ପାକ୍ ସରକାର ଓ ସେନା ବିରୋଧରେ ପାକିସ୍ତାନୀଙ୍କ ଗର୍ଜନ

Key Points
ପାକ୍ ସରକାର ଓ ସେନା ବିରୋଧରେ ପାକିସ୍ତାନୀଙ୍କ ଗର୍ଜନ
`ଅପରେସନ ସିନ୍ଦୁର' ପ୍ରହାରରେ ଥରହର ପାକିସ୍ତାନ
ପାକ୍ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ସାଧାରଣ ନାଗରିକ
ଡ୍ରୋନ ଆକ୍ରମଣ ପରେ ପାକିସ୍ତାନର ଏକାଧିକ ସହରରେ ଜରୁରୀ ପରିସ୍ଥିତି ଘୋଷଣା
୧୯୭୧ ପରେ ପୁଣିଥରେ ପାକିସ୍ତାନ ଖଣ୍ଡବିଖଣ୍ଡିତ ହେବା ସମ୍ଭାବନା
କରାଚୀରୁ ଲାହୋର ଯାଏ ଧୂଆଁଧୂଆଁ ପାକିସ୍ତାନ । ଭାରତର ଅପରେସନ ସିନ୍ଦୁରକୁ ନେଇ ଥରହର ଆତଙ୍କୀସ୍ତାନ । ସଂସଦରୁ ଶୁଭିଲାଣି ପାକ୍ ସାଂସଦଙ୍କ କୁମ୍ଭୀର କାନ୍ଦଣା । ସିନ୍ଧ, ବଲୁଚିସ୍ତାନରେ ତେଜୁଛି ପାକିସ୍ତାନ ସରକାର ଓ ସେନା ବିରୋଧରେ ହୁଙ୍କାର । ଭାରତର ପହଲଗାମ ହାମଲାର ପ୍ରତିଶୋଧ ଆରମ୍ଭ ପରେ ଭିକ୍ଟିମ କାର୍ଡ ଖେଳିବା ଆରମ୍ଭ କରିଛି ପାକିସ୍ତାନ । କରାଚୀ, ଗୁଜରାନୱାଲା, ଲାହୋର, ଚକୱାଲ, ଘୋଟକୀ ଏବଂ ଉମରକୋଟରେ ଭାରତ ଡ୍ରୋନ ଆକ୍ରମଣ କରିଥିବା ଦାବି କରିବା ସହ ପ୍ରଭାବିତ ଅଞ୍ଚଳରେ ଜରୁରୀ ପରିସ୍ଥିତି ଘୋଷଣା କରିଛି ପାକିସ୍ତାନ । ପାକିସ୍ତାନର ତୈଳ ଡିପୋ, ପରମାଣୁ ଠିକଣା ଯାଏ ପହଞ୍ଚିଛି ଡ୍ରୋନ । କରାଚୀ, ସିଆଲକୋଟ ଓ ଲାହାର ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରିଛି ପାକିସ୍ତାନ । ଗୋଟିଏ ପରେ ଗୋଟିଏ ବିସ୍ଫୋରଣରେ ଆତଙ୍କିତ ପାକିସ୍ତାନ ରକ୍ତମୁଖା ହୋଇ LoCରେ ଭାରତର ସାଧାରଣ ନାଗରିକ, ଗୁରୁଦ୍ବାରକୁ ଟାର୍ଗେଟ୍ କରିଛି । ପାକ୍ ଗୁଳିମାଡ଼ରେ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାସହ ୫୦ ରୁ ଅଧିକ ନାଗରିକ ଆହତ ହୋଇଛନ୍ତି । ଆକ୍ରମଣର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ ।
ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନର ହୀନ ପ୍ରୟାସ ଏବେ ପାଲଟିଛି ବୁମେରାଂ । ନିଜ ଷଡ଼ଯନ୍ତ୍ରରେ ନିଜେ ଫସିଛି ପାକ୍ ସରକାର । ଦେଶର ସାଧରଣ ନାଗରିକ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ଖୋଲିଛନ୍ତି ପାକିସ୍ତାନର ପୋଲ୍ । ଆତଙ୍କବାଦୀଙ୍କୁ ତାଲିମ ଦେଇ ସାରା ବିଶ୍ବକୁ ରପ୍ତାନୀ କରୁଥିବା ପାକିସ୍ତାନର 9 ଆତଙ୍କୀ ଠିକଣାରେ ଭାରତର ମିଶାଇଲ ଆଟାକକୁ ନେଇ ପାକିସ୍ତାନରେ ଆତଙ୍କ ଖେଳିଯାଇଛି ।
ଆତଙ୍କୀ ବିରୋଧରେ ଭାରତର ଅପରେସନ ସିନ୍ଦୁର ଜାରି ରହିଥିବାବେଳେ ପାକିସ୍ତାନର ସିନ୍ଧ ପ୍ରଦେଶ ଓ ବଲୁଚିସ୍ତାନରେ ପାକ୍ ସରକାର ଓ ସେନା ବିରୋଧରେ ତୀବ୍ର ହେଉଛି ସ୍ବର । ୧୯୭୧ ପରେ ପୁଣିଥରେ ପାକିସ୍ତାନ ଖଣ୍ଡବିଖଣ୍ଡିତ ହେବା ସମ୍ଭାବନା ବଢ଼ିବାରେ ଲାଗିଛି । ଭାରତକୁ ଯୁଦ୍ଧ ପାଇଁ ଉସୁକାଇବାର ପରିଣାମ ଭୋଗିବ ପାକିସ୍ତାନ । ସିନ୍ଧ, ବଲୁଚିସ୍ତାନ ସହ ଖାଇବର ପାଖତୁନଖ୍ବାର ନେତା ଭାରତକୁ ଖୋଲାଖୋଲି ସମର୍ଥନ କରି ପାକିସ୍ତାନର ନିଦ ହଜାଇଛନ୍ତି ।
୧୯୭୧ ଯୁଦ୍ଧ ପରେ ୨ ଖଣ୍ଡ ହୋଇଥିବା ପାକିସ୍ତାନ ଯଦି ଭାରତକୁ ଯୁଦ୍ଧ କରିବାକୁ ବାଧ୍ୟ କରେ ତେବେ PoK ଭାରତ କବଜା କରିବା ସହ ସିନ୍ଧ ଓ ବଲୁଚ ଦୁଇ ସ୍ବାଧୀନ ରାଷ୍ଟ୍ର ଘୋଷଣା ହୋଇପାରେ । ଖାଇବର ପାଖତୁନଖ୍ବାକୁ ଚୀନ ଅଧିକାର କରିନେବା ଆଶଙ୍କା ରହିଥିବା କହିଛନ୍ତି ବିଶେଷଜ୍ଞ । 75 ବର୍ଷ ଧରି ପାକ୍ ସେନାର ଅତ୍ୟାଚାର ସହୁଥିବା ବଲୁଚିସ୍ତାନରେ ପାକିସ୍ତାନ ବିରୋଧରେ ତେଜୁଛି ସ୍ବର ।