ସଫଳ ହେବନି ଷଡଯନ୍ତ୍ର, ନିଜ ଫାସରେ ନିଜେ ଫଶିବ

ଆମ ଗାଉଁଲି ଭାଷାରେ ଗୋଟେ କଥାଟେ ଅଛି ନିଜର ପଛେ ନିଶ ନଥାଉ ହେଲେ ପର ନିଶରେ ତେଲ ମାରି କଥା କହିବା ଲୋକଙ୍କର ଗୋଟେ ଅଭ୍ୟାସ। ଏହାର ସରଳ ଅର୍ଥ ହେଉଛି ନିଜର ସାମର୍ଥ୍ୟ ନଥାଇ ଅନ୍ୟକୁ ଛୋଟ ଭାବିବା। ଆପଣ ଏବେ ଭାବୁଥିବେ ଯୁଦ୍ଧ ଭଳି ଏକ ସଙ୍କଟ ସମୟରେ ଏକଥାର କି ଆବଶ୍ୟକତା। ଏକଥା ଏଥିପାଇଁ କହୁଛୁ କାରଣ ପାକିସ୍ତାନର ଅବସ୍ଥା ଏବେ ଠିକ୍ ଏଇ ଭଳି। ଦେଶରେ ଲୋକଙ୍କ ପାଖରେ ଖାଇବାକୁ ଦାନା ନାହିଁ ହେଲେ ଭାରତ ସହ ନେଉଛି ପଙ୍ଗା। ଆମେ ଭାରତକୁ ହଜେଇ ଦେବୁ, ଲିଭେଇ ଦେବୁ ଏମିତି ବାହାପିଆ କଥା କହି ଦେଶବାସୀଙ୍କୁ ସମବେଦନା ଜଣାଉଛନ୍ତି ପାକିସ୍ତାନୀ ନେତା ଓ ସେନା। ନା ଭାରତ ସହ ଲଢିବାକୁ ପାଖରେ ଅଛି ସେନା ବଳ ନା ଅର୍ଥବଳ। କେବଳ ଗୋଟେ ଧର୍ମର ନା ନେଇ ମୁସଲମାନ ଯୁବକଙ୍କୁ ଆତଙ୍କୀ ତାଲିମ ଦେଇ କୁହାଯାଉଛି ମାର ନହେଲେ ମର। ଭାରତ ପକ୍ଷରୁ ୮ ତାରିଖ ରାତିରେ ହୋଇଥିବା ଆକ୍ରମଣରେ ଥରହର ହୋଇଛି ପାକିସ୍ତାନ। ଆଜି ସାରା ବିଶ୍ବକୁ ଭାରତ ସହିତ ଲଢିବାକୁ ସାହାର୍ଯ୍ୟ ମାଗିଛି।
ପ୍ରାଚୀନ ‘କଥା ସରିତ୍ ସାଗର’ରେ ଗୋଟେ କାହାଣୀ ଅଛି। ଜଣେ ରାଜା ଥିଲେ, ତାଙ୍କର ଗୋଟେ ପ୍ରିୟ ମାଙ୍କଡ ଥିଲା। ମାଙ୍କଡଟି ରାଜାଙ୍କର ବହୁ ବିସ୍ବସ୍ଥ ଥିଲା। ରାଜା ତାକୁ ଅଧିକ ବିଶ୍ବାସ କରୁଥିଲେ। ସେଥିପାଇଁ ନିଜର ସୁରକ୍ଷା ଦାୟିତ୍ବ ଦେଇଥିଲେ ମାଙ୍କଡ ହାତରେ। ଦିନେ ରାଜା ମାଙ୍କଡ ହାତରେ ତରବାରୀ ଦେଇ ନିର୍ଭୟରେ ଶୋଇପଡିଲେ। ରାଜା ନିର୍ଭୟରେ ଶୋଇଥିବା ବେଳେ ଏକ ମଶା ଉଡିଆସି ରାଜାଙ୍କ ବେକରେ ବସିଲା। ଯାହାକୁ ଦେଖି ମାଙ୍କଡଟି କିଛି ବୁଦ୍ଧିବାଟ ନପାଇ ମସାକୁ ମାରିବା ପାଇଁ ରାଜାଙ୍କ ବେକରେ ବସାଇଲା ତରବାରୀ ଚୋଟ। ଆଉ ତାପରେ ଯାହା ହୋଇଥିବ ଆପଣ ଭାବନ୍ତୁ।
ଠିକ୍ ସେମିତି ଆତଙ୍କବାଦୀଙ୍କୁ ଭରଷା କରିଛି ପାକିସ୍ତାନ। ସେଦିନ ରାଜା ମାଙ୍କଡକୁ ତରବାରୀ ଦେଇ ଶୋଇ ପଡିବା ଭଳି ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ଆତଙ୍କୀଙ୍କୁ ବନ୍ଧୁକ ଦେଇ ଛାଡି ଦେଇଛନ୍ତି ଦେଶର ସ୍ବାର୍ଥ ରକ୍ଷା କରିବାକୁ। ହେଲେ ମାଙ୍କଡ ଆତଙ୍କବାଦୀ କେଉଁଠୁ ବୁଝିବେ ବିଛା ମନ୍ତ୍ର ନଜାଣି ସାପ ଲାଙ୍ଗୁଡରେ ହାତ ମାରିଲେ ପରିଣାମ କ'ଣ ହୁଏ।
ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର୍ ଆକ୍ରମଣର ଅପରାଧୀଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ ବୋଲି ଅଭିହିତ କରିଥିଲେ। ଆଉ ଯାହା କୂଟନୈତିକ ରଣନୀତିରେ ଭାରତ ପାଇଁ ଥିଲା ଏକ ସୁବର୍ଣ୍ଣସୁଯୋଗ। ମଙ୍ଗଳବାର ବିଳମ୍ବିତ ରାତିରେ ପହଲଗାମରେ ଲିଭି ଯାଇଥିବା ସିନ୍ଦୂରର ମାନ ରକ୍ଷା ପାଇଁ ପାକିସ୍ତାନର ଛାତି ଉପରେ ଭାରତ କରିଥିଲା ଅପରେସନ ସିନ୍ଦୂର।
ମିଶାଇଲ୍ ମାଡରେ ବିଧ୍ବସ୍ତ ହୋଇଛି ପାକିସ୍ତାନ ଆତଙ୍କୀ ଆଡ୍ଡା। ପାକ୍ ଅଧିକୃତ କାଶ୍ମୀରର ୯ ଟି ଠିକଣାରେ ଏୟାର ଷ୍ଟ୍ରାଇକ୍ କରି ବିଧ୍ବସ୍ତ କରିଛି ଆତଙ୍କୀ ଆଡ୍ଡା। ସର୍ବଦଳୀୟ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏବେବି ସରିନି ଅପରେସନ ସିନ୍ଦୂର। ଅପରେସନ ସିନ୍ଦୂରରେ ନିପାତ ହୋଇଛନ୍ତି ୧୦୦ ରୁ ଅଧିକ ଆତଙ୍କୀ। ଏବେବି ଗଣନା ଜାରି ରହିଛି। ଭାରତର ପ୍ରତିଶୋଧ ସିନ୍ଦୂର ପରେ ଏବେ ସୀମାରେ ଗୁଳି ବର୍ଷା କରୁଛି ପାକିସ୍ତାନ । ଆଉ ଯାହାର ମୁହଁ ତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ।
ଭାରତ ଆତଙ୍କବାଦ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ପାକିସ୍ତାନ ସାଧାରଣ ହିନ୍ଦୁ ଲୋକଙ୍କୁ କରୁଛି ନିସାନା। ପାକିସ୍ତାନ ସବୁବେଳେ ଭାରତର ହିନ୍ଦୁ ଓ ପଣ୍ଡିତଙ୍କ ଉପରେ ଆକ୍ରମଣ କରି ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଷଡଯନ୍ତ୍ର କରି ଆସୁଛି। ହେଲେ ଭାରତୀୟଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି ' ବିବିଧତା ମଧ୍ୟରେ ଏକତା'। ଏହି ବିବିଧତା ହେଉଛି ଭାରତର ଏପରି ଏକ ସାମର୍ଥ୍ୟ, ଯାହା ବିଶ୍ୱର ଅନ୍ୟ କେଉଁଠାରେ ମିଳିବ ନାହିଁ । ଆମର ଦେଶ ଗୋଟିଏ ସ୍ବର ବି ଗୋଟିଏ ଯାହାକୁ ଆଜି ଯାଏଁ ବି ବୁଝି ପାରିନି ପାକିସ୍ତାନ। ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଭାରତରେ ରହୁଥିବା ମୁସଲମାନଙ୍କ ମଧ୍ୟରେ।
ପହଲଗାମ ଘଟଣା ପରେ ହିନ୍ଦୁଙ୍କ ସହ ସ୍ବର ମିଳାଇଛନ୍ତି ଭାରତୀୟ ମୁସଲମାନ। ଆଜି ନୁହେଁ ପୂର୍ବରୁ ବି ଭାରତ ପାକିସ୍ତାନ ସାମ୍ପ୍ରଦାୟିକ ଉତ୍ତେଜନା ବେଳେ ଭାରତକୁ ଦୃଢ ସମର୍ଥନ ଦେଇ ଆସିଛନ୍ତି ଭାରତୀୟ ମୁସଲମାନ। ହେଲେ ଏଇ ଆତଙ୍କବାଦ ପାଇଁ ରସାତଳଗାମୀ ହୋଇଥିବା ପାକିସ୍ତାନର ଏଥିପାଇଁ କୌଣସି ଚିନ୍ତା ନାହିଁ। ବରଂ ନିଜର ନିର୍ବୋଧତା ପାଇଁ ନିଜର ଶୀର ଛେଦନ କରୁଛି ନିଜେ।
📱 Get Argus News App
✨ଗୁଇନ୍ଦା ତଥ୍ୟ ଅନୁସାରେ ପାକିସ୍ତାନରେ ୧୫୦ ରୁ ଅଧିକ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛି। ଏମାନଙ୍କର ମୂଳ ଲକ୍ଷ୍ୟ ହେଉଛି ଭାରତଠାରୁ କାଶ୍ମୀରକୁ ଛଡାଇ ନେବାକୁ ବୃଥା ପ୍ରୟାସ କରିବା। ୨୦୨୪ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ କହିଥିଲେ ପାକିସ୍ତାନରେ ୧୫୦ ଟି ଆତଙ୍କବାଦ ସଂଗଠନ ରହିଛି। ସେହିଭଳି ସାଉଥ ଏସିଆ ଟେରିରିଜମ୍ ପୋର୍ଟାଲ SATP ର ରିପୋର୍ଟ କୁହେ ପାକିସ୍ତାନର ଏମିତି କୌଣସି ରାଜ୍ୟ ନାହିଁ ଯେଉଁ ରାଜ୍ୟରେ ଆତଙ୍କବାଦ ସଂଗଠନ ନାହିଁ। ୨୦୨୩ ରେ ଆମେରିକା ସଂସଦରେ ଉପସ୍ଥାପିତ ହୋଇଥିବା ଏକ ଦସ୍ତାବିଜରେ ଜଣା ପଡିଛି ପାକିସ୍ତାନରେ ସାଧାରଣତଃ ପାଞ୍ଚ ପ୍ରକାରର ଆତଙ୍କବାଦୀ ସଂଗଠନ କାର୍ଯ୍ୟ କରୁଛି।
ଯେମିତି କିଛି ସଂଗଠନ ଅଛନ୍ତି ଯେଉଁମାନେ ବିଶ୍ବର କୌଣସି ବି ଦେଶ ଉପରେ ଆକ୍ରମଣ କରିବାକୁ ଯୋଜନା କରନ୍ତି, ଆଉ କିଛି ସଂଗଠନ କେବଳ ଆଫଗାନିସ୍ତାନ ଉପରେ ଆକ୍ରମଣ କରନ୍ତି, ଆଉ କିଛି ସଂଗଠନ କେବଳ କାଶ୍ମୀର ଉପରେ ଆକ୍ରମଣ କରନ୍ତି, ଆଉ କିଛି ସଂଗଠନ ଅଛନ୍ତି ଯିଏ ମାଓମାଦୀଙ୍କ ଭଳି ଦେଶ ଭିତରେ ଆତଙ୍କ ରଚନ୍ତି, ଆଉ ଗୋଟେ ପ୍ରକାର ସଂଗଠନ ମଧ୍ୟ ସେହି ଦେଶ ଭିତରେ ଆତଙ୍କ ରଚନ୍ତି। ଗୁଇନ୍ଦା ତଥ୍ୟ କୁହେ ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ବାର୍ଷିକ ପ୍ରାୟ ୭୯ ରୁ ୮୦ ନିୟୁତ ଆମେରିକୀୟ ଡଲାର (ଅର୍ଥାତ୍ ୬୮୩ କୋଟି ଟଙ୍କା) ଖର୍ଚ୍ଚ କରେ।
ଏହି ଟଙ୍କା ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବା, ଆକ୍ରମଣ କରିବା ଏବଂ ଆତଙ୍କବାଦୀଙ୍କୁ ଦରମା ଦେବାରେ ଖର୍ଚ୍ଚ କରିଥାଏ ପାକିସ୍ତାନ। ପାକିସ୍ତାନ ନିଜ ଦେଶରେ ଆତଙ୍କବାଦକୁ ଦରମା ବାବଦରେ ଜଣେ ଯୁବକଙ୍କୁ ମାସିକ ପ୍ରାୟ ୫୦ ହଜାର ଟଙ୍କା ଦିଏ। ଯାହା କାର୍ଯ୍ୟ ଦକ୍ଷତା ଓ ସମୟ ଅନୁସାରେ ବଢେ। ସେହିଭଳି ସ୍ଥାନୀୟ କାଶ୍ମୀର ଏବଂ ପାକ୍ ଅଧିକୃତ କାଶ୍ମୀରର ଆତଙ୍କବାଦୀମାନଙ୍କୁ ମାସିକ ୨୫ ହଜାର ଦିଏ।
ବିଶେଷଜ୍ଞ ଅନୁମାନ କରୁଛନ୍ତି ଭାରତ ଓ ପାକିସ୍ତାନର ସଂଘର୍ଷ ଆଗକୁ ବିଶ୍ବ ଯୁଦ୍ଧରେ ପରିଣତ ହୋଇପାରେ। ଆଉ ପାକିସ୍ତାନ ନିଜ ସେନାରେ ସିଧାସଳଖ ଆତଙ୍କବାଦୀଙ୍କୁ ସାମିଲ କରିବ। ପାକିସ୍ତାନ ଏବେ ଧର୍ମର ଦ୍ବାହି ଦେଇ ମୁସଲମାନ ରାଷ୍ଟ୍ରକୁ ଏକାଠି କରିବାକୁ ଉଦ୍ୟମ କରୁଛି। ସେପଟେ ଚୀନକୁ ଭରଷା କରି ଯୁଦ୍ଧକୁ ଓହ୍ଲାଇଥିବା ପାକିସ୍ତାନ ଏଥର ଭୋଗିପାରେ ଭୟଙ୍କର ପରିଣାମ। କାରଣ ଆମେରିକାର ଟାରିଫକୁ ନେଇ ଏବେ ଟ୍ରେଡ୍ ଓ୍ବାରରେ ଫସି ରହିଛି ଚୀନ।
ଆମେରିକା ସହ ବିବାଦ ଭିତରେ ଭାରତ ଏବେ ଚୀନ ପାଇଁ ବ୍ୟବସାୟର ଏକ ବଡ ମାର୍କେଟ। ଆଉ ଯଦି ଏଭଳି ସମୟରେ ଚୀନ ପାକିସ୍ତାନକୁ ସିଧା ସମର୍ଥନ କରୁଛି , ତେବେ ଚୀନ ସହ ସମସ୍ତ ବ୍ୟବସାୟ ବନ୍ଦ କରିପାରେ ଭାରତ। ସେଥିପାଇଁ ଏବେ ଦିଟା ନାଆରେ ପାଦ ରଖିଲା ସ୍ଥିତିରେ ରହିଛି ଚୀନ। ଏହା ନିସନ୍ଦେହ ଚୀନର ପାକିସ୍ତାନ ସହ ଗଭୀର ଆର୍ଥିକ ଏବଂ ରଣନୈତିକ ସମ୍ପର୍କ ରହିଛି। ଚୀନ ପାକିସ୍ତାନକୁ ପିଏଲ-୧୫ ମିସାଇଲ ଯୋଗାଇ ଦେଇଛି, ଯାହା ସୈନ୍ୟ ସମର୍ଥନର ଏକ ସଙ୍କେତ। ତେବେ ଏହାରି ଭିତରେ ଚୀନ ଭାରତ ସହ ନିଜର ବ୍ୟାପାରିକ ସମ୍ପର୍କକୁ ମଧ୍ୟ ଗୁରୁତ୍ୱ ଦେଉଛି। ତେଣୁ ଏହି ଯୁଦ୍ଧରେ ସିଧା ସାମିଲ ହେବନାହିଁ ଚୀନ।
ଏହି ଯୁଦ୍ଧ ଆହୁରି ଭୟଙ୍କର ହେଲେ ଭାରତ ସହ ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘ, ଇସ୍ରାଏଲ୍, ଜର୍ମାନୀ, ଇରାନ, ସାଉଦୀ ଆରବ, ରୁଷ। ସେହିଭଳି ପାକିସ୍ତାନକୁ ସମର୍ଥନ କରିପାରନ୍ତି ଚୀନ, ତୁର୍କୀ, ବାଂଲାଦେଶ। ଅଧିକ ସମର୍ଥନ ନଥାଇ ବି ଯୁଦ୍ଧ କରିବା ସପକ୍ଷରେ ରହିଛି ପାକିସ୍ତାନ। କାରଣ ଏବେ ପାକିସ୍ତାନରେ ବି ପାକିସ୍ତାନୀ ସେନା ଉପରେ ଭରଷା ନାହିଁ ସାଧାରଣ ଜନତାଙ୍କର। ପାକିସ୍ତାନ ସେନା ବାହିନୀ ଓ ସେନାଧ୍ୟକ୍ଷ ଅସିମକୁ ବିରୋଧ କରୁଛନ୍ତି ପାକିସ୍ତାନୀ। ତେଣୁ ଏଭଳି ପରିସ୍ଥିତିରେ ନିଜର ଛବି ସୁଧାରିବାକୁ ଯୁଦ୍ଧ ଆମନ୍ତ୍ରଣ କରୁଛି ପାକିସ୍ତାନ।
ହେଲେ ପାକିସ୍ତାନର ଏବେ ଯେଉଁ ସ୍ଥିତି ରହିଛି ଆନ୍ତର୍ଜାତୀୟ ବିଶେଷଜ୍ଞ କହୁଛନ୍ତି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧ ହୁଏ ତେବେ ୪ ଦିନ ବି ତିଷ୍ଠି ରହିବା ପାକିସ୍ତାନ ପକ୍ଷେ ସମ୍ଭବ ନୁହେଁ। କାରଣ ପୂର୍ବତନ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଦେଇଥିବା ଏକ ସୂଚନାରେ ଜଣା ପଡିଛି, ଦୀର୍ଘ କାଳୀନ ସଂଘର୍ଷ ପାଇଁ ଭାରତ ସହ ମୁକାବିଲା କରିବାକୁ ପାକିସ୍ତାନ ପାଖରେ ଗୋଳାବାରୁଦ ଏବଂ ଆର୍ଥିକ ଶକ୍ତିର ଅଭାବ ରହିଛି। ଆଉ ଏଇ ଭିତରେ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ପଡ଼ୋଶୀ ଦେଶ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ବର୍ତ୍ତମାନ ପ୍ରାୟ ୧୫ ବିଲିୟନ ଡଲାରର ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି ପାକିସ୍ତାନ ପାଖରେ। ଯାହା ଗୋଟେ ସପ୍ତାହ ପର୍ଯ୍ୟନ୍ତ କିମ୍ବା ଅତିରୁଅତି ଗୋଟେ ମାସ ପର୍ଯ୍ୟନ୍ତ ଅନ୍ୟ ଦେଶରୁ ଯୁଦ୍ଧାସ୍ତ୍ର କିଣିବାକୁ ସମ୍ଭବ ନୁହେଁ। ସେହିଭଳି ଭାରତ ପାଖରେ ଅଛି ୬୮୮ ବିଲିୟନ ଡଲାରରୁ ଅଧିକ ପାଣ୍ଠି। ଯାହା ୧୧ ମାସ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ଆମଦାନୀ କିଣିବାକୁ ସକ୍ଷମ।