Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପିଲାଙ୍କୁ ଚାପମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା, କହିଲେ... ପରୀକ୍ଷା ସବୁକିଛି ନୁହେଁ

National

ପିଲାଙ୍କୁ ଚାପମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା, କହିଲେ... ପରୀକ୍ଷା ସବୁକିଛି ନୁହେଁ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପିଲାଙ୍କୁ ଚାପମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା, କହିଲେ... ପରୀକ୍ଷା ସବୁକିଛି ନୁହେଁ

ପରୀକ୍ଷା ସମୟରେ କେମିତି ଚାପମୁକ୍ତ ରହିବେ ଛାତ୍ରଛାତ୍ରୀ। ଆଜି ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମରେ ଏନେଇ ଅନେକ କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ପରୀକ୍ଷା ସବୁକିଛି ନୁହେଁ । ପୁଣି 'ପରୀକ୍ଷା ଓ ଜୀବନଯୁଦ୍ଧ ପାଇଁ ସଫଳତାର ମନ୍ତ୍ର' ଶୀର୍ଷକ ଆଲେଖ୍ୟ ଲେଖି ବିବିଧ ପ୍ରତିଭାର ବିକାଶ ପାଇଁ ପରିବେଶ ସୃଷ୍ଟି ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପାଖେଇ ଆସୁଛି ପରୀକ୍ଷା । ଆଉ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରୀଙ୍କୁ ପିଏମ ମୋଦିଙ୍କ ଟିପ୍ସ । ଗତ ୭ଟି ସଂସ୍କରଣ ପରି ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମର ଅଷ୍ଟମ ସଂସ୍କରଣରେ ସାରା ଦେଶର ଛାତ୍ରଛାତ୍ରୀଙ୍କ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଲାଙ୍କୁ ଚାପମୁକ୍ତ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । କହିଛନ୍ତି ପାଠର ଚାପ ଛାତ୍ରଛାତ୍ରୀଙ୍କ ଉପରେ ରହିବା କଥା ନୁହେଁ । ପରୀକ୍ଷା ଜୀବନର ସବୁକିଛି ନୁହେଁ । ସର୍ବାଙ୍ଗୀନ ବିକାଶ ପାଇଁ ପାଠର ଆବଶ୍ୟକ ରହିଛି । ପାଠ ସହିତ ନିଜ ମନ ପସନ୍ଦର କାମ ମଧ୍ୟ କରିବା ଉଚିତ୍ । ଛାତ୍ରଛାତ୍ରୀମାନେ ନିଜ ସମୟର ସଠିକ୍ ଉପଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି, ଛାତ୍ରଛାତ୍ରୀମାନଙ୍କୁ ନିଜ ମନ ଉପରେ ନିୟନ୍ତ୍ରଣ ଆଣିବାକୁ ପଡ଼ିବ । ଅନ୍ୟକୁ ସଜାଡ଼ିବା ଆଗରୁ ପ୍ରଥମେ ନିଜକୁ ସଜାଡ଼ିବାକୁ ପଡ଼ିବ । ଭଲ ନେତୃତ୍ବ ପାଇଁ ଆବଶ୍ୟକ ଧୈର୍ଯ୍ୟ, ସିଦ୍ଧାନ୍ତ ଓ ବିଶ୍ବାସ । କେହି ନଥିବା ସ୍ଥାନରେ ପହଞ୍ଚି ନେତୃତ୍ବ ନିଅନ୍ତୁ । ବେଳେ ବେଳେ ନିଜେ ନିଜ ସହ କଥା ହେବା ଉଚିତ୍ । ଅଭିଭାବକ ଓ ଶିକ୍ଷକଙ୍କୁ ମଧ୍ୟ ବାର୍ତ୍ତା ଦେଇଛନ୍ତି ମୋଦି । ଛାତ୍ରଛାତ୍ରୀ ମାନେ ଚାପମୁକ୍ତ ହୋଇ ଆତ୍ମବିଶ୍ବାସର ସହିତ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ଏକ ଆଲେଖ୍ୟ 'ପରୀକ୍ଷା ଓ ଜୀବନଯୁଦ୍ଧ ପାଇଁ ସଫଳତାର ମନ୍ତ୍ର'ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଖେଳ ପଡିଆ ପର୍ଯ୍ୟନ୍ତ ଧନ୍ଦାମୂଳକ ତାଲିମ କେନ୍ଦ୍ରଠାରୁ ଆରମ୍ଭ କରି ଗବେଷଣାଗାର ପର୍ଯ୍ୟନ୍ତ ଆମକୁ ଏପରି ଏକ ସ୍ଥାନ ସୃଷ୍ଟି କରିବାକୁ ହେବ ଯେଉଁଠାରେ ବିବିଧ ପ୍ରତିଭାର ବିକାଶ ହୋଇପାରିବ । ବ୍ୟକ୍ତିଗତ ସାମର୍ଥ୍ୟକୁ ସ୍ୱୀକୃତି ଓ ପୋଷଣ କରୁଥିବା ଏକାଧିକ ସୁକ୍ଷ୍ମ, ପ୍ରତିକ୍ରିୟାଶୀଳ ପ୍ରଣାଳୀକୁ ରାସ୍ତା ଦେବା ପାଇଁ ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲିବାର ପୁରୁଣାକାଳିଆ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ହେବ । ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଙ୍କୁ ଚାପମୁକ୍ତ କରିବା ସହ ଜୀବନରେ ସଫଳତା କିପରି ପାଇବେ ସେନେଇ ବହୁମୁଲ୍ୟ ପରାମର୍ଶ ଦେଇଛନ୍ତି ।

ସେପଟେ ଭୁବନେଶ୍ବର ୟୁନିଟ୍-1 ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଲାଙ୍କୁ ଦେଇଥିଲେ ପରୀକ୍ଷାକୁ ଚାପମୁକ୍ତ କରିବାର ୧୦ ଟିପ୍ସ। ଛାତ୍ରଛାତ୍ରୀ ମାନେ ଶାରୀରିକ, ମାନସିକ ସୁସ୍ଥତା, ଉତ୍ତମ ପାଠ ପଢ଼ିବାର ପରିବେଶ, ସୁଷମ ଖାଦ୍ୟ, ଯୋଗାଭ୍ୟାସ, ଚାପମୁକ୍ତ ରହିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ସିଏମ। କର୍ମ ଉପରେ ବିଶ୍ୱାସ ରଖି ଫଳ ଆଶା ନ କରିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉପଦେଶ ଦେଇଛନ୍ତି।

ସାରା ଦେଶର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ କରି ଖୁସିରେ ପରୀକ୍ଷା ଦେବାକୁ ପ୍ରତିବର୍ଷ ଏହି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pariksha Pe Charcha 2025: 'Students are not robots,' says PM Modi in his interaction | Argus News