Videos
|
National

Organ Donation / ଜୀବନ ଯିବା ପରେ ବି ୩ ଜଣଙ୍କ ଜୀବନ ବଞ୍ଚାଇଲେ ଗୁପଚୁପ୍ ବ୍ୟବସାୟୀ

Rashmita Mishra
Browse all articles by Rashmita Mishra
·32 mins ago·2 min read
ଜୀବନ ଯିବା ପରେ ବି ୩ ଜଣଙ୍କ ଜୀବନ ବଞ୍ଚାଇଲେ ଗୁପଚୁପ୍ ବ୍ୟବସାୟୀ
Organ Donation

Key Points

ଜୀବନ ଯିବା ପରେ ବି ଅମର ହେଲେ ଗୁପଚୁପ୍ ବ୍ୟବସାୟୀ,
ଅଙ୍ଗଦାନ କରି ବଞ୍ଚାଇଲେ ୩ ଜୀବନ । 
ଖୋର୍ଦ୍ଧା ଟାଙ୍ଗୀର ସହଦେବ ସାହୁଙ୍କ ମହାନତା
ବ୍ରେନ୍ ଡେଡ୍ ପରେ କିଡନୀ ଓ ଲିଭର ଦାନ
ପୋଲିସ ପକ୍ଷରୁ ମିଳିଲା ଗାର୍ଡ ଅଫ୍ ଅନର

ଜୀବନ ଯିବା ପରେ ବି ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ଅମର ହୋଇଗଲେ ଗୁପଚୁପ୍ ବ୍ୟବସାୟୀ ସହଦେବ ସାହୁ । ନିଜ ମୃ*ତ୍ୟୁ ପରେ ମଧ୍ୟ ଅଙ୍ଗଦାନ ମାଧ୍ୟମରେ ତିନି ଜଣଙ୍କୁ ନୂଆ ଜୀବନ ଦେଇ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ତାଙ୍କର ଏହି ମହତ୍ କାର୍ଯ୍ୟକୁ ସବୁ ମହଲରୁ ଅନେକ ପ୍ରଶଂସା କରାଯାଉଛି ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ପାରିଓରଡ଼ ଗ୍ରାମର ୫୭ ବର୍ଷୀୟ ସହଦେବ ସାହୁ ଗୁପଚୁପ୍ ବିକ୍ରି କରି ନିଜ ପରିବାର ଚଳାଉଥିଲେ । ପତ୍ନୀ, ଗୋଟିଏ ପୁଅ ଓ ଦୁଇ ବିବାହିତ ଝିଅଙ୍କୁ ନେଇ ତାଙ୍କର ଛୋଟିଆ ସଂସାର ବେଶ୍ ହସଖୁସିରେ ଚାଲିଥିଲା । ହେଲେ ହଠାତ୍ ପାଞ୍ଚ ଦିନ ତଳେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ୱେ ସହଦେବଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ଏକ ମହାନ ନିଷ୍ପତ୍ତି ନେଇ ତାଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଫଳରେ ସହଦେବଙ୍କ କିଡନୀ ଓ ଲିଭର ଦାନ ମାଧ୍ୟମରେ ତିନି ଜଣ ଗୁରୁତର ରୋଗୀଙ୍କ ଜୀବନରେ ନୂଆ ଆଶାର ସଞ୍ଚାର ହୋଇଛି ।

ସହଦେବଙ୍କ ଏହି ମହାନ ତ୍ୟାଗ ଓ ଅଙ୍ଗଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ଟାଙ୍ଗୀ ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଶେଷଯାତ୍ରାରେ ଶତାଧିକ ଗ୍ରାମବାସୀ ସାମିଲ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସହଦେବ ଆଜି ଆଉ ଏହି ଦୁନିଆରେ ନାହାନ୍ତି, ହେଲେ ତାଙ୍କ ଅଙ୍ଗରେ ଅନ୍ୟ ତିନି ଜଣଙ୍କ ଜୀବନ ବଞ୍ଚି ରହିବ । ତାଙ୍କର ଏହି ମହାନ ଅଙ୍ଗଦାନ ମାନବିକତା, ତ୍ୟାଗ ଓ ପରୋପକାରର ଏକ ଅମର ଉଦାହରଣ ହୋଇ ରହିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: