LOCରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ସୁଧୁରୁନି ପାକିସ୍ତାନ । ଏଲଓସି ବାରମ୍ବାର କରିଚାଲିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ । କୁପୱାଡ଼ା, ଉରୀ ଓ ଅଖୁନର ସେକ୍ଟରରେ ପୁଣି ଆଜି ପାକିସ୍ତାନ ଆଉଟପୋଷ୍ଟରୁ ଭାରତ ଆଡ଼କୁ ହୋଇଛି ଫାୟାରିଂ । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା। ପହଲଗାମ ଘଟଣା ପର ଠାରୁ ସର୍ବମୋଟ ୯ ଥର ଅସ୍ତ୍ରବିରତି ଉଲଂଘନ କରିସାରିଛି ପାକିସ୍ତାନୀ ସେନା । ଭାରତୀୟ ସେନା ବି ଶତ୍ରୁକୁ ତାରି ଭାଷାରେ ଜବାବ ଦେଇଛି ।
ସେପଟେ ଭାରତର ଆକ୍ସନ ଆଶଙ୍କା କରି ପିଓକେରେ ଏଲଓସି ନିକଟରେ ରହୁଥିବା ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ ପ୍ରଶାସନ । ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱାର ଉଲ୍ ହକ୍ ବିଧାନସଭାରେ କହିଛନ୍ତି ଯେ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ୧୩ଟି ନିର୍ବାଚନ ମଣ୍ଡଳୀରେ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଆଞ୍ଚଳିକ ସରକାର ୧୩ଟି ନିର୍ବାଚନ ମଣ୍ଡଳୀରେ "ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା" ଯୋଗାଣ ସୁନିଶ୍ଚିତ କରିବା ପାଇଁ ୧ ବିଲିୟନ ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ତିଆରି କରିଛନ୍ତି । କାହିଁକି ନା ପାକିସ୍ତାନ ଜାଣିସାରିଛି ଯେ ପହଲଗାମ ପାପର ଜବାବ ଭାରତ ନିଶ୍ଚୟ ଦେବ । ସେପଟେ ପିଓକେରେ ହଜାରରୁ ଅଧିକ ମଦ୍ରାସାକୁ ଅତି କମରେ ୧୦ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଭାରତରୁ ପ୍ରତିଜବାବ ଭୟରେ ପିଓକେରେ ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯାଇଛି ।