟ୍ରାଇକ କଥା । ଆଉ ଏବେ ସର୍ଜିକାଲ ଷ୍ଟ୍ରାଇକ୍ ଭୟ ମାଡ଼ି ବସିଛି । କାରଣ ଗତ ସର୍ଜିକାଲ ଷ୍ଟ୍ରାଇକ୍ ପୂର୍ବରୁ ମଧ୍ୟ ମୋଦି ଓ ଶାହଙ୍କୁ ମଧ୍ୟ ଠିକ୍ ଏମିତି କିଛି ଢ଼ଙ୍ଗରେ ଦେଖିବାକୁ ମିଳିଥିଲା । ତେଣୁ ଭୟରେ ଭାରତ-ପାକ ସୀମାରେ ଥିବା ଆତଙ୍କବାଦୀ ଟ୍ରେନିଂ ସେଣ୍ଟର ସବୁକୁ ତୁରନ୍ତ ଖାଲି କରିବା ପାଇଁ ପାକ ସେନା ନିର୍ଦ୍ଦେଶ ଦେଇଛି । ଗତକାଲି ବିଳମ୍ବିତ ରାତିରେ ସେଠାରେ ଥିବା ଆତଙ୍କବାଦୀଙ୍କୁ ତୁରନ୍ତ ଆଖପାଖ ଗାଁରେ ରହିବା ପାଇଁ କୁହା ଯାଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏବଂ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଲଗାତାର ବୈଠକ ଚାଲିଛି । ଏଲଓସି ସମେତ ଅନେକ ଇଲାକାରେ ପାକିସ୍ତାନ ହାଇ ଆଲର୍ଟ ଜାରି କରିଛି ।
ଅନ୍ୟପଟେ ପହଲଗାମ୍ରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି କଡ଼ା ଚେତାବନୀ । 'ଆତଙ୍କବାଦ ଆଗରେ ମୁଣ୍ଡ ନୁଆଇଁବ ନାହିଁ ଭାରତ । ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ପହଲଗାମ୍ ଆକ୍ରମଣସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହ । ସେହିପରି ଶ୍ରୀନଗରରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହାସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆହତଙ୍କୁ ହସ୍ପିଟାଲ୍ରେ ଭେଟିଛନ୍ତି ଶାହ ।
ସେପଟେ ପେହେଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ । ନୂଆଦିଲ୍ଲୀରେ ଚାଲିଥିବା ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଉପସ୍ଥିତ ରହିଥିଲେ । ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତରୁ ଅଧାରୁ ଫେରି ଆସିଥିଲେ । ଗତକାଲି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି ଜମ୍ମୁ-କାଶ୍ମୀର ସରକାର ।