ଭାରତର ସିନ୍ଧୁ ଜଳ ପ୍ରହାରରେ ଖଣ୍ଡବିଖଣ୍ଡିତ ହେବ ପାକିସ୍ତାନ

Key Points
ଆତଙ୍କିସ୍ତାନରେ ହାହାକାର
ପୂର୍ବରୁ ବନିଥିଲା ବାଂଲାଦେଶ, ଏବେ ବନିବ ସିନ୍ଧୁଦେଶ !
ଭାରତର ସିନ୍ଧୁ ଜଳ ପ୍ରହାରରେ ଖଣ୍ଡବିଖଣ୍ଡିତ ହେବ ପାକିସ୍ତାନ
ବଲୁଚିସ୍ତାନ ପରେ ସ୍ବାଧୀନ ସିନ୍ଧୁଦେଶ ଦାବିରେ ପାକିସ୍ତାନରେ ଘମାସାନ
ସାରା ବିଶ୍ବ ସାମ୍ନାରେ ଭାରତ ଖୋଲୁଛି ଆତଙ୍କିସ୍ତାନର ପୋଲ୍
ପାକିସ୍ତାନ ବିରୋଧରେ ଜାରି ଭାରତର କୂଟନୈତିକ ପ୍ରହାର
ଜଳ ଜ୍ବାଳାରେ ଜଳୁଛି ପାକିସ୍ତାନ, ଏପଟେ ଲଗାତାର ଗୃହଯୁଦ୍ଧରେ ଭାଙ୍ଗୁଛି ସରିଫ ସରକାରର ଦମ୍ଭ । ପହଲଗାମ ପ୍ରତିଶୋଧର ପ୍ରଥମ ଧକ୍କାରେ ଶୁଖୁଛି ଆତଙ୍କିସ୍ତାନର ଗଳା । ସିନ୍ଧୁ ଜଳ ସନ୍ଧି ରଦ୍ଦ ପରଠାରୁ ଶେହବାଜ ସରକାର ଓ ପାକ୍ ଆର୍ମି ଉପରେ ବଢୁଛି ଚାପ । ଭାରତର ଅପରେସନ ସିନ୍ଦୁରରେ ଆତଙ୍କୀ ଆଡ୍ଡା, ଓ ଏୟାରବେସ ହରାଇବା ପରେ ବି ମିଛ ବିଜୟ ପ୍ରଚାର ଉପରୁ ପୋଲ୍ ଖୋଲୁଛନ୍ତି ଖୋଦ୍ ପାକିସ୍ତାନୀ ଜନତା । ସ୍ବାଧୀନ ବଲୁଚିସ୍ତାନ ଆନ୍ଦୋଳନକୁ ଦମନ କରିବାରେ ବିଫଳ ପାକ୍ ସରକାର ପାଇଁ ଏବେ ସିନ୍ଧୁ ଦେଶ ଦାବି ସୃଷ୍ଟି କରିଛି ବଡ଼ ସଂକଟ । ଶୋଷରେ ଆଉଟୁପାଉଟୁ ସିନ୍ଧୁବାସୀ ନେଇଛନ୍ତି ବଡ଼ ପଦକ୍ଷେପ । ଉଗ୍ରରୂପ ନେଉଛି ଆନ୍ଦୋଳନ । ଜଳାଭାବ ପ୍ରତିବାଦରେ ଗତ 21 ତାରିଖରେ ସିନ୍ଧ ପ୍ରଦେଶ ଗୃହମନ୍ତ୍ରୀ ଜିଆଉଲ ହସନ ଲଞ୍ଜରଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ପାକ୍ ସରକାରକୁ ପାକିସ୍ତାନର ଶତ୍ରୁ କହି ତୀବ୍ର କଟାକ୍ଷ କରିବା ସହ ଏବେ ପାକିସ୍ତାନଠାରୁ ଅଲଗା ହେବାକୁ ଆନ୍ଦୋଳନକୁ ଜୋରଦାର କରିଛନ୍ତି ସିନ୍ଧୁ ପ୍ରଦେଶବାସୀ ।
ରାସ୍ତାରେ ଜଳୁଛି ନିଆଁ, ପାକିସ୍ତାନ ସଂସଦରେ ବଢୁଛି ତାତି । ଭାରତର ସିନ୍ଧୁ ଷ୍ଟ୍ରାଇକ ପରଠାରୁ ପାକିସ୍ତାନର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଚାଲିଛି ଆନ୍ଦୋଳନ । ହିଂସାତ୍ମକ ଆନ୍ଦୋଳନ ରୋକିବାରେ ବିଫଳ ହୋଇଛନ୍ତି ପାକ୍ ସରକାର । ଯଦି ଭାରତ ସିନ୍ଧୁ ଜଳ ସନ୍ଧି ରଦ୍ଦ ନିଷ୍ପତ୍ତିରୁ ଓହରି ନଯାଏ, ପାକିସ୍ତାନ ଭୋକ ଓ ଶୋଷରେ ମରିବ ବୋଲି କହିଛନ୍ତି ଖୋଦ୍ ପାକିସ୍ତାନୀ ସାଂସଦ ସୟଦ ଅଲ୍ଲୀ ଜାଫର । ଇଣ୍ଡସ ରିଭର ଉପରେ ପାକିସ୍ତାନର 90 ପ୍ରତିଶତ କୃଷି ନିର୍ଭରଶୀଳ ଥିବାରୁ ପାଣି ବିନା ଖୁବଶୀଘ୍ର ପାକିସ୍ତାନ ମରୁଭୂଇଁ ପାଲଟିବ ବୋଲି ଚେତାଇ ଦେଇଛନ୍ତି ସାଂସଦ ।
ସେପଟେ ପାକିସ୍ତାନର ଆତଙ୍କୀ ଚେହେରା ଉପରୁ ପରଦା ହଟାଇବାକୁ ଶଶି ଥରୁରଙ୍କ ନେତୃତ୍ବରେ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ଆମେରିକା ଗସ୍ତ କରିଥିବାବେଳେ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ UAE ଯାଇଛି ଟିମ୍ । ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର କରିବାକୁ ବଡ଼ ରଣନୀତି ପ୍ରସ୍ତୁତ କରିଛନ୍ତି ମୋଦି ସରକାର। ଭାରତୀୟ ସାଂସଦଙ୍କ ଟିମ୍ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ର ଗୁଡ଼ିକ ସମେତ ଭାରତର ପ୍ରମୁଖ ସହଯୋଗୀ ଦେଶ ଗସ୍ତ କରି ବିଶ୍ବ ଆଗରେ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ବାର୍ତ୍ତା ଉପସ୍ଥାପନ କରୁଛନ୍ତି।
ପ୍ରତ୍ୟେକ ପ୍ରତିନିଧିମଣ୍ଡଳୀରେ ବିଭିନ୍ନ ଦଳର ସାଂସଦ, ପ୍ରମୁଖ ରାଜନୈତିକ ବ୍ୟକ୍ତି ଏବଂ ପ୍ରତିଷ୍ଠିତ କୂଟନୀତିଜ୍ଞ ସାମିଲ ଅଛନ୍ତି । ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ବ ସାମ୍ନାରେ ଖୋଲୁଛି ଆତଙ୍କିସ୍ତାନର ପୋଲ୍ । ଗୋଟିଏ ପରେ ଗୋଟିଏ ଡିପ୍ଲୋମାଟିକ ଷ୍ଟ୍ରାଇକରେ ଭାଙ୍ଗୁଛି ପାକିସ୍ତାନ ଅଣ୍ଟା । ଭୁଶୁଡୁଛି ଆତଙ୍କୀଙ୍କ ଆଡ୍ଡା । ପାକିସ୍ତାନରେ ବଢୁଛି ଗୃହଯୁଦ୍ଧର ଘନଘଟା ।